ସାବିତ୍ରୀ-ସତ୍ୟବାନ ମାନବ-ମାନବୀ କିନ୍ତୁ ବ୍ରତର ଆରାଧ୍ୟ ସାବିତ୍ରୀ ଦେବୀ; ଜାଣନ୍ତୁ ପୂରା କାହାଣୀ

ଜ୍ୟେଷ୍ଠ ମାସର ଅମାବାସ୍ୟା ସାବିତ୍ରୀ ଅମାବାସ୍ୟା ଭାବରେ ପ୍ରସିଦ୍ଧ। ସଧବା ନାରୀମାନେ ଏହିଦିନ ସାବିତ୍ରୀ ବ୍ରତ କରନ୍ତି। ୧୪ ବର୍ଷ ବ୍ରତ ପାଳନ କରିବା ପରେ ଏହାକୁ ଉଦ୍‌ଯାପନ କରିବାର ବିଧି ରହିଛି। କିନ୍ତୁ ସ୍ୱାମୀଙ୍କର ଦୀର୍ଘଜୀବନ କାମନା କରି ଆଜୀବନ ସେମାନେ ଏହି ବ୍ରତ କରିଥାଆନ୍ତି। ସାବିତ୍ରୀ ହେଉଛନ୍ତି ମଦ୍ରଦେଶର ରାଜା ଅଶ୍ୱପତିଙ୍କର ଏକମାତ୍ର କନ୍ୟା। ଅଶ୍ୱପତି ଦେବୀ ସାବିତ୍ରୀଙ୍କୁ ଆରାଧନା କରି ତାଙ୍କ ପ୍ରସାଦରୁ ଏହି କନ୍ୟାଙ୍କୁ ପାଇଥିଲେ। ସେଥିପାଇଁ ତାଙ୍କର ନାମ ରଖିଥିଲେ ସାବିତ୍ରୀ। ସାବିତ୍ରୀ ଯୌବନରେ ପଦାର୍ପଣ କରିବା ପରେ, ଅଶ୍ୱପତି ତାଙ୍କ ପାଇଁ ଉପଯୁକ୍ତ ପାତ୍ରର ସନ୍ଧାନ କଲେ। କିନ୍ତୁ ଯୋଗ୍ୟ ପାତ୍ରଟିଏ ପାଇଲେ ନାହିଁ। ତେଣୁ ନିଜେ ସାବିତ୍ରୀ ପିତାଙ୍କର ଅନୁମତି ନେଇ ପତି ଅନ୍ୱେଷଣରେ ବାହାରିଲେ। ତାଙ୍କ ସହିତ ପାତ୍ର, ମନ୍ତ୍ରୀମାନେ ବି ଥିଲେ। ସେତେବେଳକୁ ଶାଲ୍ୱ ଦେଶର ରାଜା ଦ୍ୟୁମତ୍‌ସେନ ନିଜ ରାଜ୍ୟରୁ ବିତାଡ଼ିତ ହୋଇ, ନିଜର ସ୍ତ୍ରୀ ଏବଂ ପୁଅ ସତ୍ୟବାନଙ୍କ ସହ ଏକ ତପୋବନରେ ରହୁଥିଲେ। ସେଠାରେ ସତ୍ୟବାନଙ୍କର ରୂପ ଓ ଗୁଣ ଦେଖି ସାବିତ୍ରୀ ତାଙ୍କୁ ପତି ରୂପେ ବରଣ କଲେ।

Kartavya Tv

ଫେରିଆସି ପିତା ଅଶ୍ୱପତିଙ୍କୁ ତାହା ଜଣାଇବା ପରେ, ଅଶ୍ୱପତି ସତ୍ୟବାନଙ୍କ ସହିତ ସାବିତ୍ରୀଙ୍କର ବିବାହ କରାଇବାକୁ ପ୍ରସ୍ତୁତ ହେଲେ। କିନ୍ତୁ ଦେବର୍ଷି ନାରଦ ଆସି ତାଙ୍କୁ ଜଣାଇଲେ ଯେ ସତ୍ୟବାନଙ୍କର ଆୟୁ ଆଉ ମାତ୍ର ବର୍ଷଟିଏ ଅଛି। ତେଣୁ ତାଙ୍କ ସହ କନ୍ୟାର ବିବାହ କରନ୍ତୁ ନାହିଁ। କିନ୍ତୁ ସାବିତ୍ରୀ ତାହା ଶୁଣି କହିଲେ, ମୁଁ ସତ୍ୟବାନଙ୍କୁ ପତି ରୂପେ ବରଣ କରିସାରିଛି। ତେଣୁ ତାଙ୍କ ବିନା ଆଉ କେହି ମୋର ପତି ହୋଇପାରିବେ ନାହିଁ। ତାହା ହିଁ ହେଲା। ରାଜପ୍ରାସାଦ, ବିଳାସବ୍ୟସନ, ଦାସଦାସୀ, ସମସ୍ତଙ୍କୁ ତ୍ୟାଗ କରି, ସାବିତ୍ରୀ ଯାଇ ସତ୍ୟବାନଙ୍କ ସହ ତପୋବନରେ ରହିଲେ। ସ୍ୱାମୀ ଓ ଶାଶୁ ଶ୍ୱଶୁରଙ୍କ ସେବା କରି ଦିନ ବିତାଇବାରେ ଲାଗିଲେ। ଚାହୁଁ ଚାହୁଁ ବର୍ଷଟିଏ ବିତିଯିବାକୁ ବସିଲା। ବର୍ଷ ପୂରିବାକୁ ଆଉ ତିନିଦିନ ଅଛି, ସେ ‘ତ୍ରିରାତ୍ର ବ୍ରତ’ ଆରମ୍ଭ କଲେ। କିନ୍ତୁ ଯେଉଁଦିନ ବର୍ଷ ପୂରିଲା, ସେଦିନ ବନରୁ ଫଳମୂଳ ଓ ସମିଧ ସଂଗ୍ରହ କରିବାକୁ ଯାଇଥିବା ବେଳେ ଗୋଟିଏ ଦୁର୍ଘଟଣା ଘଟିଲା। ସାବିତ୍ରୀଙ୍କ କୋଳରେ ମୁଣ୍ଡରଖି ନିଦ୍ରାଯାଇଥିବାବେଳେ, ସତ୍ୟବାନଙ୍କର ମୃତ୍ୟୁ ହେଲା। ସତ୍ୟବାନଙ୍କର ମୃତ୍ୟୁ ପରେ ଯମଦୂତମାନେ ତାଙ୍କର ସୂକ୍ଷ୍ମ ଶରୀରକୁ ନେଇଯିବାକୁ ଆସିଲେ। କିନ୍ତୁ ସାବିତ୍ରୀଙ୍କର ତେଜ ଯୋଗୁଁ ସେଥିରେ ସଫଳ ହେଲେ ନାହିଁ।

ଶେଷରେ ଯମରାଜ ନିଜେ ଆସିଲେ। କିନ୍ତୁ ତାଙ୍କର ରକ୍ତବସ୍ତ୍ର ଓ ବିକଟାଳ ରୂପ ଦେଖି ସାବିତ୍ରୀ ଭୟଭୀତା ନହୋଇ ତାଙ୍କର ସ୍ତୁତି କରିବାରେ ଲାଗିଲେ। ଯମରାଜ କାଳଫାଶରେ ସତ୍ୟବାନଙ୍କର ସୂକ୍ଷ୍ମ ଶରୀରକୁ ବାନ୍ଧି ନେଇଯିବା ବେଳେ, ସାବିତ୍ରୀ ସ୍ତୁତି କରିକରି ତାଙ୍କ ପଛେ ପଛେ ଚାଲିଲେ। ତାଙ୍କର ସତୀତ୍ୱ, ନିଷ୍ଠା ଓ ସ୍ତୁତିରେ ସନ୍ତୁଷ୍ଟ ହୋଇ ଯମରାଜ ତାଙ୍କୁ ଗୋଟିଏ ପରେ ଗୋଟିଏ ବର ଦେଲେ। ଶେଷ ବରରେ ଯମରାଜ ସତ୍ୟବାନଙ୍କୁ ଜୀବନଦାନ ଦେଲେ। ମୃତ୍ୟୁଲୋକର ମଣିଷଟିଏ ଯେ ନିଜର ନିଷ୍ଠାବଳରେ ମୃତ୍ୟୁକୁ ଜିତିପାରେ, ଏ କାହାଣୀ ତାହାର ଏକ ଉଦାହରଣ।ଅନେକଙ୍କର ଧାରଣା ରହିଛି ଯେ ଜ୍ୟେଷ୍ଠ ଅମାବାସ୍ୟାର ସାବିତ୍ରୀ ବ୍ରତରେ ଏହି ସାବିତ୍ରୀଙ୍କୁ ପୂଜା କରାଯାଏ। କିନ୍ତୁ ତାହା ପ୍ରକୃତ କଥା ନୁହେଁ। ସତ୍ୟବାନ ଓ ସାବିତ୍ରୀ ଅବଶ୍ୟ ଲୋକବିଶ୍ୱାସରେ ଦେବତାର ସ୍ତରକୁ ଉତ୍ତୀର୍ଣ୍ଣ ହୋଇଯାଇଛନ୍ତି, କିନ୍ତୁ ସେମାନେ ମାନବ-ମାନବୀ। ସେମାନେ ଏ ବ୍ରତର ଉପାସ୍ୟ ବା ଉପାସ୍ୟା ନୁହନ୍ତି। ଏ ବ୍ରତର ଉପାସ୍ୟା ହେଉଛନ୍ତି ଦେବୀ ସାବିତ୍ରୀ। ସାବିତ୍ରୀ ହେଉଛନ୍ତି ଗାୟତ୍ରୀ ମନ୍ତ୍ରର ଅଧିଷ୍ଠାତ୍ରୀ ଦେବୀଙ୍କର ଦ୍ୱିପ୍ରହର ସମୟର ରୂପ। ସେ ଯୁବତୀ, ଶୁକ୍ଳବର୍ଣ୍ଣା, ସୁରୂପା, ଚତୁର୍ଭୁଜା ଓ ଶୁକ୍ଳାମ୍ବରା। ସେ ସୂର୍ଯ୍ୟଙ୍କର ପୁତ୍ରୀ ଓ ବ୍ରହ୍ମାଙ୍କର ପତ୍ନୀ। ତାଙ୍କର ଅନ୍ୟ ନାମ ଶତରୂପା, ଗାୟତ୍ରୀ, ସରସ୍ୱତୀ ଓ ବ୍ରହ୍ମାଣୀ। ବ୍ରାହ୍ମଣମାନେ ତ୍ରିସଂଧ୍ୟାର ମଧ୍ୟାହ୍ନ ସଂଧ୍ୟାରେ ଗାୟତ୍ରୀ ମନ୍ତ୍ର ଜପ କରିବା ପୂର୍ବରୁ ଏହି ଦେବୀଙ୍କୁ ଧ୍ୟାନ କରିଥାଆନ୍ତି। ଏହାଙ୍କୁ ଉପାସନା କରି ଅଶ୍ୱପତି ସାବିତ୍ରୀଙ୍କୁ କନ୍ୟା ରୂପେ ପାଇଥିଲେ। ଏହି ଦେବୀ ହିଁ ପ୍ରକୃତରେ ସାବିତ୍ରୀ ବ୍ରତର ଉପାସ୍ୟା ଦେବୀ।

ସମ୍ବନ୍ଧିତ ଖବର