ପିଲାମାନଙ୍କଠାରୁ ସେମାନଙ୍କ ଶୈଶବ ଛଡ଼ାଇ ନେଉଛି ଆଜିର ଡିଜିଟାଲ୍‌ ଯୁଗ। ସ‌େତ ଯେପରି ସେମାନଙ୍କ ଜୀବନ ବନ୍ଧା ପଡ଼ିଛି ସ୍ମାର୍ଟଫୋନ୍, ଅନଲାଇନ୍ କ୍ଲାସ୍, ଗେମିଂ ଓ ଷ୍ଟ୍ରିମିଂରେ। ହୋମୱାର୍କ କରି ଟିକେ ଥକିପଡ଼ିଲେ ସେମାନେ ଖୋଜୁଛନ୍ତି ମୋବାଇଲ୍‌, ପୁଣି ରାତିରେ ଶୋଇବା ଆଗରୁ ମୋବାଇଲ୍‌ ନ କେଞ୍ଚିଲେ ପିଲାଙ୍କୁ ନିଦ ବି ଆସୁ ନାହିଁ। ସମବୟସ୍କଙ୍କ ସହ ଖେଳକୁଦ, ଜେଜେଜେଜୀଙ୍କ ପାଖରୁ କାହାଣୀ ଶୁଣିବା ବଦଳରେ ପିଲାଏ ଏବେ ମୋବାଇଲ୍‌ରେ ମନୋନିବେଶ କରିଛନ୍ତି। କିନ୍ତୁ ଶିଶୁଙ୍କ ଭିତରେ ବୃଦ୍ଧି ପାଉଥିବା ଏହି ଅଭ୍ୟାସ ହୃଦ୍‌ରୋଗର କାରଣ ପାଲଟୁଛି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। 

Advertisment

ଆମେରିକୀୟ ହାର୍ଟ ଆସୋସିଏସନ୍ ଜର୍ଣ୍ଣାଲରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ମୋବାଇଲ୍‌ କେବଳ ପିଲାମାନଙ୍କୁ ମାନସିକ ସ୍ତରରେ ନୁହେଁ; ବରଂ ଶାରୀରିକ ଭାବେ ବି ଅସୁସ୍ଥ କରିପକାଉଛି। ମ‌ାତ୍ରାଧିକ ମୋବାଇଲ୍‌ ବ୍ୟବହାର ଶିଶୁ ଓ କିଶୋରଙ୍କ ମଧ୍ୟରେ ହୃଦ୍‌ରୋଗ ସୃଷ୍ଟି କରାଉଛି। ଏହା କେବଳ ପାଶ୍ଚାତ୍ୟର ସମସ୍ୟା ନୁହେଁ; ଭାରତୀୟ ଶିଶୁ ଓ କିଶୋର ମଧ୍ୟ ଏହାର କବଳିତ। ଏହି ଅଧ୍ୟୟନରେ ଗବେଷକମାନେ ୧ ହଜାର ଯୋଡ଼ି ମହିଳା ଓ ଶିଶୁଙ୍କୁ ପର୍ଯ୍ୟବେକ୍ଷଣ ପରିସରଭୁକ୍ତ କରିଥିଲେ। ପିଲାଏ କେତେ ସମୟ ଧରି ମୋବାଇଲ୍‌ ବ୍ୟବହାର କରୁଛନ୍ତି ସେ ତଥ୍ୟ ସଂଗ୍ରହ କରାଯାଇଥିଲା।

ମ‌ାତ୍ରାଧିକ ମୋବାଇଲ୍‌ ବ୍ୟବହାର ଶିଶୁ ଓ କିଶୋରଙ୍କ ମଧ୍ୟରେ ହୃଦ୍‌ରୋଗ ସୃଷ୍ଟି କରାଉଛି। ଏହା କେବଳ ପାଶ୍ଚାତ୍ୟର ସମସ୍ୟା ନୁହେଁ; ଭାରତୀୟ ଶିଶୁ ଓ କିଶୋର ମଧ୍ୟ ଏହାର କବଳିତ।

ଅନ୍ୟପକ୍ଷରେ ଦୁଇ ସପ୍ତାହ ଧରି ସେମାନଙ୍କ ନିଦ୍ରା ଓ ଶାରୀରିକ କାର୍ଯ୍ୟକଳାପ ଆକ୍ସିଲେରୋମିଟର ଜରିଆରେ ନିରୀକ୍ଷଣ କରାଯାଇଥିଲା। ଏହାବ୍ୟତୀତ ଅଣ୍ଟାର ପରିଧି, ସିଷ୍ଟୋଲିକ୍ ବ୍ଲଡ୍‌ ପ୍ରେସର୍‌, ଏଚ୍‌ଡିଏଲ୍‌(ଭଲ), କୋଲେଷ୍ଟ୍ରଲ୍, ଟ୍ରାଇଗ୍ଲିସରାଇଡ୍‌ସ ଓ ରକ୍ତ ଶର୍କରା ଆଦିର ପରିମାପ ଜରିଆରେ ହୃଦ୍‌ରୋଗଜନିତ ବିପଦ ଓ କାର୍ଡିଓମେଟାବୋଲିକ୍ ରିସ୍କ (ସିଏମ୍‌ଆର୍‌) କେତେ ରହୁଛି, ତାହା ନିର୍ଣ୍ଣୟ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ମୋବାଇଲ୍‌ର ବହୁଳ ବ୍ୟବହାର ଶିଶୁଙ୍କ ଭିତରେ ହୃଦ୍‌ରୋଗ ଆଶଙ୍କା ବଢ଼ାଉଛି। 

ଅଧ୍ୟୟନରୁ ଜଣାପଡ଼ିଛି, ପ୍ରତ୍ୟେକ ଅତିରିକ୍ତ ଘଣ୍ଟା ମୋବାଇଲ୍‌ ବ୍ୟବହାର ଶିଶୁଙ୍କ ମଧ୍ୟରେ ପ୍ରାୟ ୦.୦୮ ମାନକ ବିଚ୍ୟୁତି ଏବଂ କିଶୋରମାନଙ୍କ ମଧ୍ୟରେ ୦.୧୩ କାର୍ଡିଓମେଟାବୋଲିକ୍ ସମସ୍ୟା ସୃଷ୍ଟି କରୁଛି। ନିଦ୍ରାହୀନତା ଓ ନିଦ୍ରା ବିଶୃଙ୍ଖଳା ମଧ୍ୟ ହୃଦ୍‌ରୋଗ ଆଶଙ୍କା ବୃଦ୍ଧି କରୁଛି। ସ୍ବଳ୍ପ କିମ୍ବା ବିଳମ୍ବିତ ଶୟନ ଅଭ୍ୟାସ ରଖିଥିବା ପିଲ‌ାଙ୍କ ମଧ୍ୟରେ ଏହି ବିପଦ ଅଧିକ। କୋଭିଡ୍‌ ମହାମାରୀ କାରଣରୁ ୨୦୨୦ ମସିହା ପରଠାରୁ ଭାରତରେ ଅନ୍‌ଲାଇନ୍‌ ପାଠପଢ଼ାକୁ ଗୁରୁତ୍ବ ଦିଆଯିବାରୁ ଛୋଟ ପିଲାଙ୍କର ସ୍କ୍ରିନ୍‌ ଟାଇମ୍‌ ବୃଦ୍ଧି ପାଇଥିଲା। ବର୍ଦ୍ଧିତ ମୋବାଇଲ୍‌ ନିର୍ଭରଶୀଳତା କାରଣରୁ ନିଦ୍ରାହୀନତା, ମେଦବହୁଳତା, ଇନସୁଲିନ୍ ପ୍ରତିରୋଧ ଭଳି କାର୍ଡିଓମେଟାବୋଲିକ୍ ସମସ୍ୟା ମଧ୍ୟ ଶିଶୁଙ୍କ ଠାରେ ବୃଦ୍ଧି ପାଉଛି ବୋଲି ଗ‌େବଷକମାନେ ଜାଣିବାକୁ ପାଇଛନ୍ତି।