ଯୁକ୍ତିତର୍କରେ ନୀରବତା ଅବଲମ୍ବନ କରିବା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ !
ଆମମାନଙ୍କ ମଧ୍ୟରୁ ଅନେକ ଲୋକ ସହନଶୀଳ । ସେମାନେ କୌଣସି ଘଟଣାରେ ବିବ୍ରତ ନ ହୋଇ ଦୋଷ ନିଜ ଉପରକୁ ନେଇ ନୀରବ ରହିଥାଆନ୍ତି । କିନ୍ତୁ ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ ଯଦି କୌଣସି ପ୍ରସଙ୍ଗରେ ଅନ୍ୟ କାହା ସହିତ ମନୋମାଳିନ୍ୟ ହେଲା ଅଥବା କନ୍ଦଳ ହେଲା, ସେଥିନେଇ ଚୁପ୍ ରହନ୍ତି, ତେବେ ଆପଣ ଭିତରେ ଭିତରେ ତା’କୁ ନେଇ ଗୋଳେଇ ଘାଣ୍ଟି ହୋଇଯାଆନ୍ତି । ଏହା ଫଳରେ ଆପଣଙ୍କର ମାନସିକ ଚାପର ସ୍ତର ବୃଦ୍ଧି ପାଇଥାଏ ।
ଏ ନେଇ ଏକ ଅନୁସନ୍ଧାନ ଓ ଗବେଷଣା କରାଯାଇଥିଲା । ସେଥିରୁ ମିଳିଥିବା ପରିଣାମ ଅନୁଯାୟୀ ଯେଉଁ ଲୋକ ଯୁକ୍ତିତର୍କରୁ ନିବୃତ୍ତ ରହିବା ଲାଗି ନୀରବତା ଅବଲମ୍ବନ କରନ୍ତି, ସେମାନଙ୍କ ଭିତରେ ଥିବା ଷ୍ଟ୍ରେସ୍ ହରମୋନ୍ କାର୍ଟିଜୋଲ୍ର ସ୍ତରରେ ଅସାମାନ୍ୟ ଉତ୍ଥାନ-ପତନ ପରିଲକ୍ଷିତ ହୋଇଥାଏ । ଅପର ପକ୍ଷରେ ଯେଉଁମାନେ ଏଭଳି ପରିସ୍ଥିତିରେ ଦୃଢ ମୁକାବିଲା କରନ୍ତି, ସେମାନେ ଅଧିକ ରିଲାକ୍ସ ଓ ଆନନ୍ଦିତ ଜଣାପଡ଼ନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ମିସିପନ୍ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣା ସହ ଜଡ଼ିତ ଗବେଷକ ଡ.କୀରା ବର୍ଡିଟ୍ଙ୍କ ଅନୁଯାୟୀ ଏହାର କୁପ୍ରଭାବ ସିଧାସଳଖ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ତାଙ୍କ ଅନୁଯାୟୀ ଯେତେବେଳେ ଆପଣ ନିଜର ମାଲିକ, ସହକର୍ମୀ, ପତ୍ନୀ ବା ବନ୍ଧୁଙ୍କ ସହିତ ମତଭେଦ ହେବା ସମୟରେ ଚୁପ୍ ରହୁଛନ୍ତି, ତାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ସେହି ସମୟରେ କ୍ରୋଧକୁ ପ୍ରକାଶ କରିବା ଏକ ପ୍ରକାରର ସେନ୍ସ ଅଫ୍ କଣ୍ଟ୍ରୋଲ୍ ଓ ଅପ୍ଟିଜିମ୍ର ଭାବର ଉଦୟ କରିଥାଏ । ଯେଉଁମାନେ ସହନଶୀଳ, ସେମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ତେବେ ଯୁକ୍ତିତର୍କରେ ଯେଉଁ ଘଟଣାକୁ ନେଇ ମତଭେଦ ହୋଇଛି, ତାହା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ ବୋଲି ବରିଷ୍ଠ ମନୋଚିକିତ୍ସକ ଡ଼. ସନ୍ଦୀପ ଭୋରା ମତ ଦେଇଛନ୍ତି । କାରଣ ପୁରୁଣା କଥାରୁ ମଞ୍ଜା କାଢିଲେ ସଂପର୍କରେ ତିକ୍ତତା ଆସେ ଓ ମନରେ ନକାରାତ୍ମକ କଥା ଘର କରିଥାଏ । ମନେ ରଖନ୍ତୁ ପ୍ରତିଶୋଧ ନେବା ଲାଗି କେବେ ବି ଝଗଡା କରନ୍ତୁ ନାହିଁ ।