ଶ୍ରୀଜଗନ୍ନାଥ ମନ୍ଦିରରେ, ଆଶ୍ୱିନ ମାସରେ, ମା’ ବିମଳାଙ୍କର ଯେଉଁ ଷୋଡ଼ଶଦିନ ବ୍ୟାପୀ ଶାରଦୀୟ ପୂଜା ଅନୁଷ୍ଠିତ ହୋଇଥାଏ, ତାହା ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର। ‘ଶରତ ଗୁଣ୍ଡିଚା’ ବା ‘ଶାକ୍ତ ଗୁଣ୍ଡିଚା’ ଭାବରେ ଏହା ଆଖ୍ୟାୟିତ। ଏହାର ସ୍ବତନ୍ତ୍ରତା ହେଉଛି- ଦେବୀ ବିମଳାଙ୍କର ପ୍ରତିନିଧି ଦୁର୍ଗା ଓ ଶ୍ରୀଜଗନ୍ନାଥଙ୍କର ପ୍ରତିନିଧି ଶ୍ରୀମାଧବ ବା ଶ୍ରୀବାଳପୁରୁଷୋତ୍ତମଙ୍କୁ ଏଥିରେ ଏକତ୍ର ପୂଜା କରାଯାଏ। ଏହା ‘ଦୁର୍ଗା-ମାଧବ-ଉପାସନା’ ଭାବରେ ପ୍ରସିଦ୍ଧ। ଶ୍ରୀମନ୍ଦିର ବ୍ୟତୀତ, କେବଳ ନିଆଳିର ମାଧବ ମନ୍ଦିରରେ ଏପରି ପୂଜାର ପରମ୍ପରା ଅଛି। ଓଡ଼ିଶାରେ ବା ଭାରତବର୍ଷରେ ଅନ୍ୟ କେଉଁଠାରେ ଏହି ପୂଜା ନାହିଁ।

Advertisment

ଏହି ଶାରଦୀୟ ଦୁର୍ଗାପୂଜା ଶ୍ରୀଜଗନ୍ନାଥରୂପୀ ମାଧବ ଓ ମା’ ବିମଳାରୂପୀ ଦୁର୍ଗାଙ୍କ ମଧ୍ୟରେ ଥିବା ଘନିଷ୍ଠ ସଂପର୍କର ଦ୍ୟୋତକ। ଗୋଟିଏ ସଂସ୍କୃତ ଶ୍ଳୋକରେ ଏ ସଂପର୍କରେ କୁହାଯାଇଛି- ଦେବୀଦୁର୍ଗା ବିଘ୍ନବିନାଶିନୀ ଏବଂ ଶ୍ରୀମାଧବ ସର୍ବଶୁଭପ୍ରଦାୟକ। ଏ ଦୃଷ୍ଟିରୁ ଏହି ପୂଜା ମହତ୍ତ୍ୱପୂର୍ଣ୍ଣ। ଏଇଥିପାଇଁ ମଧ୍ୟ, ଗୃହପ୍ରତିଷ୍ଠା ଆଦି ମାଙ୍ଗଳିକ କାର୍ଯ୍ୟରେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ସହିତ ‘ଦୁର୍ଗାମାଧବ’ଙ୍କୁ ପୂଜା କରାଯାଇଥାଏ।

ଏହାର ନାମ ‘ଶରତ ଗୁଣ୍ଡିଚା’ ବା ‘ଶାକ୍ତ ଗୁଣ୍ଡିଚା’ ହେବାର ବିଶେଷ କାରଣ ମଧ୍ୟ ରହିଛି। ଏହି କାରଣଟି ହେଉଛି- ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଷୋଡ଼ଶ ଦିନ ବ୍ୟାପୀ ହେଉଥିବା ଏହି ପୂଜାର ପ୍ରଥମ ଆଠଦିନ ରତ୍ନସିଂହାସନରେ ପୂଜିତ ଶ୍ରୀମାଧବ ଓ ଭଣ୍ଡାର ଘରେ ଥିବା ଦୁର୍ଗା ବିମଳା ମନ୍ଦିରର ଏକ ଖଟ ଉପରେ ଏକତ୍ର ବିଜେ ହୁଅନ୍ତି। କିନ୍ତୁ ପରବର୍ତ୍ତୀ ଆଠଦିନ ଏକ ସୁସଜ୍ଜିତ ରଥାକୃତି ବିମାନରେ ସେମାନେ ଯାଇ ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରରେ ବିଜେ ହୁଅନ୍ତି। ସେଠାରେ ପୂଜାର୍ଚ୍ଚନା ପରେ ପୁଣି ଶ୍ରୀମନ୍ଦିରକୁ ଫେରି ଆସନ୍ତି। ଏହିପରି ଆଠଦିନ ଚାଲେ। ଏ ଦୃଷ୍ଟିରୁ ନାରାୟଣୀ ମନ୍ଦିରକୁ ‘ଆଶ୍ୱିନ ଗୁଣ୍ଡିଚା ମଣ୍ଡପ’ ଏବଂ ଏହି ପୂଜା ବା ପର୍ବକୁ ‘ଆଶ୍ୱିନ ଗୁଣ୍ଡିଚା’ ବା ‘ଶାକ୍ତ ଗୁଣ୍ଡିଚା’ କୁହାଯାଏ।

ଦୁର୍ଗାମାଧବଙ୍କର ଏହି ରଥର ପଶ୍ଚାତ୍ ଗତି ନାହିଁ। ତେଣୁ, ଦୁର୍ଗାମାଧବ ରଥାକୃତି ବିମାନରେ ଶ୍ରୀମନ୍ଦିରରୁ ନାରାୟଣୀ ମନ୍ଦିରକୁ ବିଜେ ହେଉଥିବା ବେଳେ, ଫେରିବା ସମୟରେ ଶ୍ରୀମନ୍ଦିରକୁ ସେହି ବିମାନରେ ନଫେରି ପାଲିଙ୍କିରେ ଫେରିଥାଆନ୍ତି।
ଏଣୁ ଏହି ରଥାକୃତି ବିମାନର ଅନ୍ୟନାମ ‘ବିଜୟା ରଥ’।