ସରସ୍ୱତୀ: ନଦୀ ଓ ଦେବୀ

ଆମର ଉପାସନା ଓ ଐତିହ୍ୟରେ ସରସ୍ୱତୀ ଉଭୟ ନଦୀ ଓ ଦେବୀ। ପୁଣି ଏ ନଦୀ ଓ ଦେବୀ ପରସ୍ପରଠାରୁ ଅଭିନ୍ନ।

ନଦୀ ଭାବରେ ସରସ୍ୱତୀ ଯେପରି ପବିତ୍ର, ଦେବୀ ଭାବରେ ସେ ସେପରି ଶୁଭ୍ର। ସାତଟି ପୂତସଲିଳା ନଦୀଙ୍କ ମଧ୍ୟରୁ ସେ ଅନ୍ୟତମା। ଅନ୍ୟ ଛଅ ନଦୀ ହେଉଛନ୍ତି- ଗଙ୍ଗା, ଯମୁନା, ଗୋଦାବରୀ, ନର୍ମଦା, ସିନ୍ଧୁ ଓ କାବେରୀ। ଯେ କୌଣସି ପୁଣ୍ୟ କାର୍ଯ୍ୟ କରିବା ସମୟରେ ଏହି ସାତ ନଦୀଙ୍କୁ ମନ୍ତ୍ରଦ୍ୱାରା ଆବାହନ କରାଯାଇଥାଏ।

ଦେବୀ ଭାବରେ ସରସ୍ୱତୀ କୁନ୍ଦ, ଇନ୍ଦୁ ଓ ତୁଷାର ପରି ଶୁଭ୍ର। ସେ ମରାଳବାହନା, ଶ୍ୱେତପଦ୍ମାସନା, ବୀଣା-ପୁସ୍ତକ ଧାରିଣୀ। ସେ ଭକ୍ତର ମୂର୍ଖତା ଓ ଜଡ଼ତା ନାଶ କରନ୍ତି ବୋଲି ବିଶ୍ୱାସ ରହିଛି।

‘ବ୍ରହ୍ମବୈବର୍ତ୍ତ ପୁରାଣ’ର ‘ଗଣେଶ ଖଣ୍ଡ’ରେ ସରସ୍ୱତୀଙ୍କ ସଂପର୍କରେ କୁହାଯାଇଛି, ସୃଷ୍ଟି କାଳରେ ଈଶ୍ୱରଙ୍କର ଇଚ୍ଛାରେ ପରମାଶକ୍ତି ପଞ୍ଚଧା ବିଭକ୍ତ ହେଲେ। ସେମାନଙ୍କ ମଧ୍ୟରୁ ସରସ୍ୱତୀ ଅନ୍ୟତମା। ଅନ୍ୟ ଚାରି ଶକ୍ତି ହେଉଛନ୍ତି- ରାଧା, ପଦ୍ମା, ସାବିତ୍ରୀ ଓ ଦୁର୍ଗା। ଏମାନଙ୍କ ମଧ୍ୟରୁ ସରସ୍ୱତୀ-ଶକ୍ତି ଶ୍ରୀକୃଷ୍ଣଙ୍କର କଣ୍ଠରୁ ଉଦ୍‌ଭୂତା ହୋଇଥିଲେ। ଶ୍ରୀକୃଷ୍ଣ ମଧ୍ୟ ସେହି ଶକ୍ତିଙ୍କୁ ପୂଜା କରିଥିଲେ। ମାଘ ଶୁକ୍ଳ ପଞ୍ଚମୀରେ ଦେବୀ ପ୍ରଥମେ ପୂଜିତା ହୋଇଥିବାରୁ ସେହି ତିଥିରେ ସରସ୍ୱତୀ ପୂଜା କରାଯାଏ।

ଏ ପ୍ରସଙ୍ଗରେ ଅନ୍ୟ ଉପାଖ୍ୟାନ ମଧ୍ୟ ଅଛି ଯେ ଶ୍ରୀକୃଷ୍ଣଙ୍କର କଣ୍ଠରୁ ଉଦ୍ଭୂତା ହୋଇଥିଲେ ମଧ୍ୟ, ସରସ୍ୱତୀ ଶ୍ରୀକୃଷ୍ଣଙ୍କୁ ପତି ରୂପେ ପାଇବା ପାଇଁ ଇଚ୍ଛା ପ୍ରକଟ କରିଥିଲେ। କିନ୍ତୁ ଶ୍ରୀକୃଷ୍ଣ ତାଙ୍କୁ କହିଥିଲେ- ତୁମେ ମୋର ‘ନାରାୟଣ’ ରୂପର ଉପାସନା କର। ଫଳରେ ଲକ୍ଷ୍ମୀଙ୍କ ପରି ସରସ୍ୱତୀ ମଧ୍ୟ ତାଙ୍କର ଶକ୍ତି ହେଲେ। ତେଣୁ ଶ୍ରୀମନ୍ଦିରର ରତ୍ନସିଂହାସନରେ ଶ୍ରୀଜଗନ୍ନାଥଙ୍କର ଦୁଇ ଶକ୍ତି ରୂପେ ଲକ୍ଷ୍ମୀ (ଶ୍ରୀଦେବୀ) ଓ ସରସ୍ୱତୀ (ଭୂଦେବୀ) ବିରାଜମାନ କରନ୍ତି।

କେବଳ ହିନ୍ଦୁ ଉପାସନା ଧାରା ନୁହେଁ, ବୌଦ୍ଧ ଓ ଜୈନ ଉପାସନା ଧାରାରେ ମଧ୍ୟ ସରସ୍ୱତୀ ବିଦ୍ୟା ଓ ବାଣୀର ଦେବୀ। ଏଣୁ ମୁଖ୍ୟତଃ ‘ବିଦ୍ୟାଦେବୀ’ ଭାବରେ ହିଁ ତାଙ୍କର ଉପାସନା କରାଯାଇଥାଏ।

ସମ୍ବନ୍ଧିତ ଖବର