ସୀତାନବମୀ
ଭୂମିସୁତା ସୀତା ଯଜ୍ଞଭୂମି କର୍ଷଣ ସମୟରେ ଭୂମିରୁ ଉତ୍ପନ୍ନ ହୋଇଥିଲେ। ତେଣୁ ଏହି ଅଯୋନିସଂଭୂତାଙ୍କର ପ୍ରକଟ ଦିବସ ହିଁ ତାଙ୍କର ଜନ୍ମଦିନ ଭାବରେ ପାଳିତ ହୁଏ। ଏହା ବୈଶାଖ ଶୁକ୍ଳ ନବମୀ ତିଥି। ଭାରତୀୟ ସଂସ୍କୃତିରେ ସୀତା ଯେପରି ସମସ୍ତଙ୍କର ଆଦରଣୀୟା, ସେହିପରି ସମ୍ମାନନୀୟା। ପ୍ରତ୍ୟେକ ଭାରତୀୟ ନାରୀ ସୀତାଙ୍କୁ ସର୍ବଶ୍ରେଷ୍ଠ ଆଦର୍ଶ ରୂପେ ଗ୍ରହଣ କରିଥାନ୍ତି। ସୀତା ରାଜର୍ଷି ଜନକଙ୍କର ପୁତ୍ରୀ ଏବଂ ଅଯୋଧ୍ୟାପତି ଦଶରଥଙ୍କର ପୁତ୍ରବଧୂ। ବିଷ୍ଣୁଙ୍କର ରାମ ଅବତାରର ପତ୍ନୀ ଲକ୍ଷ୍ମୀସ୍ୱରୂପିଣୀ ସୀତା। ଏତେ ସବୁ ସତ୍ତ୍ୱେ, କୌଣସି ଦିନ ସେ ରାଜପ୍ରାସାଦର ସୁଖବୈଭବ ଭୋଗ କରିପାରିନଥିଲେ। ବିଶେଷ କରି ସୀତାଙ୍କର ସବୁଠାରୁ ଦୁଃଖର ଦିନ ଥିଲା ଯେତେବେଳେ ସନ୍ତାନସଂଭବା ଜାଣି ମଧ୍ୟ ରାମଚନ୍ଦ୍ର ତାଙ୍କୁ ବନବାସ ପ୍ରଦାନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏ ସଂପର୍କରେ ପୁରାଣରେ ବର୍ଣ୍ଣନା ଅଛି। କଥାଟି ଏହିପରି। ଏକଦା ସୀତା ଉଦ୍ୟାନରେ ପରିଭ୍ରମଣ କରିବା ସମୟରେ ଏକ ଶୁକପକ୍ଷୀ ଦମ୍ପତିଙ୍କଠାରୁ ରାମଚନ୍ଦ୍ରଙ୍କର ରୂପଗୁଣର ପ୍ରଶଂସା ଶୁଣି ଏତେ ମୁଗ୍ଧ ହୋଇଗଲେ ଯେ ପ୍ରତିଦିନ ତାହା ଶୁଣିବାପାଇଁ ଶୁକପକ୍ଷୀ ଦୁଇଟିଙ୍କୁ ଆଣି ପଞ୍ଜୁରୀରେ ରଖିଦେଲେ। ପ୍ରଥମରେ ସେମାନେ ବନଚର, ଦ୍ୱିତୀୟରେ ସ୍ତ୍ରୀପକ୍ଷୀଟି ଗର୍ଭବତୀ ଥିଲା। ସେମାନେ ଚାହୁଁଥିଲେ ତାଙ୍କ ନିଜସ୍ୱ ବାସସ୍ଥାନରେ ତାଙ୍କ ସନ୍ତାନକୁ ଜନ୍ମଦେବାକୁ। ତେଣୁ ମୁକ୍ତି ଲାଗି ବାରମ୍ବାର ସେମାନେ ସୀତାଙ୍କୁ ଅନୁରୋଧ କଲେ। କିନ୍ତୁ ସୀତା ସେଥିରେ ଆଦୌ କର୍ଣ୍ଣପାତ କଲେ ନାହିଁ। ଶେଷରେ ସ୍ତ୍ରୀପକ୍ଷୀଟିକୁ ରଖି ପୁରୁଷପକ୍ଷୀଟିକୁ ଉଡ଼ାଇ ଦେଲେ। ଏଥିରେ ସ୍ତ୍ରୀପକ୍ଷୀଟି ଅତ୍ୟଧିକ ଦୁଃଖିତ ଓ କାତର ହୋଇ ସୀତାଙ୍କୁ କହିଲା, “ମୋର ଗର୍ଭବାସ କାଳରେ ତୁମେ ଯେପରି ମୋ ପତିଠାରୁ ମୋତେ ଅଲଗା କଲ, ତୁମେ ମଧ୍ୟ ସେହିପରି ରାମଚନ୍ଦ୍ରଙ୍କଠାରୁ ଅଲଗା ହେବ।” ଏହା କହି ସ୍ତ୍ରୀ ଶୁକପକ୍ଷୀଟି ମୃତ୍ୟୁବରଣ କଲା। ତାର ମୃତ୍ୟୁରେ ଦୁଃଖିତ ହୋଇ ପୁରୁଷ ପକ୍ଷୀଟିର ମଧ୍ୟ ମୃତ୍ୟୁ ହେଲା। କିନ୍ତୁ ସୀତାଙ୍କ ପ୍ରତି ଦ୍ୱେଷ ରଖି ମୃତ୍ୟୁବରଣ କରିଥିବାରୁ ପର ଜନ୍ମରେ ସେ ଅଯୋଧ୍ୟାରେ ଏକ ରଜକ ଭାବରେ ଜନ୍ମଗ୍ରହଣ କଲା। ତାହାରି କଟୁବଚନ ହିଁ ସୀତାଙ୍କ ବନବାସର କାରଣ ହୋଇଥିଲା।
ଡକ୍ଟର ତୁଳସୀ ଓଝା