ସଂକଟ ଚତୁର୍ଥୀରେ ଗଣେଶଙ୍କୁ ପୂଜା କଲେ କଟିଯାଏ ଶନିଦଶା

ସାଧାରଣତଃ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ତିଥିକୁ ଶ୍ରୀଗଣେଶଙ୍କ ଜନ୍ମଦିନ ଭାବରେ ସାରା ଭାରତରେ ପାଳନ କରାଯାଏ। କିନ୍ତୁ ମାଘ କୃଷ୍ଣପକ୍ଷ ଚତୁର୍ଥୀ ତିଥିକୁ ଶ୍ରୀଗଣନାଥଙ୍କ ‘ବିଘ୍ନ ବିନାଶକ’ ଚତୁର୍ଥୀ ତିଥି ଭାବରେ ପାଳନ କରାଯାଏ। ଏହାର ଏକ ସୁନ୍ଦର ଉପାଖ୍ୟାନ ‘ବ୍ରହ୍ମବୈବର୍ତ୍ତ ପୁରାଣ’ରେ ଦେଖାଯାଏ।

ଏକଦା ପାର୍ବତୀ ନିଜ ଶରୀରରୁ ହଳଦୀ ଓ ଚନ୍ଦନର ମଳୁକୁଟି କାଢ଼ିଲାବେଳେ ସେଥିରେ ଏକ ସୁନ୍ଦର ପ୍ରତିମା ନିର୍ମାଣ କରିଦେଲେ। ପ୍ରତିମାଟି ଏଡ଼େ ସୁନ୍ଦର ହୋଇଗଲା ଯେ ପାର୍ବତୀ ତାକୁ ଜୀବନ୍ୟାସ ଦେଇଦେଲେ। ଶିବ ଏଥିରେ ଅତ୍ୟନ୍ତ ଖୁସି ହୋଇ ତାଙ୍କର ନାମ ବିନାୟକ (ନାୟକ ବିନା) ରଖିଲେ।

ସେହି ଅଭୂତପୂର୍ବ ଶିଶୁଙ୍କୁ ଦର୍ଶନ କରିବା ନିମିତ୍ତ କୈଳାସକୁ ସମସ୍ତ ଦେବଦେବୀଙ୍କୁ ନିମନ୍ତ୍ରଣ କରାଗଲା। ସେହି ଉତ୍ସବକୁ ସୂର୍ଯ୍ୟପୁତ୍ର ଶନିଦେବ ମଧ୍ୟ ନିମନ୍ତ୍ରିତ ହୋଇ ଆସିଥାନ୍ତି। ସବୁ ଦେବଦେବୀ ଆନନ୍ଦଉତ୍ସବରେ ମାତିଥିବାବେଳେ, ଶନି ଗୋଟିଏ କୋଣରେ ଚୁପ୍‌ଚାପ୍ ହୋଇ ବସିଥିବା ଦେଖି ପାର୍ବତୀ ତାଙ୍କୁ ପୁତ୍ରର ମୁଖଦର୍ଶନ କରିବା ନିମିତ୍ତ ବାଧ୍ୟ କରି ନେଇଗଲେ। ଶନିଙ୍କ ଦୃଷ୍ଟି ପୁତ୍ରର ମୁଖରେ ପଡ଼ିବା ମାତ୍ରେ ସନ୍ତାନଟିର ମୁଖ ନଷ୍ଟ ହୋଇଗଲା।

ଏହା ଦେଖି ପାର୍ବତୀ ଦୁଃଖରେ ଭାଙ୍ଗିପଡ଼ି ଶନିଙ୍କୁ ଛୋଟା ହୋଇଯିବାକୁ ଅଭିଶାପ ଦେଲେ। କିନ୍ତୁ ଏହାଦ୍ୱାରା ଶିଶୁର ମସ୍ତକ ତ ଆଉ ମିଳିବନି। ବିଷ୍ଣୁ ଉପଦେଶ ଦେଲେ- ଉତ୍ତରକୁ ମୁଣ୍ଡ ରଖି ଶୟନ କରିଥିବା କୌଣସି ଜୀବର ମୁଣ୍ଡ ଯଦି ସଂଯୋଗ କରାଯାଏ ତେବେ ପୁତ୍ର ବଞ୍ଚିଯିବ। ସେଇଆ ହେଲା। ଏକ ହାତୀଛୁଆର ମୁଣ୍ଡ ବିନାୟକଙ୍କ ଶରୀରରେ ଯୋଡ଼ା ହେବାରୁ ସେ ନବ ଜନ୍ମ ପାଇଲେ। ଏଥିରେ କିନ୍ତୁ ପାର୍ବତୀ ସନ୍ତୁଷ୍ଟ ହେଲେ ନାହିଁ। ସେ କହିଲେ- ଶିଶୁକୁ ସେ ସେତିକିବେଳେ ଗ୍ରହଣ କରିବେ, ଯେତେବେଳେ ଏହି ଶିଶୁପୁତ୍ର ସର୍ବମାନ୍ୟ ପ୍ରଥମ ଦେବତା ବା ଅଗ୍ରପୂଜ୍ୟ ଭାବରେ ଗ୍ରହଣୀୟ ହେବେ। ପାର୍ବତୀଙ୍କ କଥା ଅନୁସାରେ ଗଣେଶ ହେଲେ ଅଗ୍ରପୂଜ୍ୟ ତଥା ସଂକଟ ହାରକ।

କଥିତ ଅଛି, କୌଣସି ମନୁଷ୍ୟକୁ ଯଦି ଶନିଦଶା ପଡ଼େ, ତେବେ ସେ ଗଣେଶଙ୍କୁ ପୂଜା କଲେ ଶନିଦଶା କଟିଯାଏ। ଏହି ହେତୁ ମା’ମାନେ ନିଜ ସନ୍ତାନମାନଙ୍କ ପାଇଁ ‘ସଂକଟ ଚତୁର୍ଥୀ’ ବ୍ରତ ଅତି ନିଷ୍ଠାର ସହିତ ଉପବାସ ରହି ପାଳନ କରିଥାନ୍ତି।

ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର