କଥାରେ ଅଛି, ଯେ ଦେଶେ ଯାଇ ସେ ଫଳ ଖାଇ। ଯେଉଁ ଦେଶ ଯିବ ସେଠିକାର ଖାଦ୍ୟ ସଂସ୍କୃତିକୁ ଆପଣାଇବାକୁ ପଡ଼ିବ। କିନ୍ତୁ ଆଜିକା ସମୟରେ ଏହି କଥା ପୁରୁଣାକାଳିଆ ମନେ ହେଉଛି। ବିବିଧତା ଓ ଭିନ୍ନତାର ସ୍ବତନ୍ତ୍ରତାରୁ ଭାରତୀୟଙ୍କ ହାଣ୍ଡିଶାଳ ବାଦ ପଡ଼ିବ ବା କେମିତି? ଏଣୁ ପ୍ରତ୍ୟେକଙ୍କ ହାଣ୍ଡିଶାଳରେ ଏବେ ଓଡ଼ିଆ, ବଙ୍ଗାଳୀ, ଗୁଜରାଟୀ, ରାଜସ୍ଥାନୀ ବା ଦକ୍ଷିଣୀ ରାଜ୍ୟମାନଙ୍କ ଖାଦ୍ୟର ଛୁଙ୍କ ପଡ଼ୁଥିବା ବେଳେ ତା’ ସହ ଚାଇନିଜ୍‌, ଥାଇ, ଇଟାଲିଅନ୍‌, କୋରିଅନ୍‌ ଆଦି ଦେଶ ବିଦେଶର ଖାଦ୍ୟର ମହକରେ ମହକିତ ହେଉଛି ଭାରତୀୟଙ୍କ ରୋଷଶାଳା। ଆଜିର ସ୍ବାସ୍ଥ୍ୟ ସଚେତନ ଅନେକ ମଣିଷ ବାହାରେ ହୋଟେଲ କିମ୍ବା ଠେଲାରେ ଖାଇବା ଅପେକ୍ଷା ଘର ରନ୍ଧା ଖାଇବା ଅଧିକ ପସନ୍ଦ କରୁଛନ୍ତି। ତେବେ ଘର ରନ୍ଧାରେ ଅଧିକ କିଛି ବିକଳ୍ପ ମିଳୁନଥିବା ବେଳେ ସମସ୍ତେ ବାଧ୍ୟ ହୋଇ ବାହାରେ ଖାଇବାକୁ ଗୋଡ଼ କାଢ଼ୁଛନ୍ତି। ହେଲେ ଏହାର ଏକ ସମାଧାନ ସୂତ୍ର ନେଇ ଆସିଛନ୍ତି ହୋଟେଲ ମ୍ୟାନେଜମେଣ୍ଟ୍‌ ସ୍ନାତକ ଡିଗ୍ରିଧାରୀ ରୁପାଲି ମହାନ୍ତି। ସୁନ୍ଦର, ଆକର୍ଷଣୀୟ ଓ ଲୋଭନୀୟ ଖାଦ୍ୟର ଫଟୋ ଚିତ୍ର ସହ ଭଳିକି ଭଳି ବ୍ୟଞ୍ଜନର ପ୍ରସ୍ତୁତି ପ୍ରଣାଳୀ ବିସ୍ତୃତ ଭାବେ ବର୍ଣ୍ଣନା କରି ସେ, ରୋଷେଇ କରିବାକୁ ପସନ୍ଦ କରୁଥିବା ଭାରତୀୟଙ୍କୁ ଏକ ଅନନ୍ୟ ଉପହାର ଦେଇଛନ୍ତି। ତାଙ୍କ ରୋଷେଇ ପୁସ୍ତକ ‘ସର୍ଭିଂସ୍‌: ସିମ୍ପଲ୍‌ ୟେଟ୍‌ ଏକ୍‌ଜୋଟିକ୍‌’ରେ ସେ ୨୪୫ଟି ବ୍ୟଞ୍ଜନର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି।

Advertisment

publive-image

ଭୁବନେଶ୍ବର ମଡର୍ଣ୍ଣ ବୁକ୍ ଡିପୋରେ ମଧ୍ୟ ବହି ଉପଲବ୍‌ଧ

‘ସର୍ଭିଂସ୍‌: ସିମ୍ପଲ୍‌ ୟେଟ୍‌ ଏଜୋଟିକ୍‌’ ଏମିତି ଏକ ରୋଷେଇ ପୁସ୍ତକ ଯାହାକୁ ଦେଖିଲେ ହିଁ ପାଠକଙ୍କ ଜିଭ ଲାଳାୟିତ ହେବ। ରୋଷେଇ ଅନେକଙ୍କୁ ଏକ ବିରକ୍ତିକର ଓ ଆକର୍ଷଣହୀନ କାର୍ଯ୍ୟ ଲାଗୁଥିବା ବେଳେ ଏହି ପୁସ୍ତକ ପାଠକକୁ ହାଣ୍ଡିଶାଳକୁ ଆପେ ଟାଣିନେବ। ଶ୍ରୀମତୀ ମହାନ୍ତି କହିଛନ୍ତି, ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ଏହାର ରଙ୍ଗ, ଫ୍ଲେଭର୍‌, ଟେକ୍ଚର୍‌ ଓ ଗାଢ଼ପଣରେ ଏକ ସନ୍ତୁଳନ ରହିବା ଉଚିତ। ଏକ ପୁ‌ଷ୍ଟିକର ଓ ରୁଚିକର ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ଏ ସବୁ ମଧ୍ୟରେ ତାଳମେଳ ଜରୁରି ବୋଲି ଶ୍ରୀମତୀ ମହାନ୍ତି କହିଛନ୍ତି। ତେବେ ସେ କହିଛନ୍ତି, ଦିନେ ନୌସେନାର ଅଫିସର୍ସ ମେସ୍‌ରେ ଖାଉଥିବା ବେଳେ ସେଠାକାର ଭୋଜନରେ ବିଭିନ୍ନ ବ୍ୟଞ୍ଜନର ଉତ୍ତମ ସଂଯୋଗୀକରଣ ତାଙ୍କୁ ଖାଦ୍ୟ- ଖାଦ୍ୟ ମଧ୍ୟରେ ଉଚିତ ସମନ୍ବୟ ଓ ସନ୍ତୁଳନ ରକ୍ଷା ପ୍ରତି ଅଧିକ ପ୍ରେରଣା ଯୋଗାଇଥିଲା ବୋଲି ସେ କହିଛନ୍ତି।

publive-image

ଏହି ପୁସ୍ତକରେ ପ୍ରାତଃଭୋଜନଠାରୁ ଆରମ୍ଭ କରି କ୍ଷୁଧାବର୍ଦ୍ଧକ ଭୋଜନ, ଚା’ ପିଉଥିବା ସମୟର ଭୋଜନ ସହ ଓଡ଼ିଶା, କୋଲ୍‌କାତା, ହାଇଦ୍ରାବାଦୀ, ପାର୍ସୀ, ସିନ୍ଧି ଫ୍ଲେବର୍‌ ଖାଦ୍ୟ, ମୁଗ୍‌ଲାଇ ଦର୍‌ବାର୍‌, ଇଟାଲିଅନ୍‌, ଥାଇ, ଦାର୍ଜିଲିଂ ଓ ଲଣ୍ଡନ ଭଳି ବିଭିନ୍ନ ସ୍ଥାନର ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ଉପଲବ୍ଧ। ଏହି ପୁସ୍ତକରେ ଶ୍ରୀମତୀ ମହାନ୍ତି ପୁଷ୍ଟିକର ତଥା ରୁଚିକର ଖାଦ୍ୟର ଏକ ସନ୍ତୁଳିତ ସ୍ବାଦ ଦେବା ପାଇଁ ସ୍ବତନ୍ତ୍ର ମେନ୍ୟୁ ପ୍ଲାନ୍‌ ମଧ୍ୟ ପ୍ରସ୍ତାବିତ କରିଛନ୍ତି।

୪୯୬ ପୃଷ୍ଟା ବିଶିଷ୍ଟ ଏହି ପୁସ୍ତକରେ ଉଭୟ ଆମିଷ ଓ ନିରାମିଷ ଅନେକ ଦେଶୀ ବ୍ୟଞ୍ଜନର ସଚିତ୍ର ପ୍ରସ୍ତୁତି ଶୈଳୀ ବର୍ଣ୍ଣନା ହୋଇଛି। ଆହୁରି ମଧ୍ୟ, ପିଠାପଣା ଭଳି ବିଭିନ୍ନ ପାରମ୍ପରିକ ଖାଦ୍ୟକୁ ନିଆରା ନାଁରେ ଉପସ୍ଥାପିତ କରାଯାଇଛି। ବଡ଼ କଥା ହେଲା, ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଉତ୍ପାଦିତ ଓ ସହଜରେ ଉପଲବ୍‌ଧ ବିଭିନ୍ନ ଉପାଦାନରୁ ପ୍ରସ୍ତୁତ ହେଉଥିବା ବ୍ୟଞ୍ଜନକୁ ଗୁରୁତ୍ବ ଦିଆଯାଇଛି। ପୁସ୍ତକଟି ବେଶ୍ ଓଜନିଆ ଓ ପାଖାପାଖି ୫୦୦ ପୃଷ୍ଠା ବିଶିଷ୍ଟ ହୋଇଥିଲେ ମଧ୍ୟ ଜଣେ ଏହାକୁ ଦେଖି ବିରକ୍ତ ହେବ ନାହିଁ। ବରଂ ଖାଦ୍ୟର ଲୋଭନୀୟ ଫଟୋ ସବୁ ପାଠକଙ୍କୁ ପୃଷ୍ଠା ପରେ ପୃଷ୍ଠା ଓଲଟାଇବାକୁ ବାଧ୍ୟ କରିବ। ଏଥିସହ ରୋଷେଇ କରିବାକୁ ପସନ୍ଦ କରୁଥିବା ବନ୍ଧୁଙ୍କୁ ଏହି ପୁସ୍ତକ ଉପହାର ଦେବା ପାଇଁ ଏହା ଏକ ଶ୍ରେଷ୍ଠ ବିକଳ୍ପ ମଧ୍ୟ ହୋଇପାରେ। ଏଥିସହ ଏକ କ୍ଲାନ୍ତ ଅପରାହ୍ନରେ ରୋଷେଇ କରିବାକୁ ଇଚ୍ଛା ନଥିବା ଗୃହକର୍ତାଙ୍କୁ ଏହି ପୁସ୍ତକ ସହଜ, ସରଳ ଓ କମ୍‌ ସାମଗ୍ରୀରେ ଭଲ ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ବୋଲି ଶ୍ରୀମତୀ ମହାନ୍ତି ଆଶା ପ୍ରକାଶ କରିଛନ୍ତି।

publive-image

ଲକ୍‌ଡାଉନ୍‌ର ଖାଲି ଓ ନକରାତ୍ମକ ଦିନଗୁଡ଼ିକରେ ନିଜ ମା’, ସାଙ୍ଗ, ପାଖ‌ପଡ଼ୋଶୀ, ନିଜ ଘରର ଘରୋଇ ସହାୟିକା ଓ ବିଭିନ୍ନ ସ୍ଥାନ ବୁଲି ଯାଇଥିବା ବେଳେ ସେଠାରେ ଖାଉଥିବା ଖାଦ୍ୟ ଆଦିକୁ ନେଇ ବିଭିନ୍ନ ପରୀକ୍ଷଣରୁ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନକୁ ନେଇ ଏହି ପୁସ୍ତକର ସମସ୍ତ ଖାଦ୍ୟ ପ୍ରଣାଳୀ ବର୍ଣ୍ଣିତ ବୋଲି ସେ କହିଛନ୍ତି। ପୁସ୍ତକର ସମସ୍ତ ଫଟୋଗ୍ରାଫି ନିଜେ ଶ୍ରୀମତୀ ମହାନ୍ତି ଉଠାଇଥିବା ବେଳେ amazon.inରେ ଉପଲବ୍‌ଧ ଏହି ପୁସ୍ତକଟି ରୁପା ପବ୍ଲିକେସନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ପ୍ରକାଶିତ।