ଶ୍ରୀମନ୍ଦିରର ଶାକ୍ତ ଗୁଣ୍ଡିଚା

‘ଗୁଣ୍ଡିଚା’ କେବଳ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ନାମ ନୁହେଁ; ‘ଗୁଣ୍ଡିଚା’ ନାମରେ ଆହୁରି କେତୋଟି ଯାତ୍ରା ମଧ୍ୟ ଶ୍ରୀମନ୍ଦିରରେ ପାଳିତ ହୁଏ। ସେଥିରୁ ଗୋଟିଏ ହେଉଛି ‘ଶାକ୍ତ ଗୁଣ୍ଡିଚା’। ବିଶେଷତ୍ୱ ଦୃଷ୍ଟିରୁ, ଦେବୀ ବିମଳାଙ୍କର ଷୋଡ଼ଶ ଦିନବ୍ୟାପୀ ଶାରଦୀୟ ଦୁର୍ଗାପୂଜା ଏହି ନାମରେ ନାମିତ ହୋଇଛି। ଏହାକୁ ଅନେକେ ‘ଶାରଦୀୟ ଗୁଣ୍ଡିଚା’ ମଧ୍ୟ କହି ଥାଆନ୍ତି।

ଏହି ପୂଜାର ଉପାସ୍ୟ ଦେବଦେବୀ ହେଉଛନ୍ତି ଶ୍ରୀମାଧବ ଓ ଦୁର୍ଗା। ଶାରଦୀୟ ଦୁର୍ଗାପୂଜା ଅବସରରେ ଦୁର୍ଗା ଓ ମାଧବ ଏକତ୍ର ଉପାସିତ ହେବାର ଏହି ପରଂପରା ଶ୍ରୀମନ୍ଦିରର ଏକ ବିଶେଷତ୍ୱ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀଠାରୁ, ଆଶ୍ୱିନ ଶୁକ୍ଳ ନବମୀ ବା ମହାନବମୀ ପର୍ଯ୍ୟନ୍ତ ଏହି ଯାତ୍ରା ହୋଇଥାଏ। ଏଥିରେ ଦୁର୍ଗା ଓ ମାଧବ ଏକ ସୁସଜ୍ଜିତ ରଥାକୃତି ବିମାନରେ ଯାତ୍ରା କରୁଥିବାରୁ ଏହାର ନାମ ‘ଶାକ୍ତ ଗୁ୍‌ଣ୍ଡିଚା’ ବା ‘ଶାରଦୀୟ ଗୁଣ୍ଡିଚା’ ହୋଇଛି। ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଏହି ନାମର ଉଲ୍ଲେଖ ନ ଥିଲେ ମଧ୍ୟ ଏହା ଅତ୍ୟନ୍ତ ଲୋକପ୍ରିୟ।

ଏହି ଷୋଡ଼ଶ ଦିନ ବ୍ୟାପୀ ଯାତ୍ରାର ପ୍ରଥମ ଆଠଦିନ ଭଣ୍ଡାର ଘରେ ଥିବା ଦୁର୍ଗା ଓ ଶ୍ରୀମନ୍ଦିରର ରତ୍ନସିଂହାସନରେ ପୂଜିତ ମାଧବ ଆଜ୍ଞାମାଳ ପାଇ ବିମଳା ମନ୍ଦିରଠାରେ ଏକ ଖଟ ଉପରେ ଯାଇ ବିଜେ ହୁଅନ୍ତି। ପୂଜାବିଧି ବଢ଼ିବା ପରେ ଦୁର୍ଗା ଓ ମାଧବଙ୍କୁ ଏକ ସୁସଜ୍ଜିତ ରଥାକୃତି ବିମାନରେ ଭଣ୍ଡାରଘର ଦ୍ୱାରଠାକୁ ଅଣାଯାଏ। ଏହି ନୀତି ପ୍ରଥମ ଆଠଦିନ ଚାଲିବା ପରେ, ପରବର୍ତ୍ତୀ ଆଠଦିନ ଦୁର୍ଗା-ମାଧବଙ୍କୁ ସେହି ରଥାକୃତି ବିମାନରେ ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ବିଜେ କରାଯାଏ। ଆଠଦିନ ଧରି ସେଠାରେ ବିମଳା ମନ୍ଦିରର ନୀତି ପରି ନୀତି ହୋଇଥାଏ। ପ୍ରତିଦିନର ନୀତି ପରେ ଦୁର୍ଗା-ମାଧବ ରଥାକୃତି ବିମାନରେ ବାହୁଡ଼ା ବିଜେ କରନ୍ତି। ଏ ଦୃଷ୍ଟିରୁ ‘ଗୁଣ୍ଡିଚା ମଣ୍ଡପ’ ପରି, ନାରାୟଣୀ ମନ୍ଦିରକୁ ମଧ୍ୟ ‘ଆଶ୍ୱିନଗୁଣ୍ଡିଚା ମଣ୍ଡପ’ କୁହାଯାଏ।

ଏହି ନାରାୟଣୀ ମନ୍ଦିର, ଶ୍ରୀମନ୍ଦିରର କଳ୍ପବଟ ଓ ଦୋଳମଣ୍ଡପ ସାହିରେ ଥିବା ଅଙ୍ଗିରାଶ୍ରମର କାମ୍ୟବଟ ମଧ୍ୟରେ ଅବସ୍ଥିତ। ତେଣୁ ‘ନୀଳାଦ୍ରି ମହୋଦୟ’ରେ ଏହାକୁ ଏକ ପୁଣ୍ୟସ୍ଥଳ କୁହାଯାଇଛି। ଏହା ମଧ୍ୟ କୁହାଯାଇଛି ଯେ ସେଠାରେ ତ୍ରିଶୂଳ, ଡମ୍ବରୁ, ବରଦ ଓ ଅଭୟ ହସ୍ତରେ ନାରାୟଣୀ ବିରାଜମାନ କରୁଛନ୍ତି। ଦେବୀ ବିମଳା ଓ ଦେବୀ ନାରାୟଣୀଙ୍କ ମନ୍ଦିରରେ ହେଉଥିବା ଏହି ଶାରଦୀୟ ଦୁର୍ଗୋତ୍ସବକୁ ସେହିଦୃଷ୍ଟିରୁ ‘ଶାକ୍ତ ଗୁଣ୍ଡିଚା’ କୁହାଯାଇଥାଏ।

ସମ୍ବନ୍ଧିତ ଖବର