ଶ୍ରାବଣ ଓ ଭାଦ୍ର: ନଦୀସ୍ନାନ ନିଷେଧ

ଏବେ ଶ୍ରାବଣ ସୋମବାରରେ ଶିବଙ୍କୁ ଜଳାଭିଷେକ କରିବାପାଇଁ ନଦୀଘାଟଗୁଡ଼ିକରେ ପ୍ରବଳ ଜନସମାଗମ ହେଉଛି। କଟକ ଗଡ଼ଗଡ଼ିଆ ଘାଟରୁ ଜଳଭାର ନେଇ ପୁରୀର ଶ୍ରୀଲୋକନାଥ ବା ସେହିପରି ଦୂର ସ୍ଥାନଗୁଡ଼ିକୁ ଯିବାପାଇଁ କାଉଡ଼ିଆ ଭକ୍ତମାନେ ତିନି, ଚାରି ଦିନ ପୂର୍ବରୁ ନଦୀ ଘାଟଗୁଡ଼ିକରେ ଭିଡ଼ କରୁଥିବା ଲକ୍ଷ୍ୟ କରାଯାଉଛି।
ଏହି କାଉଡ଼ିଆ ଶିବଭକ୍ତମାନଙ୍କର ଇତିହାସ ଅନୁଧ୍ୟାନ କଲେ ଜଣାଯାଏ, ଯେ ଅଶୀ ଦଶକ ପୂର୍ବରୁ ଏହି ପରମ୍ପରା ଆମ ରାଜ୍ୟରେ ପ୍ରାୟ ନଥିଲା। ରାଜସ୍ଥାନ ଆଦି ଜଳକଷ୍ଟ ରାଜ୍ୟରେ ଏହି ପରମ୍ପରା ପ୍ରଚଳିତ ଥିଲା। କାରଣ, ଶିବଙ୍କୁ ଜଳାଭିଷେକ କଲେ ଅନାବୃଷ୍ଟି ଦୂର ହୋଇ ଭଲ ବର୍ଷା ହୁଏ ବୋଲି ଲୋକବିଶ୍ୱାସ ରହିଛି।

ଶିବଙ୍କୁ ଜଳାଭିଷେକ କରାଯିବା ସହିତ ସମୁଦ୍ର ମନ୍ଥନ ଓ ଶିବଙ୍କର ହଳାହଳ ବିଷପାନ ଉପାଖ୍ୟାନ ଜଡ଼ିତ। ଏଣୁ, ଶ୍ରାବଣରେ ଶିବଙ୍କୁ ଜଳାଭିଷେକ କରାଯିବାର ପରମ୍ପରା ଅବଶ୍ୟ ଥିଲା; ମାତ୍ର ସେଥିରେ କାଉଡ଼ି ଭାରରେ ଜଳ ନେଇ, ଦୂର ଶିବପୀଠକୁ ଯାଇ, ଶିବଙ୍କୁ ଜଳାଭିଷେକ କରିବାର ବିଧି ନଥିଲା। ଏହାର ସମ୍ଭାବ୍ୟ କାରଣ ରୂପେ, ଆମେ ଗୋଟିଏ ଶାସ୍ତ୍ରୀୟ ପ୍ରସଙ୍ଗର ଉପସ୍ଥାପନ କରିପାରିବା। ସେଇଟି ହେଉଛି, ‘ପଣ୍ଡିତ ସର୍ବସ୍ୱ’ରେ ବର୍ଣ୍ଣିତ ଥିବା ‘ଅଥ ନଦୀ ରଜସ୍ୱଳାଃ’ ପ୍ରସଙ୍ଗ। ସେଥିରେ କୁହାଯାଇଛି- “ଯବ୍ୟଦ୍ୱୟଂ ଶ୍ରାବଣାଦିସର୍ବା ନଦ୍ୟୋ ରଜସ୍ୱଳାଃ। ତାସୁ ସ୍ନାନଂ ନ କୁର୍ବୀତ ବର୍ଜୟିତ୍ୱା ସମୁଦ୍ରଗା ଗଙ୍ଗାଦ୍ୟା ନଦ୍ୟଃ। ଯବ୍ୟୋ ମାସଃ।” ଏହାର ଅର୍ଥ- “ଶ୍ରାବଣ ଓ ଭାଦ୍ର ଏହି ଦୁଇମାସରେ ସମସ୍ତ ନଦୀ ରଜସ୍ୱଳା ହୁଅନ୍ତି। ତେଣୁ ଗଙ୍ଗା ଆଦି ସମୁଦ୍ରଗାମିନୀ ନଦୀମାନଙ୍କୁ ଛାଡ଼ି ଅନ୍ୟ ନଦୀମାନଙ୍କରେ ଏହି ସମୟରେ ସ୍ନାନ କରିବ ନାହିଁ।”
ଏଣୁ କାଉଡ଼ିଆ ଶିବଭକ୍ତମାନେ ଏହାର ତାତ୍ପର୍ଯ୍ୟ ବୁଝିବା ଉଚିତ। ସେମାନେ କେବଳ ସେହି ନଦୀରେ ସ୍ନାନ କରି ଶିବାଭିଷେକ ପାଇଁ ଜଳନେବା ଉଚିତ; ଯେଉଁ ନଦୀ ସମୁଦ୍ରଗାମିନୀ।

ସମ୍ବନ୍ଧିତ ଖବର