ସାତପାହାଚ ଓ ସପ୍ତଋଷି

ସ୍ନାନଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରା ହେଉଛି ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ଶ୍ରେଷ୍ଠ। ଏହା ତାଙ୍କର ‘ସ୍ୱୟଂଲୀଳା’। କାରଣ, ଏହି ଦୁଇଯାତ୍ରାରେ ଶ୍ରୀଜଗନ୍ନାଥାଦି ଚତୁର୍ଦ୍ଧାମୂର୍ତ୍ତି ଲୀଳା ନିମନ୍ତେ ସ୍ୱୟଂ ଭକ୍ତଙ୍କ ଗହଣକୁ ଆସିଥାଆନ୍ତି। ଏହି ଦୁଇ ଯାତ୍ରାରେ ସେମାନେ ଯେଉଁ ପାହାଚଦେଇ ଶ୍ରୀମନ୍ଦିରରୁ ଆସନ୍ତି ଏବଂ ଶ୍ରୀମନ୍ଦିରକୁ ଯାଆନ୍ତି, ତାହାର ନାମ ‘ସାତପାହାଚ’। ଏ ଦୃଷ୍ଟିରୁ ଶ୍ରୀମନ୍ଦିରର ଉତ୍ତରପାର୍ଶ୍ବରେ ଥିବା ଏହି ସାତପାହାଚ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।

ତେବେ କେବଳ ସଂଖ୍ୟା ଦୃଷ୍ଟିରୁ ଏହାର ନାମ ‘ସାତପାହାଚ’ ହୋଇନାହିଁ। କଥିତ ଅଛି, ଯେ ଏହି ‘ସାତପାହାଚ’ରେ ବ୍ରହ୍ମାଙ୍କର ମାନସପୁତ୍ର ସାତଋଷି ଅବସ୍ଥାନ କରନ୍ତି। ପ୍ରାଚ୍ୟ ଭାବଧାରା ଅନୁସାରେ, ବିଭିନ୍ନ ମନ୍ୱନ୍ତରରେ ସାତଋଷି ଆବିର୍ଭୂତ ହୋଇ ଲୋକରକ୍ଷା ଓ ଧର୍ମରକ୍ଷା କରିଥାଆନ୍ତି। ବିଭିନ୍ନ ମନ୍ୱନ୍ତରରେ ଏହି ସପ୍ତଋଷିଙ୍କର ନାମ ଭିନ୍ନ ଭିନ୍ନ। ଏମାନଙ୍କର ତପସ୍ୟାଦ୍ୱାରା ତ୍ରିଭୁବନର ମଙ୍ଗଳ ହୁଏ। ଏମାନେ ଲୋକରକ୍ଷା ଓ ଧର୍ମରକ୍ଷା ପାଇଁ ତ୍ରିସନ୍ଧ୍ୟାରେ ଉପାସନା ଓ ଜପ ଆଦି କରିଥାନ୍ତି।

ସ୍ୱାୟମ୍ଭୂବ ମନ୍ୱନ୍ତରର ଏହି ସପ୍ତଋଷି ହେଉଛନ୍ତି- କ୍ରତୁ, ପୁଲହ, ପୁଲସ୍ତ୍ୟ, ଅତ୍ରି, ଅଙ୍ଗିରା, ବଶିଷ୍ଠ ଓ ମରୀଚି। ଏମାନେ ‘ଲୋକପିତା’ ଭାବରେ ଏବଂ ଏମାନଙ୍କର ପତ୍ନୀମାନେ ‘ଲୋକମାତା’ ଭାବରେ କଥିତ ହୁଅନ୍ତି। ଏହି ସପ୍ତଋଷିଙ୍କ ନାମରେ ମଧ୍ୟ ଉତ୍ତର ଆକାଶର ‘ସପ୍ତର୍ଷିମଣ୍ଡଳ’ ନାମିତ। ଜଳପ୍ରଳୟ କାଳରେ ଭଗବାନ ବିଷ୍ଣୁ ମତ୍ସ୍ୟାବତାରରେ ଏହିପରି ସପ୍ତଋଷିଙ୍କୁ ନୌକାରେ ନେଇ ମେରୁପର୍ବତ ଶିଖରରେ ସୁରକ୍ଷିତ କରିଥିଲେ। ଏମାନଙ୍କୁ ‘ସପ୍ତବ୍ରହ୍ମାଣ୍ଡ’ ମଧ୍ୟ କୁହାଯାଏ। ଶ୍ରୀମନ୍ଦିରର ସାତପାହାଚରେ ଏହି ସପ୍ତଋଷି ଅବସ୍ଥାନ କରିଛନ୍ତି ବୋଲି କଥିତ ହୁଏ।

କିନ୍ତୁ ଏ ସଂପର୍କରେ ଭିନ୍ନ ମତ ମଧ୍ୟ ରହିଛି। ପଣ୍ଡିତ ସଦାଶିବ ରଥଶର୍ମାଙ୍କର ଶିଷ୍ୟ, ଚାରଣ ଗୋବିନ୍ଦ ଚନ୍ଦ୍ର ବେହେରା, ତାଙ୍କ ‘ପୁରୁଷୋତ୍ତମ ଶ୍ରୀଜଗନ୍ନାଥ’ ପୁସ୍ତକରେ ଏହି ସପ୍ତଋଷିଙ୍କର ନାମ- ଶୁକ, ସନକ, ସନନ୍ଦନ, ସନାତନ, କପିଳ, କର୍ତ୍ତୃ ଓ ପଞ୍ଚଶିଖ ବୋଲି ଲେଖିଛନ୍ତି। ତାଙ୍କ ଅନୁସାରେ, ଏହି ସାତପାହାଚର ନାମ- ଚଳ, ଅଚଳ, ତାଛ, ସ୍ଥିତପ୍ରଜ୍ଞ, ଗର୍ଭ, ଆଦିତ୍ୟ ଓ ସୋମ।

ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ, ସ୍ନାନଯାତ୍ରାଦିନ ସ୍ନାନବେଦିରୁ ଅଣସର ଘରକୁ ଏବଂ ନୀଳାଦ୍ରିବିଜେ ଦିନ ରଥରୁ ଶ୍ରୀମନ୍ଦିରର ରତ୍ନସିଂହାସନକୁ ଫେରିବାବେଳେ, ଠାକୁରମାନଙ୍କୁ ‘ଶୁଆଶାରୀ ଦେଉଳ’ଠାରେ ବନ୍ଦାପନା ହୁଏ। ଅନେକଙ୍କ ମତରେ, ଏହା ସପ୍ତଋଷିଙ୍କ ପକ୍ଷରୁ ବନ୍ଦାପନା।

ସପ୍ତର୍ଷି ମଣ୍ଡଳର ସପ୍ତଜ୍ୟୋତିଷ୍କ ରୂପେ ଅବସ୍ଥିତ ସପ୍ତଋଷିଙ୍କ ପକ୍ଷରୁ ଏହି ବନ୍ଦାପନା ହେଉଥିବାରୁ, ଡକ୍ଟର ତୁଳସୀ ଓଝା ତାଙ୍କ ‘ରାଜା ଶ୍ରୀପୁରୁଷୋତ୍ତମ’ ପୁସ୍ତକରେ ଏହାକୁ ‘ସପ୍ତଜ୍ୟୋତି’ ବନ୍ଦାପନା ବୋଲି ମଧ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର