ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଶିବ ଚତୁର୍ଦ୍ଦଶୀ ଭାବରେ ଖ୍ୟାତ। ଏହା ଓଡ଼ିଶାର ଏକ ମୁଖ୍ୟ ପର୍ବ। ଏହିଦିନ ଉପବାସ ରହି, ଶିବରାତ୍ରି ବ୍ରତ ପାଳନ କରାଯାଏ। ଶିବଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ଜ୍ୱାଳନ ଏବଂ ଶିବଲିଙ୍ଗରେ ଜଳ ଓ ତ୍ରିଶାଖା ବେଲପତ୍ର ଅର୍ପଣ ଏହି ବ୍ରତର ଏକ ବିଶେଷ ବିଧି।
ଶିବରାତ୍ରି ବା ମହାଶିବ ଚତୁର୍ଦ୍ଦଶୀ ବ୍ରତରେ ଏହାକୁ ନେଇ ଗୋଟିଏ ଉପାଖ୍ୟାନ ଅଛି। ଉପାଖ୍ୟାନଟି ‘ଶିବପୁରାଣ’ରୁ ଆନୀତ।
ସେହି ଉପାଖ୍ୟାନ ଅନୁସାରେ- ମଧ୍ୟଦେଶରେ ପାପକର୍ମା ନାମରେ ଏକ ଶବର ଥିଲା। ତାହାର ଶରୀର ବିଶାଳ ଓ ଶରୀରର ବର୍ଣ୍ଣ କଳା। ଦିନେ ସେ ପକ୍ଷୀ ଧରିବା ନିମନ୍ତେ କାଳାଞ୍ଜନ ପର୍ବତକୁ ଯାଇଥିଲା। ଦିନସାରା ପକ୍ଷୀ ଧରିବାରେ ବ୍ୟସ୍ତ ରହି, ଖାଇବା ପିଇବା ଭୁଲିଯାଇଥିଲା। ସଂଧ୍ୟାରେ ଘରକୁ ଫେରିବା ବେଳକୁ ବର୍ଷା ହେଲା ଏବଂ ବାଟରେ ରାତି ହୋଇଗଲା। ତେଣୁ ହିଂସ୍ରଜନ୍ତୁଙ୍କ ଭୟରେ ସେ ଗୋଟିଏ ଗଛ ଉପରେ ଚଢ଼ିଯାଇ ସକାଳ ହେଲେ ଘରକୁ ଫେରିବ ବୋଲି ଭାବିଲା।
କିନ୍ତୁ ମଣିଷ ଗନ୍ଧ ବାରି, ତାକୁ ଖାଇବା ପାଇଁ ମହାବଳ ବାଘଟିଏ ସେହି ଗଛ ମୂଳରେ ସାରା ରାତି ଜଗି ରହିଲା। ବାଘ ଭୟରେ ପାପକର୍ମାକୁ ନିଦ ବି ହେଲା ନାହିଁ। ତେଣୁ ସେ ସାରାରାତି ଉଜାଗର ରହି, ଗଛରୁ ଗୋଟିଏ ଗୋଟିଏ ଛୋଟ ଡାଳ ଭାଙ୍ଗି ତଳକୁ ପକାଇବାରେ ଲାଗିଲା।
ସକାଳ ହେଲା। ବାଘ ବି ସେତେବେଳକୁ ଆଉ ନଥିଲା। ତେଣୁ ସେ ଗଛରୁ ଓହ୍ଲାଇ ଘରକୁ ଯିବାକୁ ବାହାରିଲା। କିନ୍ତୁ ପାଖରେ ଲୁଚି ରହିଥିବା ବାଘ ବାହାରି ଆସି ତାକୁ ମାରି ଖାଇଗଲା।
ପାପକର୍ମାର ମୃତ୍ୟୁ ପରେ ଯମଦୂତମାନେ ତାର ଆତ୍ମାକୁ ବାନ୍ଧିନେବାକୁ ଆସିଲେ। କିନ୍ତୁ ଶିବଦୂତମାନେ ଆସି ତାକୁ ଯମଦୂତଙ୍କଠାରୁ ଛଡ଼ାଇନେଲେ। କାରଣ, ସେଦିନଟି ଥିଲା ଶିବ ଚତୁର୍ଦ୍ଦଶୀ। ପାପକର୍ମା ଶବର ସାରାଦିନ ଉପବାସରେ ଓ ସାରା ରାତି ଉଜାଗରରେ ରହିଥିଲା। ପୁଣି ରାତିରେ ସେ ଯେଉଁ ଗଛରେ ଚଢ଼ି ବସି ଥିଲା, ତାହା ଥିଲା ଗୋଟିଏ ବେଲଗଛ। ଯେଉଁସବୁ ଡାଳ ଭାଙ୍ଗି ସେ ତଳକୁ ପକାଉଥିଲା, ତାହାର ପତ୍ର ବର୍ଷା ଜଳରେ ଭିଜିଥିଲା ଏବଂ ତାହା ଗଛତଳେ ଥିବା ଶିବଲିଙ୍ଗ ଉପରେ ଆସି ପଡ଼ୁଥିଲା। ତେଣୁ ନିଜ ଅଜାଣତରେ ପାପକର୍ମା ଶବରର ସବୁ ପାପ କ୍ଷୟ ହୋଇ ଯାଇଥିଲା। ସେ ଶିବରାତ୍ରି ପାଳନର ପୁଣ୍ୟ ଲାଭ କରିଥିଲା।
‘ଶିବପୁରାଣ’ର ଏହି ଉପାଖ୍ୟାନରେ ଶିବରାତ୍ରି ପାଳନ କିପରି ପାପକ୍ଷୟକାରୀ ଓ ପୁଣ୍ୟପ୍ରଦ, ସେ କଥା କୁହାଯାଇଛି।