ଓଡ଼ିଶାର ସାଧୁସନ୍ଥଙ୍କ ମଧ୍ୟରେ ଅରକ୍ଷିତ ଦାସ ପ୍ରସିଦ୍ଧ। ତାଙ୍କର ପୂର୍ବପୁରୁଷ ଥିଲେ ଗଙ୍ଗବଂଶୀ ଏବଂ ତାଙ୍କର ପିତା ମଣି ଦେବ ମଧ୍ୟ ରାଜା ହୋଇ ରାଜ୍ୟଶାସନ କରିଥିଲେ। କିନ୍ତୁ ରାଜବଂଶରେ ଜାତ ହୋଇ ମଧ୍ୟ, ବାଲ୍ୟକାଳରୁ ସେ ସନ୍ନ୍ୟାସ ପ୍ରତି ଅନୁରକ୍ତ ରହି ୧୭ ବର୍ଷ ବୟସରେ ଗୃହତ୍ୟାଗ କଲେ। ପ୍ରଥମେ ଗଞ୍ଜାମର କେରାଣ୍ଡିମାଳ ଏବଂ ପରେ ଓଡ଼ିଶାର ବିଭିନ୍ନ ପର୍ବତ, ଗୁମ୍ଫା ଓ ତୀର୍ଥ ସ୍ଥାନ ଆଦି ଭ୍ରମଣ କରି, ଦୀର୍ଘ ପ୍ରାୟ ୩୫ ବର୍ଷ ସାଧନା କଲେ। ପରିଶେଷରେ ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଓଳାଶୁଣୀ ପର୍ବତର ଶିଖରରେ ସାଧନାରତ ରହି, ସେହିଠାରେ ୧୮୩୭ ମସିହାରେ ମହାସମାଧି ଲାଭ କରିଥିଲେ।

Advertisment

ନିଜର ଜୀବନବ୍ୟାପୀ ସାଧନା ଓ ଅନୁଭବର ଆଧାରରେ ସନ୍ଥ ଅରକ୍ଷିତ ଦାସ ରଚନା କରିଛନ୍ତି ‘ମହୀମଣ୍ଡଳ ଗୀତା’। ଏହାକୁ ଓଡ଼ିଆ ଭାଷା ସାହିତ୍ୟର ପ୍ରଥମ ଆତ୍ମଜୀବନୀମୂଳକ ଗ୍ରନ୍ଥର ମାନ୍ୟତା ଦିଆଯାଏ। ଓଡ଼ିଶାର ସନ୍ଥ ସମାଜରେ ଏହାର ବିଶେଷ ଆଦୃତି ରହିଛି।

ସନ୍ଥ ଅରକ୍ଷିତ ଦାସ ମୂର୍ତ୍ତିପୂଜାରେ ବିଶ୍ୱାସୀ ନଥିଲେ। ତଥାପି ଶ୍ରୀଜଗନ୍ନାଥ, ମା’ କଟକଚଣ୍ଡୀ ଓ ମା’ ଶାରଳା ଆଦିଙ୍କୁ ସେ ଉଭୟ ସାକାର ଓ ନିରାକାର ରୂପରେ ଦେଖିଛନ୍ତି। ତାଙ୍କର ଉପଲବ୍‌ଧିରେ ଜୀବ ଓ ବ୍ରହ୍ମ ଏକ। ଉଭୟ ମଧ୍ୟରେ କୌଣସି ଭିନ୍ନତା ନାହିଁ। ତେଣୁ ‘ମହୀମଣ୍ଡଳ ଗୀତା’ରେ ସେ ସମସ୍ତଙ୍କୁ ସମାନ କରି ଦେଖିଛନ୍ତି। ତାହାର ୬୬ ଅଧ୍ୟାୟରେ କହିଛନ୍ତି, “ଏ ସମସ୍ତେ ଛପନାକୋଟି ଜୀବ, ଶୁଣହୋ ମନ, ଯେ ଏ ସର୍ବକୁ ସମାନ କରି ମଣଇ, କୀଟରୁ ବ୍ରହ୍ମ ପର୍ଯ୍ୟନ୍ତ ବ୍ରହ୍ମ ବୋଲି ମଣଇ, ଏମନ୍ତ ଲୋକକୁ ବ୍ରହ୍ମଭକ୍ତ ବୋଲି ଜାଣିବ।”

ଏଣୁ ସନ୍ଥ ଅରକ୍ଷିତ ଦାସ ଥିଲେ ନିରାକାର ବ୍ରହ୍ମଙ୍କର ଉପାସକ। ତାଙ୍କର ବ୍ରହ୍ମଲୀନ ହେବାର ତିଥି ମାଘ କୃଷ୍ଣ ଏକାଦଶୀ। ତାହାରି ପବିତ୍ର ସ୍ମୃତିରେ ଶତାଧିକ ବର୍ଷ ଧରି ଓଳାଶୁଣୀଠାରେ ଅନୁଷ୍ଠିତ ହେଇ ଆସୁଛି ଓଳାଶୁଣୀ ଗୁମ୍ଫା ଯାତ୍ରା। ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ସମବେତ ହୋଇ, ସେଠାର ଗୁମ୍ଫାରେ ଥିବା ସନ୍ଥ ଅରକ୍ଷିତ ଦାସଙ୍କ ପବିତ୍ର ସମାଧି ପରିଦର୍ଶନ କରିଥାନ୍ତି।

ଶୁଭେନ୍ଦୁ କୁମାର ଭୂୟାଁ