ଜୀବନ-ମନ୍ତ୍ର : ଷଠୀଓଷାର ଆଶିଷ- ‘ବଜର ହୁଅ’!

ଓଡ଼ିଶାର ଗୋଟିଏ ବିଶେଷ ଓଷା ହେଉଛି ‘ଷଠୀ ଓଷା’। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଏହି ଓଷା କରାଯାଏ। ଏଥିରେ ଶିଳ ଓ ଶିଳପୁଆକୁ ଷଷ୍ଠୀଦେବୀଙ୍କର ପ୍ରତୀକ ଭାବରେ ପୂଜା କରାଯାଏ।

ପୁରାଣ ପରମ୍ପରା ଓ ଲୋକବିଶ୍ୱାସ ଅନୁସାରେ, ଷଷ୍ଠୀ ବା ଷଠୀ ହେଉଛନ୍ତି ମାତୃଦେବୀ। ଏହି ଦେବୀ ଷଷ୍ଠାଂଶରୂପ ମାତୃକା। ପୁରାଣ କଳ୍ପନାରେ ଏହି ଦେବୀ ପୁତ୍ରଦାୟିନୀ ତଥା ଶିଶୁମାନଙ୍କର ପରିପାଳନକାରିଣୀ। ସେଥିପାଇଁ ନବଜାତ ଶିଶୁର ମଙ୍ଗଳ ପାଇଁ ଜନ୍ମର ଷଷ୍ଠଦିନ ଓ ଏକବିଂଶ ଦିନ ତାଙ୍କର ପୂଜା କରାଯାଏ। ସୂତିକା ଗୃହ ‘ଷଠୀଘର’ ଭାବରେ ନାମିତ ହୋଇଥାଏ। ‘ଷଠୀ ଓଷା’ ଏହାର ଆଉଗୋଟିଏ ଲୋକ ଅନୁଷ୍ଠାନ।

‘ଓଡ଼ିଆ ଲୋକଦର୍ଶନ ଓ ଲୋକଧାରା’ରେ ଡକ୍ଟର ଅରବିନ୍ଦ ପଟ୍ଟନାୟକ ଏହି ଓଷାର ବିଧି ସଂପର୍କରେ ବିସ୍ତୃତ ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି, “ପୋଖରୀ ତୁଠରେ ଗୋଟିଏ ସ୍ଥାନ ନିର୍ମଳ କରି ଧାନଗଛ, ସାରୁଗଛ, ବଜ୍ରମୂଳି ଗଛ, ବଣଜୁଇ ଡାଳ, ବାଉଁଶ ଡାଳ ରଖିଦିଅନ୍ତି। କେଉଁଠି କେଉଁଠି ତାଳପତ୍ର ଓ ଲେଖନୀ ମଧ୍ୟ ରଖନ୍ତି। କେତେକ ଅଞ୍ଚଳରେ ବଣସାରୁ, ଧାନ, ବାଉଁଶଡାଳ ବା ଗଛ ସହିତ ଅଁଳା, ବେଲ ଓ ବେତଖଣ୍ଡା ଗଛ ପୋତାଯାଏ। ତା’ ମଝିରେ ଷଷ୍ଠୀଦେବୀଙ୍କୁ ସ୍ଥାପନା କରାଯାଏ। ଓଷା ପୋଖରୀରେ ପାଣି ଢାଳି ତା’ ଭିତରେ ଜିଅନ୍ତା ମାଛ ଆଦି ଛାଡ଼ି ଦିଆଯାଏ।”

ଏ ସଂପର୍କରେ ଅଧିକ ବର୍ଣ୍ଣନା କରି ସେ କହିଛନ୍ତି, “ଛ’କେରା ଦୂବ ଓ ବରକୋଳି ପତ୍ର, ଛ’ ପ୍ରକାରର ଫୁଲ ପୂଜାପାଇଁ ରଖାଯାଏ। ମୁଗ, ମସୁର, ଗହମ, ଚଣା, ବରଗୁଡ଼ି, କାନ୍ଦୁଲ ଇତ୍ୟାଦି ଛଅପ୍ରକାରର ଗଜା; ଅରୁଆ ଭାତ, ଛଅ ତିଅଣ, ଛ’ ଶାଗ ଖରଡ଼ା, ଛ’ ମଣ୍ଡା, ଛ’ ଚକୁଳି, ଛ’ ମୁଆଁ କରି ଭୋଗ ପାଇଁ ବାଢ଼ନ୍ତି। ଛ’ କେରା ଦୂବରେ ଷଠୀ ଚାଉଳ କରନ୍ତି। ଛ’ ଖିଅ ସୂତାରେ ଦଉଡ଼ି ବୋଳନ୍ତି। ତାକୁ ପଣତକାନିରେ ବାନ୍ଧି ପୋଖରୀରେ ବୁଡ଼ାନ୍ତି। ଦଳର ବଡ଼ ଓଷେଇତୀ ବା ବୟସ୍କାଙ୍କ ପୌରୋହିତ୍ୟରେ ଓଷାର ପୂଜାବିଧି କରାଯାଏ। ପୂଜା ଶେଷରେ ହୁଳହୁଳି ପଡ଼େ। ଓଷାକଥା ପଢ଼ାଯାଏ।”

ଏହି ଓଷାର ଆଉ ଗୋଟିଏ ବିଧି ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ। ତାହା ହେଉଛି ‘ଷଠୀ ବାଡ଼ିଆ’। ଏଥିରେ ମାଆମାନେ ସନ୍ତାନମାନଙ୍କୁ ବାଉଁଶ ଡାଳ, ବଣସାରୁ ଓ ବଜ୍ରମୂଳି ଆଦି ବନ୍ଧା ହୋଇଥିବା ବିଡ଼ାରେ ଧୀରେ ଧୀରେ ବାଡ଼େଇ ଆଶୀର୍ବାଦ କରନ୍ତି। କହନ୍ତି, “ବାଉଁଶ ପରି ବଢ଼ିଯାଅ, ସାରୁ ପରି ମାଡ଼ିଯାଅ, ବଜର ହୁଅ, ବଜର ହୁଅ, ବଜର ହୁଅ!” ଲୋକଭାଷାରେ ଏହା ‘ବଜର ବାଡ଼ିଆ’।

ସମ୍ବନ୍ଧିତ ଖବର