ରୁକ୍ମିଣୀଙ୍କ ପ୍ରେମପତ୍ର

‘ଭାଗବତ’ର ଗୋଟିଏ ରୋଚକ ଉପାଖ୍ୟାନ ହେଉଛି ରୁକ୍ମିଣୀ ହରଣ। ଭୀଷ୍ମକଙ୍କ କନ୍ୟା ତଥା ବିଦର୍ଭ ରାଜକୁମାରୀ ରୁକ୍ମିଣୀଙ୍କୁ ଅପହରଣ କରିଆଣି ଶ୍ରୀକୃଷ୍ଣ ବିବାହ କରିଥିଲେ। ସେହି ତିଥିଟି ହେଉଛି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ। ତାହା ବିଷ୍ଣୁମନ୍ଦିରଗୁଡ଼ିକରେ ଏକ ଉତ୍ସବର ଦିନ।
ରାଜା ପରିକ୍ଷିତ ତାହା ଶୁଣିବାକୁ ଇଚ୍ଛା କରିବାରୁ ଶୁକଦେବ ସେହି ଉପାଖ୍ୟାନର ବର୍ଣ୍ଣନା ତାଙ୍କ ଆଗରେ କରିଛନ୍ତି।

ଶ୍ରୀକୃଷ୍ଣଙ୍କର ରୂପ, ଗୁଣ, ବୀର୍ଯ୍ୟ ଓ ଐଶ୍ୱର୍ଯ୍ୟର ପ୍ରଶଂସା ଶୁଣି ରୁକ୍ମିଣୀ ତାଙ୍କୁ ନିଜର ଯୋଗ୍ୟ ପତି ବୋଲି ମନେ କରୁଥିଲେ। ସେହିପରି ଶ୍ରୀକୃଷ୍ଣ ମଧ୍ୟ ରୁକ୍ମିଣୀଙ୍କର ବୁଦ୍ଧି, ଲକ୍ଷଣ, ଉଦାରତା, ରୂପ, ଶୀଳ ଓ ଗୁଣ ବିଷୟ ଶୁଣି ତାଙ୍କୁ ନିଜର ଯୋଗ୍ୟ ପତ୍ନୀ ବୋଲି ମନେ କରୁଥିଲେ। କିନ୍ତୁ ଭୀଷ୍ମକଙ୍କର ଜ୍ୟେଷ୍ଠ ପୁତ୍ର ରୁକ୍ମୀ ଥିଲେ କୃଷ୍ଣଦ୍ୱେଷୀ। ସେ ଚେଦିରାଜ ଶିଶୁପାଳଙ୍କ ସହିତ ରୁକ୍ମିଣୀଙ୍କର ବିବାହ ସ୍ଥିର କଲେ। ତାହା ଜାଣି ରୁକ୍ମିଣୀ ଜଣେ ବିଶ୍ୱସ୍ତ ବ୍ରାହ୍ମଣଙ୍କଦ୍ୱାରା ଶ୍ରୀକୃଷ୍ଣଙ୍କ ନିକଟକୁ ଯେଉଁ ସନ୍ଦେଶ ପଠାଇଥିଲେ, ତାହା ରୁକ୍ମିଣୀଙ୍କ ପ୍ରେମପତ୍ର ଭାବରେ ବିଖ୍ୟାତ।

ନିଜର ସେହି ସନ୍ଦେଶରେ ରୁକ୍ମିଣୀ କହିଥିଲେ- ହେ ପ୍ରିୟ! ହେ ଭୁବନସୁନ୍ଦର! ତୁମର ଯେଉଁ ଗୁଣାବଳୀ ଶ୍ରୋତାଙ୍କ କାନରେ ପ୍ରବେଶ କଲେ ମନର ସନ୍ତାପ ଦୂର ହୁଏ, ତୁମର ଯେଉଁ ରୂପକୁ ଦେଖିଲେ ଚକ୍ଷୁକୁ ସମସ୍ତ ସାର୍ଥକତା ମିଳିଯାଏ- ସେହି ରୂପ ଓ ଗୁଣ କଥା ଶୁଣି ମୋର ଚିତ୍ତରୁ ସମସ୍ତ ଲଜ୍ଜା ଅପସରି ଯାଇଛି ଏବଂ ଚିତ୍ତ ତୁମଠାରେ ଲାଗିରହିଛି। ହେ ପ୍ରିୟତମ! ମୁଁ ତୁମକୁ ପତିରୂପେ ବରଣ କରି ସାରିଛି। ନିଜକୁ ତୁମଠାରେ ସମର୍ପଣ କରିଛି। ଏଣୁ ହେ ବିଭୁ! ତୁମେ ତୁରନ୍ତ ଆସି ମୋତେ ନେଇଯାଅ। ଯଦି ମୁଁ (ଜନ୍ମଜନ୍ମାନ୍ତରେ) କୂପ, ପୁଷ୍କରିଣୀ ଖନନ ଆଦି ପୂର୍ତ୍ତକର୍ମ, ଯଜ୍ଞ ଆଦି ଇଷ୍ଟକର୍ମ, ଦାନ, ତୀର୍ଥାଟନ ଆଦି ନିୟମ, କୃଚ୍ଛ୍ର ଆଦି ବ୍ରତ ତଥା ଦେବ, ବ୍ରାହ୍ମଣ ଓ ଗୁରୁଙ୍କର ସେବା ଦ୍ୱାରା ଭଗବାନଙ୍କୁ ଯଥେଷ୍ଟ ଆରାଧନା କରିଥାଏ, ତେବେ ଭଗବାନ ଶ୍ରୀକୃଷ୍ଣ ଆସି ମୋର ପାଣି ଗ୍ରହଣ କରନ୍ତୁ। ଦମଘୋଷ ପୁତ୍ର ଶିଶୁପାଳ ମୋତେ ସ୍ପର୍ଶ ନକରୁ। ତୁମର ଅନୁଗ୍ରହ ଲାଭ ନକଲେ ମୁଁ ପ୍ରାଣତ୍ୟାଗ କରିବି। ଶହଶହ ଜନ୍ମ ଧରି, ଯେ ପର୍ଯ୍ୟନ୍ତ ତୁମର ଅନୁଗ୍ରହ ନମିଳିଛି, ସେ ପର୍ଯ୍ୟନ୍ତ ବାରମ୍ବାର ଉପବାସ ଆଦି ବ୍ରତ ଦ୍ୱାରା ଶରୀରକୁ କ୍ଷୀଣ କରି ମୁଁ ପ୍ରାଣ ବିସର୍ଜନ କରୁଥିବି।

ଏହା ସୂଚାଏ, ଯେ ରୁକ୍ମିଣୀଙ୍କର ସେହି ସନ୍ଦେଶ କେବଳ ଏକ ସାଧାରଣ ପ୍ରେମ ନିବେଦନ ନଥିଲା; ତାହା ଥିଲା ଏକନିଷ୍ଠ ଆତ୍ମସମର୍ପଣ- ଯାହା ଭକ୍ତକୁ ଭଗବାନଙ୍କ ସହିତ ଯୋଡ଼େ। ତାହା ଭକ୍ତର ମନୋବାଞ୍ଛା ପୂରଣ କରିବାପାଇଁ ଭଗବାନଙ୍କୁ ବାଧ୍ୟ କରିଥାଏ।

ସମ୍ବନ୍ଧିତ ଖବର