‘ରାମାୟଣ’ର ଏକ ବଳିଷ୍ଠ ଚରିତ୍ର ହେଉଛନ୍ତି ଅଙ୍ଗଦ। ସେ କିସ୍କିନ୍ଧ୍ୟା ନରେଶ ବାଳୀ ଓ ଅପ୍ସରା ତାରାଙ୍କର ଏକମାତ୍ର ପୁତ୍ର। ସେ ଯେପରି ଜ୍ଞାନୀ ସେହିପରି ବିଚାରବନ୍ତ ତଥା ବୀରବିକ୍ରମ ସଂପନ୍ନ। ଶ୍ରୀରାମ ବାଳୀକୁ ବଧ କରିଥିଲେ ସୁଦ୍ଧା ନିଜର ଜ୍ଞାନ ଓ ବୁଦ୍ଧି ଦ୍ୱାରା ଅଙ୍ଗଦ ଜାଣି ପାରିଥିଲେ ଯେ ରାମଚନ୍ଦ୍ର ସ୍ୱୟଂ ନାରାୟଣଙ୍କର ଅବତାର। ଫଳରେ ରାମଙ୍କ ପ୍ରତି ତାଙ୍କର ଥିଲା ଅଚଳାଚଳ ଭକ୍ତି। ବାଳୀ ବଧ ପରେ ଶ୍ରୀରାମ ଅଙ୍ଗଦଙ୍କୁ କିସ୍କିନ୍ଧ୍ୟାର ଯୁବରାଜ ଭାବରେ ଅଭିଷିକ୍ତ କରିଥିଲେ। ସୀତାଙ୍କ ଅନ୍ୱେଷଣରେ ଯେଉଁ ବାନରମାନେ ଦକ୍ଷିଣ ଦିଗକୁ ଯାତ୍ରା କରିଥିଲେ, ଅଙ୍ଗଦ ସେମାନଙ୍କର ନେତୃତ୍ୱ ନେଇଥିଲେ। ସଂପାତ୍ତିଠାରୁ ସୀତା ଲଙ୍କାରେ ରହୁଥିବା ଜାଣି ସେ ପ୍ରଥମେ ସମୁଦ୍ର ଲଙ୍ଘନ କରି ଲଙ୍କାରେ ପହଞ୍ଚିବାକୁ ଆଗଭର ହୋଇଥିଲେ। କିନ୍ତୁ ଯେହେତୁ ସେ କିସ୍କିନ୍ଧ୍ୟାର ଯୁବରାଜ, ତାଙ୍କର ସୁରକ୍ଷା ଦୃଷ୍ଟିରୁ ଜାମ୍ବବାନ ତାଙ୍କୁ ସେଥିରୁ ବିରତ କରିଥିଲେ।
ଅଙ୍ଗଦ ଥିଲେ ହନୁମାନଙ୍କର ପଟ୍ଟଶିଷ୍ୟ। ତେଣୁ ହନୁମାନଙ୍କର ଅଧିକାଂଶ ଗୁଣ ତାଙ୍କ ପାଖରେ ଦେଖାଯାଏ। ଏହାର ଏକ ସୁସଂପନ୍ନ ନମୁନା ହେଉଛି, ଯେତେବେଳେ ସମସ୍ତ ବାନରସେନା ଲଙ୍କାର ସୁବେଳ ପର୍ବତରେ ପହଞ୍ଚିଲେ, ରାମଚନ୍ଦ୍ର ସଂପୂର୍ଣ୍ଣ ରାକ୍ଷସ ସଭ୍ୟତା ଯୁଦ୍ଧରେ ବିନଷ୍ଟ ହୋଇଯିବ ଚିନ୍ତାକରି, ଯୁଦ୍ଧ ଏଡ଼ାଇବାପାଇଁ ଶାନ୍ତିଦୂତ ପଠାଇବାକୁ ମନସ୍ଥ କଲେ। ଏଥିପାଇଁ ଅଙ୍ଗଦ ହିଁ ଉପଯୁକ୍ତ ଭାବି ସେ ତାଙ୍କୁ ପଠାଇଲେ।
ଶାନ୍ତିଦୂତ ଭାବରେ ଅଙ୍ଗଦ ଲଙ୍କାରେ ଯେଉଁ ଭୂମିକା ନିର୍ବାହ କରିଥିଲେ ସେଥିରୁ ତାଙ୍କ ବ୍ୟକ୍ତିତ୍ୱର ଯଥାର୍ଥ ପରିଚୟ ମିଳେ। ପ୍ରଥମେ ଅଙ୍ଗଦ ରାବଣର ରାଜସଭାରେ ଉପନୀତ ହୋଇ ଯଥାମାନ୍ୟ ପ୍ରଦର୍ଶନ କରି ରାବଣ ସମ୍ମୁଖରେ ଶ୍ରୀରାମ ଦେଇଥିବା ଶାନ୍ତିପ୍ରସ୍ତାବ ଆଗତ କଲେ। ଏଥି ସହିତ ରାଜା ଭାବରେ ରାବଣ ପରସ୍ତ୍ରୀହରଣ କରି ରାଜକୀୟ ମର୍ଯ୍ୟାଦାର ଯେପରି ଉଲ୍ଲଙ୍ଘନ କରିଛି, ତାହା ଦର୍ଶାଇଥିଲେ। ଜଣେ ପ୍ରଜାପାଳକ ରାଜା ପାଖରେ ଥିବା ସମସ୍ତ ସୁଗୁଣ ସଂପର୍କରେ ସୂଚନା ଦେଇ ଶ୍ରୀରାମଙ୍କ ସହିତ ସନ୍ଧି କରିବାର ପ୍ରସ୍ତାବ ସେ ରାବଣକୁ ପ୍ରଦାନ କରିଥିଲେ। କିନ୍ତୁ ତାହା ରାବଣ କିମ୍ବା ତାର ସଭାସଦ୍ମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇ ନ ଥିଲା। ବରଂ ସେମାନେ ରାମ ଓ ଅଙ୍ଗଦ ଉଭୟଙ୍କୁ ଉପହାସ କରିବାକୁ ପଶ୍ଚାତ୍ପଦ ହୋଇ ନ ଥିଲେ। ଏଥିରେ କ୍ରୋଧିତ ହୋଇ ପ୍ରାଣବିଦ୍ୟା ବିଶାରଦ ଅଙ୍ଗଦ ରାଜସଭା ମଧ୍ୟରେ ଠିଆହୋଇ ଘୋଷଣା କରିଥିଲେ, କେହି ଯଦି ମୋର ପାଦକୁ ଘୁଞ୍ଚାଇ ଦେଇପାରିବ ତେବେ ମୁଁ କଥା ଦେଉଛି, ସୀତାଙ୍କୁ ନ ନେଇ ରାମଚନ୍ଦ୍ର ଅଯୋଧ୍ୟା ଫେରିଯିବେ।
କୌଣସି ସଭାସଦ୍ ଏ କାର୍ଯ୍ୟ କରିବାକୁ ସମର୍ଥ ନ ହେବାରୁ ସ୍ୱୟଂ ରାବଣ ଆସିଥିଲା। ଅଙ୍ଗଦ ତାକୁ ନିଜ ପାଦ ନ ଧରାଇ, ମନୁଷ୍ୟର ଚଉଦଦୁର୍ଗୁଣ- ଯଥା ବାମମାର୍ଗୀ, କାମୁକ, କୃପଣ, ମୂଢ଼, ଦରିଦ୍ର, ନିନ୍ଦିତ, ବୃଦ୍ଧ, ରୋଗୀ, ନିରନ୍ତର କ୍ରୋଧୀ, ବିଷ୍ଣୁଭକ୍ତି ବିମୁଖ, ବେଦ ବିରୋଧୀ, ସାଧୁ ସନ୍ଥ ବିରୋଧୀ, କେବଳ ନିଜର ଶରୀର ପୋଷଣକାରୀ, ପରନିନ୍ଦୁକ, ପାପର ଖଣି ବିଷୟରେ କହିଥିଲେ। ସେ କହିଥିଲେ, ଏହି ଦୁର୍ଗୁଣସଂପନ୍ନ ଚଉଦପ୍ରାଣୀ ମୃତ ସଦୃଶ। ଏମାନଙ୍କ ସହିତ ବୈରତା କଣ? ରାମଚନ୍ଦ୍ରଙ୍କୁ ବାରମ୍ବାର ବନବାସୀ କହୁଥିବା ରାବଣକୁ, ରାମ ସ୍ୱୟଂ ଭଗବାନ ବୋଲି ସେ ଯେପରି ଯୁକ୍ତିସମ୍ମତ ଉକ୍ତିଦ୍ୱାରା ପ୍ରତିଷ୍ଠା କରିଥିଲେ, ସେଥିରୁ ଅଙ୍ଗଦଙ୍କର ବୀରତ୍ୱ, ଶାସ୍ତ୍ରଜ୍ଞାନ ଓ ରାଜନୈତିକ ବିଚକ୍ଷଣତା ପ୍ରତିପାଦିତ ହୋଇଥାଏ।
-ଡକ୍ଟର ତୁଳସୀ ଓଝା