ମହର୍ଷି ପରାଶରଙ୍କ ଅନୁସାରେ, ଗୃହୀମାନଙ୍କର ଛଅଟି ନିତ୍ୟକର୍ମ ହେଉଛି- ସ୍ନାନ, ସନ୍ଧ୍ୟା, ଜପ, ହୋମ, ଦେବପୂଜା ଓ ଅତିଥି ସତ୍କାର। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର- ଚାରିଟିଯାକ ବର୍ଣ୍ଣର ଲୋକେ ଯେଉଁସବୁ ଆଚାର ପାଳନ କରନ୍ତି, ତାହା ହେଉଛି ଧର୍ମପାଳନ। ଲୋକେ ସେହିସବୁ ଆଚାରରୁ ଭ୍ରଷ୍ଟ ହେଲେ ବା ତାହା ପାଳନ ନ କଲେ, ଧର୍ମଛଡ଼ା ହୋଇଯାଆନ୍ତି। ଏହି ଧର୍ମପାଳନ ବା ଆଚାର ମଧ୍ୟରେ ନିତ୍ୟକର୍ମ ଅନ୍ତର୍ଭୁକ୍ତ।
ଗୃହୀମାନଙ୍କର ଏହି ଛଅ ନିତ୍ୟକର୍ମ ମଧ୍ୟରୁ ପ୍ରଥମଟି ହେଉଛି- ସ୍ନାନ। ଶାସ୍ତ୍ରାନୁସାରେ ଏହା ସାତପ୍ରକାର। ଏଥିରୁ ପ୍ରଥମଟି ‘ମନ୍ତ୍ରସ୍ନାନ’। ‘ଅପୋହିଷ୍ଠା’ ମନ୍ତ୍ରଦ୍ୱାରା ପାଣି ଛିଞ୍ଚିହେଲେ ମନ୍ତ୍ରସ୍ନାନ ହୁଏ। ସେହିପରି, ଶରୀରରେ ମାଟି ବୋଳି ହେବାକୁ ‘ପାର୍ଥିବସ୍ନାନ’, ଭସ୍ମ ବା ପାଉଁଶ ବୋଳିହେବାକୁ ‘ଆଗ୍ନେୟ ସ୍ନାନ’, ଗୋରୁଙ୍କର ଖୁରାରୁ ଉଡ଼ୁଥିବା ଧୂଳି ଦେହରେ ଲାଗିଲେ ‘ବାୟବ୍ୟ ସ୍ନାନ’, ଖରାପଡ଼ିଥିବା ବେଳେ ବର୍ଷା ହେଲେ ସେହି ବର୍ଷାରେ ସ୍ନାନ କରିବାକୁ ‘ଦିବ୍ୟସ୍ନାନ’ ଏବଂ ପାଣିରେ ବୁଡ଼ି ଗାଧୋଇବାକୁ ‘ବାରୁଣସ୍ନାନ’ କୁହାଯାଏ।
ଏହି ଛଅ ସ୍ନାନଠାରୁ ସପ୍ତମ ପ୍ରକାରର ସ୍ନାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ତାହା ହେଉଛି- ‘ମାନସ ସ୍ନାନ’। ମନେ ମନେ ଭଗବାନ ବିଷ୍ଣୁଙ୍କର ନାମ ସ୍ମରଣ କରିବାକୁ ‘ମାନସ ସ୍ନାନ’ କୁହାଯାଏ।
କିନ୍ତୁ ଏହି ସାତପ୍ରକାରର ସ୍ନାନ ସଂପର୍କରେ ବର୍ଣ୍ଣନା କରାଯିବା ପ୍ରସଙ୍ଗରେ, ‘ପଣ୍ଡିତ ସର୍ବସ୍ୱ’ରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି। ଅନେକଙ୍କର ଧାରଣା ଯେ ହିନ୍ଦୁଧର୍ମ କୁସଂସ୍କାରପୂର୍ଣ୍ଣ। କାରଣ, ଏଥିରେ ଛୁଆଁ-ଅଛୁଆଁଁ ଭେଦଭାବ ଅଛି। କିନ୍ତୁ ହିନ୍ଦୁଧର୍ମର ମହତ୍ତ୍ୱ ଓ ଉଦାରତାର ଗୋଟିଏ ନିଦର୍ଶନ ଏହି ସ୍ନାନ ସଂପର୍କିତ ଶାସ୍ତ୍ରମତରେ ମିଳେ। ସେଥିରେ କୁହାଯାଇଛି- “ଦେବାଳୟ (ମନ୍ଦିର) ନିକଟରେ ବାସ କରିଥିବା କିଂବା ପୂଜା କରିବା ପାଇଁ ଦେବତା ମନ୍ଦିରକୁ ଆସିଥିବା ଚଣ୍ଡାଳ, ମୋଚି ପ୍ରଭୃତି ଲୋକଙ୍କୁ ଛୁଇଁଲେ ମଧ୍ୟ ବ୍ରାହ୍ମଣ ସ୍ନାନ କରିବେ ନାହିଁ।” ଏହା ହିନ୍ଦୁ ଶାସ୍ତ୍ରୀୟ ଆଚାରର ଉଦାରତା ଓ ମହତ୍ତ୍ୱ ସୂଚାଏ।