ଭୁବନେଶ୍ବର: ମୁଁ ଯେଉଁଠି ରୋଗୀ ଦେଖେ ସେହି ଚାମ୍ବର ପାଖରେ ଥିବା ବାରଣ୍ଡାରେ ଜଣେ ଯୁବକ ଓ ଯୁବତୀ ଛିଡା ହୋଇଥିଲେ। ସେଦିନ କ୍ଲିନିକ୍ ଅତ୍ୟନ୍ତ ଭିଡ ଥିଲା। ମୋ ବାଟ ଓଗାଳି ଉଭୟ କହିଲେ- ଦୟା କରି ଦୁଇ ମିନିଟ୍ ସମୟ ଦେବେ କି ? ପରେ ଯେତେବେଳେ ଆମେ ଭିତରକୁ ଯାଇ ବସି କଥାବାର୍ତ୍ତା ହେବା ଆରମ୍ଭ କଲୁ ଦୁହେଁ ଗଭୀର ଅବସାଦ ଭରା କଣ୍ଠରେ କଥା ହେବା ଆରମ୍ଭ କଲେ । ପୂର୍ବରୁ ତାଙ୍କ ବାପା ମୋ ପାଖରେ ପାକସ୍ଥଳୀ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ମୋର ଚିକିତ୍ସା କ୍ରମରେ ମୁଁ ତାଙ୍କ ବାପାଙ୍କୁ କୌଣସି ଏକ ଉପଶମ ମୂଳକ ଚିକିତ୍ସା କେନ୍ଦ୍ରକୁ ନେଇ ଯିବାକୁ ପରାମର୍ଶ ଦେଇଥିଲି ।
ମୁଁ ଯେତେବେଳେ ସେମାନଙ୍କୁ ପଚାରିଲି ‘ତୁମ ବାପା ଏବେ କେମିତି ଅଛନ୍ତି ?’ ପୁଅଟିର ଆଖି ହଠାତ ଛଳଛଳ ହେଇଗଲା, ତା ଭଉଣୀ ଅତି ମର୍ମାହତ ଭାବେ କହିଲା 'ନିକଟସ୍ଥ ପାଲିଏଟିଭ ଚିକିତ୍ସା କେନ୍ଦ୍ରରେ କୌଣସି ଅତ୍ୟାଧୁନିକ ଚିକିତ୍ସା କିମ୍ବା ଯନ୍ତ୍ରପାତି ନ ଥିବାରୁ ଆମେ ବାପାଙ୍କୁ ଅନ୍ୟ ଏକ ଚିକିତ୍ସାଳୟକୁ ନେଇଗଲୁ ଯେଉଁଠି ବାପାଙ୍କର ମୃତ୍ୟୁ ହୋଇଗଲା। ଗୋଟିଏ ସପ୍ତାହ ଧରି ବାପା ଆଇସିୟୁରେ ରହିଲେ, ତାପରେ ଆଖି ବୁଜିଦେଲେ।
ଭାଇ ଭଉଣୀଙ୍କ ମନରେ ଥିବା ଗଭୀର ଯନ୍ତ୍ରଣାକୁ ମୁଁ ଅନୁଭବ କରିପାରୁଥାଏ। ସେମାନେ ଯେପରି କହୁଥାନ୍ତି ତାଙ୍କ ବାପା ଗୋଟିଏ ସୁଖଦ ମୃତ୍ୟୁ ପାଇ ପାରିଲେ ନାହିଁ। ଅର୍ଥାତ ଯନ୍ତ୍ରଣା ଜର୍ଜରିତ ହୋଇ ତାଙ୍କ ଜୀବନ ଗଲା । ମେଡ଼ିକାଲରେ ଛୁଞ୍ଚିର ନାଲିଆଖି, ସାଲାଇନ ବୋତଲର ଭିଡ଼, ମାଳମାଳ ପାଇପ୍ ମେଳରେ ଏବଂ ଆଇସିୟୁରେ ଲାଗିଥିବା ମେସିନର ସେ ବିକଟାଳ କୁଁ କାଁ ଶବ୍ଦରେ ତାଙ୍କ ମୃତ୍ୟୁ ହେଲା । ଯାହାକୁ ସେ ଆଦୌ ସହିପାରିଲେନି ବୋଲି କହି… ଭାଇ ଭଉଣୀ ଦୁହେଁ ଚାଲିଯାଇଥିଲେ। ବର୍ଷାଭିଜା ସୂର୍ଯ୍ୟାଲୋକ ମୋ କ୍ଲିନିକର ଝରକା ମଧ୍ୟ ଦେଇ ବିଛାଡ଼ି ହେଇ ପଡ଼ିଥିଲା । ମୁଁ ମନେମନେ ଭାବୁଥିଲି ସମାଜର ସେଇ ବର୍ଗର ବ୍ୟକ୍ତି ବିଶେଷଙ୍କ କଥା ଯେଉଁମାନେ ଚିନ୍ତା କରନ୍ତି ଏ ଦୁନିଆରେ କେଉଁଟା ବି ଗୋଟେ ସୁଖଦ ମୃତ୍ୟୁ ନୁହେଁ ?
ପ୍ରତିବର୍ଷ ଅକ୍ଟୋବର ମାସର ୨ୟ ଶନିବାରକୁ ବିଶ୍ଵ ହସ୍ପିସ୍ ଓ ଉପଶମ ମୂଳକ ଚିକିତ୍ସା ଦିବସ (World Hospice and Palliative Care Day) ରୂପେ ପାଳନ କରାଯାଏ । ଚଳିତ ବର୍ଷ ଏହା ଅକ୍ଟୋବର ମାସ ୧୧ ତାରିଖରେ ପଡ଼ୁଛି । ଲାନସେଟ୍ (Lancet) କମିଶନ୍ ୨୦୨୫ ମସିହାର ପ୍ରକାଶିତ ପତ୍ରିକାରେ କହିଛି ଯେ- ବିଶ୍ଵର ସ୍ବାସ୍ଥ୍ୟ ଜଗତରେ ଅନୁକମ୍ପା ମୂଳକ ବା ଉପଶମ ଭରା ଅବା ଆରାମଦାୟକ ଚିକିତ୍ସାର ଅଭାବ ନିଶ୍ଚିନ୍ତ ନିନ୍ଦା ଦାୟକ। ସାରା ବିଶ୍ୱରେ ଲୋକମାନେ ସଠିକ୍ ସ୍ୱାସ୍ଥ୍ୟ ସେବା ପାଇବାରେ ଅନେକ ସମସ୍ୟା ଦେଖାଦେଉଛି । ଯେମିତିକି କେହି ଟୀକା ନେବାକୁ ଚାହାନ୍ତିନି ବା ଟୀକା ନେବାକୁ ଭୟ କରନ୍ତି । କେହି ପୁଣି ରକ୍ତ ଦେବା ବା ନେବାକୁ ମନା କରନ୍ତି । ସେମିତି କେହି ଚିକିତ୍ସା ମାଧ୍ୟମରେ ଗର୍ଭପାତ କରିବାକୁ ମଧ୍ୟ ମନା କରନ୍ତି। ଏସବୁ ବାଧା ମଧ୍ୟରେ ପ୍ରସିଦ୍ଧ ପତ୍ରିକା Lancet କହିଛି- ଅନୁକମ୍ପାମୂଳକ ଚିକିତ୍ସା (palliative care) ଆଜି ବି ଅବ୍ୟବହୃତ ବା ଅଣଦେଖା ଅବସ୍ଥାରେ ଅଛି । ଯଦିଓ ଏହା ଦ୍ୱାରା ଲୋକଙ୍କର ଅନେକ ଦୁଃଖ ଲାଘବ ହୋଇପାରେ। ତେବେ ସାଧାରଣ ଲୋକଟିଏ ନିଜ ମୃତ୍ୟୁକୁ ନିଜ ଇଚ୍ଛାରେ ଏବଂ ନିଜ ନିଷ୍ପତ୍ତିରେ ଆରାମ ଦାୟକ କରିପାରିବ ।
ବିଗତ ୩୦ ବର୍ଷର ତଥ୍ୟ ଅନୁଯାୟୀ ପ୍ରାୟ ୭୪ ମିଲିୟନ ଲୋକ ଶାରୀରିକ, ମାନସିକ ଓ ସାମାଜିକ ପୀଡା ଭୋଗୁଛନ୍ତି । ଏହି ମଧ୍ୟରୁ ପ୍ରାୟ ୪୭ ମିଲିୟନ ଲୋକ ୨୦୨୫ ମସିହାରେ ଏଭଳି ଦୁଃଖ ଭିତରେ ମୃତ୍ୟୁବରଣ କରିପାରନ୍ତି । କରୋନା ମହାମାରୀର ଭୟଙ୍କର ପରିସ୍ଥିତି ସମୟରେ Carol Kerrigan Moore ନାମକ ଯୁକ୍ତରାଷ୍ଟ୍ର ଆମେରିକାର Delaware ସହରର ଜଣେ ନର୍ସ ତାଙ୍କର ନିଜର କର୍କଟ ରୋଗର ଯାତ୍ରା ବା ଅନୁଭୂତି ସମ୍ପର୍କରେ ଏକ ବିବୃତି ଲେଖିଥିଲେ। ସେ ଲେଖିଥିଲେ ତାଙ୍କୁ କର୍କଟ ରୋଗ ହେବାର ଦୁଇବର୍ଷରେ ସେ ଯେତେବେଳେ ଭୀଷଣ ରୂପେ ଅସୁସ୍ଥ ତାଙ୍କୁ ସେତେବେଳେ କରୋନା ମହାମାରୀର ଭୀଷଣ ପ୍ରକୋପ ଦେଖାଗଲା । ସେହି ସମୟରେ ସେ କହିଲେ କରୋନା ମହାମାରୀ ବିଶ୍ୱକୁ ଆକ୍ରାନ୍ତ କରିଛି ମାତ୍ର ଜଣେ କର୍କଟ ରୋଗ ସହ ଲଢେଇ କରୁଥିବା ରୋଗୀ ନିମିତ୍ତ ଏହି ମହାମାରୀ ଏକ ନୂତନ ଦୃଷ୍ଟିଭଙ୍ଗୀ ଉନ୍ମୁକ୍ତ କରିଛି।
ସେ କର୍କଟ ସହ ଲଢ଼ିବା ଦ୍ଵାରା ଏହା ଶିଖିଛନ୍ତି ଯେ ବର୍ତ୍ତମାନ ସେ ରୋଗ ପାଇଁ ତାଙ୍କର ଭୟ ନାହିଁ ବରଂ ସେ ଆଶାରେ ବଞ୍ଚି ରହିଛନ୍ତି। ରୋଗୀ ମାନଙ୍କର କାହାଣୀ ଆମକୁ ଏକ ପ୍ରକୃତ ଜୀବନର ଘଟଣା ସହ ଜଡ଼ିତ କରାଇଥାଏ । ଯେଉଁଠି ଗୋଟିଏ ମଣିଷର ସଂଘର୍ଷ ଏବଂ ସଫଳତା ବା ରୋଗ ଠାରୁ ବିଜୟର କାହାଣୀ ଆମେ ପ୍ରତ୍ୟକ୍ଷ ଭାବେ ଶୁଣିଥାଉ। ସେହିପରି ବର୍ଣ୍ଣନା ମୂଳକ ଔଷଧ ( narrative medicine) ଉଭୟ ଡାକ୍ତର ଓ ରୋଗୀଙ୍କୁ ରୋଗର କାରଣ, ଅସୁସ୍ଥତା ଓ ନିଦାନର କାହାଣୀ ସମ୍ପର୍କରେ କହିବାର କ୍ଷମତା ରଖେ ।
ବିଶ୍ୱରେ ଉତ୍ତର ଓ ଦକ୍ଷିଣ ଦେଶମାନଙ୍କ ମଧ୍ୟରେ ଖାଦ୍ୟ ଅଭାବ ଓ ଲିଙ୍ଗଗତ ସମତା ଭଳି ଅନେକ ପ୍ରକାର ଅସମତା ରହିଛି। ଏହି ପରିସ୍ଥିତିରେ ଗମ୍ଭୀର ରୋଗ ଓ ଦୁଃଖକଷ୍ଟ (Serious Health-related Suffering - SHS) କମେଇବା ଏକ ବଡ଼ ଆହ୍ବାନରେ ପରିଣତ ହୋଇଛି । ଯେତେବେଳେ ଗୋଟିଏ ଲୋକ ମୃତ୍ୟୁବରଣ କରନ୍ତି… ସେ କେବଳ ରୋଗ ଦ୍ୱାରା ନୁହେଁ, ବରଂ ଆମେ ଶେଷ ଶଯ୍ଯାରେ, ଅନ୍ତିମ ଅବସ୍ଥାରେ ମାନବିକତାର ଚିକିତ୍ସା କିମ୍ବା ଦୟାମନୋଭାବ ଦେଖାଇ ସେବା ନକରିବା କାରଣରୁ ସେମାନଙ୍କୁ ଅଧିକ ଦୁଃଖ-କଷ୍ଟ ହୁଏ । ଯେତେବେଳେ ଏକ ସଡ଼କ ଦୁର୍ଘଟଣା ଘଟେ, ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଟ୍ରମା କିମ୍ବା ଆପାତକାଳୀନ କେନ୍ଦ୍ରକୁ ନିଆଯାଏ। କିନ୍ତୁ ଯେତେବେଳେ ଗୋଟିଏ ଲୋକ ଗମ୍ଭୀର ରୋଗ କିମ୍ବା ମୃତ୍ୟୁ ସହ ସଂଗ୍ରାମ କରୁଥାଏ । ସେତେବେଳେ ସେମାନେ ପାଲିଏଟିଭ୍ କେୟାର କେନ୍ଦ୍ରକୁ ପହଞ୍ଚି ପାରନ୍ତି ନାହିଁ । ଯାହାକି ଏକ ଯନ୍ତ୍ରଣାମୁକ୍ତ ଜୀବନ ଓ ସମ୍ମାନଜନକ ମୃତ୍ୟୁ ମଝିରେ ଏବ ବିରାଟ ବଡ଼ ଅଭାବ । ରୋଗୀମାନେ ଓ ତାଙ୍କ ପରିବାର ଅନେକ ସମୟରେ ଏ ସମ୍ବନ୍ଧରେ ଅବଗତ ନୁହନ୍ତି ଯେ ପାଲିଏଟିଭ କେୟାରର ଚିକିତ୍ସକ, ନର୍ସ, ପରାମର୍ଶଦାତା ଓ ସେବାକର୍ମୀମାନେ କେତେ ଉତ୍କୃଷ୍ଠ ସହାୟତା ଏବଂ ସୁ-ସେବା ଦେଇପାରନ୍ତି ବୋଲି…
ଜଣେ ରୋଗୀ ନିଜ ଅଭିଜ୍ଞତା ବଖାଣି କହିଥିଲେ- ମୁଁ ୩ ଦିନ ଧରି ଶୋଇପାରି ନଥିଲି । ମାତ୍ର ପାଲିଏଟିଭ କେୟାରରେ ପହଞ୍ଚିବା ପରେ ମୋର ଯନ୍ତ୍ରଣା, ବାନ୍ତି ଏବଂ ନିଶ୍ୱାସ ନ ନେଇପାରିବା ଭଳି ସମସ୍ୟା ଏକଦମ୍ ସମାପ୍ତ ହୋଇଯାଇଥିଲା । କାରଣ ଏଠାକାର ଡାକ୍ତର ଏବଂ ନର୍ସ ଅନେକ ମାସ ପରେ ମୋ ମୁହଁରେ ହସ ଫୁଟାଇଥିଲେ । ସେପଟେ ଚିକିତ୍ସା କେନ୍ଦ୍ରର ସଦସ୍ୟମାନେ ଯେତେବେଳେ ରୋଗୀଙ୍କୁ ଖେଚୁଡ଼ି ଏବଂ ଦହି ଅତି ଆଗ୍ରହର ସହ, ଅତି ଖୁସିରେ ଏବଂ ଶାନ୍ତିରେ ଖାଉଥିବାର ଦେଖିଲେ ସେତେବେଳେ ସେମାନେ ମଧ୍ଯ ଖୁସି ହେଉଥିଲେ ।
ପାଲିଏଟିଭ ଚିକିତ୍ସା ଏବେ ଧିରେଧିରେ ମାନବ ଜୀବନରେ ଟ୍ରମା ଓ ଗମ୍ଭୀର ରୋଗର ଚିକିତ୍ସା ପରି ଏକ ମହତ୍ତ୍ୱପୂର୍ଣ୍ଣ ଚିକିତ୍ସାର ରୂପ ନେଲାଣି । ୧୯୬୦ ଦଶକରେ Dame Cicely Saunders ନାମକ ଜଣେ ଡାକ୍ତର ଲଣ୍ଡନରେ ପ୍ରଥମ ଆଧୁନିକ ହସ୍ପିସ୍—ସେଣ୍ଟ କ୍ରିଷ୍ଟୋଫର୍ସ ହସ୍ପିସ୍ (St Christopher’s Hospice) ଆରମ୍ଭ କରିଥିଲେ, ଯାହା ବର୍ତ୍ତମାନ ପ୍ରସିଦ୍ଧ ସଂସ୍ଥା ରୂପେ ଦୁନିଆରେ ପରିଗଣିତ ହୋଇଛି। ସେ ଗମ୍ଭୀର ରୋଗରେ ପୀଡ଼ିତ ଲୋକମାନଙ୍କୁ ଅତି ଯତ୍ନତାର ସହ ଦେଖି ସେମାନଙ୍କ ଦୁଃଖ, କଷ୍ଟ, ଯନ୍ତ୍ରଣା, ବେଦନା ଓ ନିଶ୍ବାସ-ପ୍ରଶ୍ୱାସ ନେବାରେ ହେଉଥିବା ସବୁ ସମସ୍ୟାକୁ କେମିତି କମେଇ ହେବ ତାହା ସିଏ ନିଜେ ଚେଷ୍ଟା କରୁଥିଲେ। ସେ ଚାହୁଁଥିଲେ ଯେ ମୃତ୍ୟୁ ହେବା ସମୟରେ ଲୋକମାନେ ଅନ୍ତତଃ ପକ୍ଷେ ଦୁଃଖରେ ନୁହେଁ ବରଂ ଶାନ୍ତିର ସହ ଏବଂ ସମ୍ମାନର ସହ ଏକ ମର୍ଯ୍ୟାଦାଜନକ ମୃତ୍ୟୁବରଣ କରନ୍ତୁ ।
ସେ ଏବଂ ତାଙ୍କର ଡାକ୍ତରୀ ଦଳ, ନର୍ସ, ଔଷଧ ବିଶେଷଜ୍ଞ, ପରାମର୍ଶଦାତା ଓ ଧାର୍ମିକ ଗୁରୁମାନେ ଏହି ଚିକିତ୍ସା ମାଧ୍ୟମରେ ଦୁନିଆକୁ ଦେଖାଇ ଦେଲେ ଯେ ମୃତ୍ୟୁ ହେବା ବେଳେ ବି ମଣିଷକୁ ଭଲ ଭାବରେ ଦେଖାଶୁଣା କରିହେବ । ଅର୍ଥାତ ଏହାର ମାନେ ଏୟା - ଯେ ଅନାବଶ୍ୟକ ଭାବେ ପୁଳାପୁଳା ଟଙ୍କା ଖର୍ଚ୍ଚ କରି ବ୍ଯକ୍ତିକୁ ବଡ଼ ବଡ଼ ମେଡିକାଲରେ ଭର୍ତ୍ତି ନକରି ମୃତ୍ୟୁ ଦ୍ବାରରେ ଉପନୀତ ବ୍ୟକ୍ତିଙ୍କୁ କିଭଳି ମେ଼ଡିକାଲ ଜନିତ ଯନ୍ତ୍ରଣାରୁ ମୁକ୍ତି ଦେଇ ତାଙ୍କୁ ଏକ ଆରାମଦାୟକ ଜୀବନ ଦେବା… ଯେଯାଏଁ ତାଙ୍କ ଦେହରେ ଜୀବନ ଅଛି, ଶରୀରରେ ନିଶ୍ବାସ-ପ୍ରଶ୍ବାସ ଚାଲୁଛି…
ଗମ୍ଭୀର ରୋଗରେ ପୀଡିତ ଥିବା ଲୋକଙ୍କୁ ଏକ ଉତ୍ତମ ମୃତ୍ୟୁ ବା ସମ୍ମାନଜନକ ମୃତ୍ୟୁ ଦିଗରେ ବାଟ କଢାଇ ନେବା ହିଁ ପାଲିଏଟିଭ କେୟାରର ମୁଖ୍ୟ ଲକ୍ଷ୍ୟ ଅଟେ । ଦୀର୍ଘ ୬୦ ବର୍ଷ ଧରି ପାଲିଏଟିଭ୍ କେୟାର ଆସିବା ସତ୍ବେ ଉକ୍ତ କ୍ଷେତ୍ରରେ ଆହୁରି ଅନେକ ଉନ୍ନତିର ଆବଶ୍ୟକତା ରହିଛି । ଯଦିଓ ଏହାକୁ ତିଆରି କରିବାର ଖର୍ଚ୍ଚ ବା ଆବଶ୍ୟକ ସୁବିଧା ସୁଯୋଗ, ଭିତ୍ତିଭୂମି ଓ ଲୋକବଳ ପାଇଁ ଯେତେ ଖର୍ଚ୍ଚ ହୁଏ ତାହା ଗୋଟେ ହୃଦରୋଗ ବିଭାଗ କିମ୍ବା ଡାୟାଲିସିସ୍ ବିଭାଗ ତିଆରି କରିବା ଖର୍ଚ୍ଚ ତୁଳନାରେ ବହୁତ କମ୍ ଅଟେ।
-:ଜରୁରୀ ସୂଚନା:-
ପାଲିଏଟିଭ କେୟାର ଏକ ସହଜ ଓ ସୁବିଧାଯୁକ୍ତ ଚିକିତ୍ସା ପ୍ରଣାଳୀ ଯାହା ଗମ୍ଭୀର, ଅସାଧ୍ୟ ଓ ଦୂରାରୋଗରେ ପୀଡ଼ିତ ଲୋକଙ୍କୁ ଦରଦ ଓ ଦୁଃଖରୁ ଅନେକ ମାତ୍ରାରେ ଆରାମ ଦେଉଛି । ଏହି ସେବା ହସ୍ପିଟାଲ୍ କିମ୍ବା ଘରେ ଦିଆଯାଇପାରିବ। ଗୋଟିଏ ରୋଗୀଙ୍କ ପାଇଁ ଦିନକୁ ଚିକିତ୍ସା ଦେବା ଖର୍ଚ୍ଚ ପ୍ରାୟ ୨୦୦୦ ରୁ ୨୫୦୦ ଟଙ୍କା ମଧ୍ୟରେ ହୁଏ । ଏହି ଖର୍ଚ୍ଚ ଅନ୍ୟାନ୍ୟ ଗମ୍ଭୀର ଚିକିତ୍ସା ବିଭାଗ ତୁଳନାରେ ବହୁତ ଅଳ୍ପ। ତେବେ ପାଲିଏଟିଭ୍ କେୟାରରେ ବ୍ୟବହୃତ ଔଷଧ ସବୁ ମଧ୍ୟ ଅନେକ ଶସ୍ତା । ଯନ୍ତ୍ରଣା ଉପଶମ ପାଇଁ opioids ସମେତ ଅତ୍ୟାବଶ୍ୟକୀୟ ଔଷଧ ଦେଶର ଯେକୌଣସି ସ୍ଥାନରେ ଶସ୍ତାରେ ମିଳିପାରେ । ଏହାର ଅର୍ଥ ହେଉଛି ଲୋକମାନେ ଯଦି ଏ ବାବଦରେ ସଚେତନ ହେବା ସହ ଅବଗତ ହୁଅନ୍ତେ ତେବେ ସେମାନେ ପାଲିଏଟିଭ କେୟାରର ଅଂଶୀଦାର ହୋଇ ଏକ ସମ୍ମାନ ଓ କଷ୍ଟବିହୀନ ଦୂରାରୋଗ୍ୟ ବ୍ୟାଧିରୁ ମୁକ୍ତି ପାଇବାର ମାର୍ଗ ପାଇପାରନ୍ତେ ।
ବିଶ୍ବ ସ୍ବାସ୍ଥ୍ୟ ପରିଷଦ (World Health Assembly) ୨୦୧୪ ମସିହାରେ ବିଶ୍ଵ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଗୋଟିଏ ନିଷ୍ପତ୍ତି ନେଲେ । ଯେଉଁଥିରେ ସେ କହିଲେ ଯେ- ପରିବର୍ତ୍ତନୀୟ ଜୀବନଚର୍ଯ୍ୟା ମଧ୍ୟରେ ଅନୁକମ୍ପାମୂଳକ ଯତ୍ନକୁ (Palliative Care) ମଜବୁତ୍ କରାଯିବା ଦରକାର । ଦଶ ବର୍ଷ ବିତିଗଲାଣି, ଆଜିର ସମାଜରେ ସ୍ବାସ୍ଥ୍ୟନୀତି ନିର୍ମାତା, ସ୍ବାସ୍ଥ୍ୟ ଅର୍ଥନୀତିଜ୍ଞ ଏବଂ ଡାକ୍ତରଖାନା ସହ ଜଡ଼ିତ କର୍ମକର୍ତ୍ତାମାନେ ରୋଗୀମାନଙ୍କ ଜୀବନର ବହି ପଢିବା ଦରକାର, ସେମାନଙ୍କୁ ଶୁଣିବା ଦରକାର। ଏହି ଉପଶମ ମୂଳକ ଚିକିତ୍ସା ବ୍ୟକ୍ତିକୈନ୍ଦ୍ରୀକ, ଏହି ସେବା ପାଇବାରେ ରୋଗୀର ପରିବାର ଲୋକ ମଧ୍ଯ ଅନ୍ତର୍ଭୁକ୍ତ । ଯଦି ଆମ ସମାଜ ଏହି ଉପଶମ ମୂଳକ ଚିକିତ୍ସା ବିଷୟରେ ସବିଶେଷ ଅବଗତ ନହେବ, ସେଥିପ୍ରତି ସଚେତନ ନହେବ ତାହାଲେ ଆମ ସମାଜ ଏହି ସୁନ୍ଦର ଚିକିତ୍ସା ପଦ୍ଧତିର ଲାଭ କେବେ ବି ଉଠାଇ ପାରିବ ନାହିଁ।
ଯଦିଓ ଏ ଦୁନିଆରେ ଅନେକ ଯନ୍ତ୍ରଣା-ଯାତନା ରହିଛି ତେବେ ଏଥିରୁ ମୁକୁଳିବାର ଉପାୟ ଆଉ ପନ୍ଥା ମଧ୍ୟ ଏହି ଦୁନିଆରେ ହିଁ ରହିଛି- Helen Keller
ଲେଖକ: ବିଧୁ କେ ମହାନ୍ତି- କର୍କଟ ରୋଗ ବିଶେଷଜ୍ଞ, ପୂର୍ବତନ ପ୍ରାଧ୍ୟାପକ ,AIIMS ଦିଲ୍ଲୀ…ବର୍ତ୍ତମାନ ବାଗଚୀ ଶ୍ରୀ ଶଙ୍କର କର୍କଟ ରୋଗ ଏବଂ ଗବେଷଣା କେନ୍ଦ୍ର- ଇନ୍ଫୋଭ୍ୟାଲି, ଭୁବନେଶ୍ୱରର ନିର୍ଦ୍ଦେଶକ, ଅମୃତଧାରା ପାଲିଏଟିଭ କେୟାର ଅନୁଷ୍ଠାନର ପରାମର୍ଶଦାତା ରୂପେ କାର୍ଯ୍ୟରତ।
ସହଯୋଗ- ମାମି, ସୁମିତା, ନମ୍ରତା