ସହସ୍ର କୁମ୍ଭାଭିଷେକ

ସମଗ୍ର ଭାରତରେ ଆଶ୍ୱିନ ମାସରେ ଦେବୀ ଦୁର୍ଗାଙ୍କର ପୂଜା ମହା ସମାରୋହରେ ଅନୁଷ୍ଠିତ ହୁଏ। କଥିତ ଅଛି, ଏହି ସମୟରେ ଦେବୀ ଧରାବତରଣ କରିଥାନ୍ତି। ଏହି ପାର୍ବଣ ଋତୁର ଅୟମାରମ୍ଭ ହୋଇଥାଏ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ତିଥିରୁ। ଏହାର ଅନ୍ୟ ନାମ ମୂଳାଷ୍ଟମୀ ବା ପ୍ରାରମ୍ଭ ତିଥି। ଏହିଦିନ ଦେବୀ ପୀଠମାନଙ୍କରେ କୁମ୍ଭାଭିଷେକ କାର୍ଯ୍ୟ ସଂପନ୍ନ ହୁଏ।

ଭାରତୀୟ ପୂଜା ପଦ୍ଧତିରେ ଯେ କୌଣସି ପୂଜନପ୍ରକ୍ରିୟାର ପ୍ରାରମ୍ଭରେ ଘଟ, କୁମ୍ଭ ବା କଳସ ସ୍ଥାପନ ଏକ ଚିରାଚରିତ ପ୍ରକ୍ରିୟା। ବେଦ ଅନୁସାରେ, କଳସର ମୁଖରେ ରୁଦ୍ର, କଣ୍ଠରେ ବିଷ୍ଣୁ, ଅଧୋଭାଗରେ ବ୍ରହ୍ମା, ମଧ୍ୟସ୍ଥାନରେ ମାତୃଗଣ ଏବଂ ଉଦର ମଧ୍ୟରେ ସପ୍ତସାଗର, ସପ୍ତ ଦ୍ୱୀପ ଓ ସମସ୍ତ ତୀର୍ଥ ନିବାସ କରିଥାନ୍ତି। ଏଣୁ କଳସର ଜଳ ଅତ୍ୟନ୍ତ ଶୁଭ, ପବିତ୍ର ଓ ଅମୃତତୁଲ୍ୟ।

‘ସହସ୍ର କୁମ୍ଭାଭିଷେକ’ର ଅର୍ଥ ସହସ୍ରକୁମ୍ଭ ଜଳରେ ଦେବୀଙ୍କୁ ସ୍ନାନ କରାଇବା। ବିଲ୍ୱବରଣ ମାଧ୍ୟମରେ ଦେବୀଙ୍କୁ ପୀଠସ୍ଥାନକୁ ବରଣ କରି ଅଣାଯାଏ। ପରେ ଅର୍ଚ୍ଚକ ଦେବୀଙ୍କର ପ୍ରସାଧନ ନିମିତ୍ତ ସମସ୍ତ ସାମଗ୍ରୀ- ଯଥା ଗନ୍ଧ, ପୁଷ୍ପ, ଶିଳା, ଧାନ୍ୟ, ଦୂର୍ବା, ଅକ୍ଷତ, ଫଳ, ଦଧି, ଦୁଗ୍ଧ, ଘୃତ, ସ୍ୱସ୍ତିକ, ସିନ୍ଦୂର, ଶଙ୍ଖ, କଜ୍ୱଳ, ଗୋରଚନା, କାଞ୍ଚନ, ରୌପ୍ୟ, ତାମ୍ର, ଚାମର, ଦର୍ପଣ, ଦୀପ, ପାତ୍ର, ହରିଦ୍ରା, ଚନ୍ଦନ, କର୍ପୂର, ପଞ୍ଚଶସ୍ୟ, ଶ୍ରୀଫଳ, ଦାଡ଼ିମ ଆଦି ଅଧିବାସ ଗୃହରେ ସଂଚିତ କରି ରଖନ୍ତି। ତାପରେ ସହସ୍ର କୁମ୍ଭ ସ୍ଥାପନ କରାଯାଇ ସେଥିରେ ଅବସ୍ଥାନ କରିବା ନିମିତ୍ତ ଗଣେଶ, ବରୁଣ, ପଞ୍ଚଦେବତା, ଅଷ୍ଟଦିଗପାଳ, ଗ୍ରାମଦେବତୀ, ମାତୃକାଗଣ ଆଦି ସମସ୍ତ ଦେବଦେବୀଙ୍କୁ ଆବାହନ କରାଯାଏ। ଭୋଗବତୀ, ମନ୍ଦାକିନୀ, ଗଙ୍ଗାଜଳ, ବୃଷ୍ଟିଜଳ, ସରସ୍ୱତୀ ଜଳ, ସମୁଦ୍ରଜଳ, ପଦ୍ମରେଣୁଯୁକ୍ତ ଜଳ, ନିର୍ଝର ଜଳ, ସମସ୍ତ ତୀର୍ଥର ଜଳ, ଚନ୍ଦନ ଜଳ, ସର୍ବୌଷଧି ଜଳ ଏବଂ ବେଶ୍ୟାଦ୍ୱାର ମୃତ୍ତିକା, ବୃଷଶୃଙ୍ଗ ମୃତ୍ତିକା, ନଦମୃତ୍ତିକା, ନଦୀର ଉଭୟ ପାର୍ଶ୍ବ ମୃତ୍ତିକା, ଗଙ୍ଗା ମୃତ୍ତିକା ଆଦି ଶତାଧିକ ସାମଗ୍ରୀରେ ସେହି କୁମ୍ଭମାନଙ୍କୁ ପରିପୂର୍ଣ୍ଣ କରି, ସୁଗନ୍ଧି, ତୈଳ, ହରିଦ୍ରା, ଚନ୍ଦନ, କର୍ପୂର ଆଦି ଦେବୀଙ୍କ ଶରୀରରେ ଲେପନକରି, ତାଙ୍କର ସ୍ନାନ କରାଯାଇଥାଏ। ସାଧାରଣତଃ ଯେଉଁଠାରେ ପୀଠଦେବୀ ପ୍ରସ୍ତର ନିର୍ମିତ, ତାଙ୍କ ଉପରେ ମନ୍ତ୍ରପୂତ ଜଳ ଢଳାଯାଉଥିବାବେଳେ, ମୃଣ୍ମୟୀ ପ୍ରତିମାଙ୍କର ଦର୍ପଣ-ସ୍ନାନ କରାଯାଇଥାଏ। ଏହା ଦେବୀଙ୍କର କୁମ୍ଭାଭିଷେକ; ଅର୍ଥାତ୍ ଶୁଦ୍ଧସ୍ନାନ।

ତୀର୍ଥସ୍ନାନ ପରେ ମନୁଷ୍ୟର ସମସ୍ତ ଅକର୍ମ ଯେପରି ବିଶୋଧିତ ହୋଇ ମନୁଷ୍ୟ ଶୁଦ୍ଧାତ୍ମାରେ ପରିଣତ ହୋଇଥାଏ, ଠିକ୍ ସେହିପରି ମୃତ୍ତିକାଦି ଜଡ଼ବସ୍ତୁରେ ନିର୍ମିତ ଦେବୀଙ୍କର ପ୍ରତିମା, ଅଭିଷେକ ବା ଶୁଦ୍ଧସ୍ନାନ ପରେ, ମୃଣ୍ମୟୀରୁ ଚିନ୍ମୟୀରେ ପରିଣତ ହୋଇଥାନ୍ତି।

ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର