ନ୍ୟୁୟର୍କର ଆଲବର୍ଟ ଆଇନ୍ଷ୍ଟାଇନ୍ ଭେଷଜ ମହାବିଦ୍ୟାଳୟର ଦଳେ ଗବେଷକଙ୍କ ସଦ୍ୟ ଅନୁଧ୍ୟାନ ଅନୁଯାୟୀ, ଆମ ମସ୍ତିଷ୍କରେ ଡିଏନ୍ଏଗୁଡ଼ିକ ଭାଙ୍ଗିଯିବା ଓ ସେଗୁଡ଼ିକର ପୁନର୍ଗଠନ ପ୍ରକ୍ରିୟା ବଳରେ ଆମ ମନରେ କୌଣସି କଥା ଦୀର୍ଘ ଦିନ ମନେ ରହିଥାଏ। ପଲେ ମୂଷାଙ୍କ ଉପରେ ଗବେଷଣା ଚଳାଇ ସେମାନେ ଏହି ନିଷ୍କର୍ଷ ପାଇଛନ୍ତି।
ସାଧାରଣତଃ ରୋଗ ପ୍ରତିରୋଧକ ଶକ୍ତିର ବିନିଯୋଗ ତଥା ଶିକ୍ଷାଲାଭ ପ୍ରକ୍ରିୟା ସହ ମସ୍ତିଷ୍କ ଡିଏନ୍ଏର ଭଙ୍ଗୁରଶୀଳତା ଜଡ଼ିତ ବୋଲି ପୂର୍ବରୁ ଜଣାଯାଇଛି। ତେବେ ଦୀର୍ଘକାଳୀନ ସ୍ମୃତି ସହ ମଧ୍ୟ ଏହା ଜଡ଼ିତ ବୋଲି ଏବେ ସ୍ପଷ୍ଟ ହୋଇଛି।
ସେମାନଙ୍କ ନିର୍ଯାସ ଅନୁଯାୟୀ, ଦୀର୍ଘକାଳୀନ ସ୍ମୃତି ଧାରଣ କରିବା ଲାଗି ମସ୍ତିଷ୍କର କିଛି ନ୍ୟୁରନ୍ ଏକ ଶକ୍ତ ବିଦ୍ୟୁତ୍ ତରଙ୍ଗ ଅନୁଭବ କରିଥା’ନ୍ତି ଯାହା ଡିଏନ୍ଏଗୁଡ଼ିକର ଭାଙ୍ଗିବା ଓ ଯୋଡ଼ିହେବା ପ୍ରକ୍ରିୟାରୁ ଜାତ ହୋଇଥାଏ। ଏହି ତରଙ୍ଗ ଆମର ରୋଗପ୍ରତିରୋଧକ ପ୍ରଣାଳୀକୁ ଉତ୍ତେଜିତ କରି ନଷ୍ଟ ହୋଇଥିବା ଡିଏନ୍ଏର ମରାମତି କରିଥାଏ। ଏହି ପ୍ରକ୍ରିୟା ଦ୍ବାରା ଦୀର୍ଘସ୍ଥାୟୀ ସ୍ମରଣଶକ୍ତି ଆହରଣ ହୋଇଥାଏ। ସାଧାରଣତଃ ରୋଗ ପ୍ରତିରୋଧକ ଶକ୍ତିର ବିନିଯୋଗ ପ୍ରକ୍ରିୟାରେ ଡିଏନ୍ଏଗୁଡ଼ିକର ଭଙ୍ଗୁରତା ଦେଖାଯାଇଥାଏ। ଶିକ୍ଷା ସହ ମସ୍ତିଷ୍କ ଡିଏନ୍ଏର ଭଙ୍ଗୁରଶୀଳତା ଜଡ଼ିତ ବୋଲି ପୂର୍ବରୁ ଜଣାଯାଇଛି। ତେବେ ଦୀର୍ଘକାଳୀନ ସ୍ମୃତି ସହ ମଧ୍ୟ ଏହା ଜଡ଼ିତ ବୋଲି ଏବେ ସ୍ପଷ୍ଟ ହୋଇଛି। ଖରାପ ଅନୁଭୂତିର ସାମନା କଲାବେଳେ ମଧ୍ୟ ଡିଏନ୍ଏର ଭଙ୍ଗାଗଢ଼ା ପ୍ରକ୍ରିୟା ଉତ୍ପ୍ରେରିତ ହୋଇଥାଏ। ସୁତରାଂ ଖରାପ ସ୍ମୃତିସବୁ ବେଶୀ ଦିନ ମନେ ରହେ।
ଗବେଷକମାନଙ୍କ ଏହି ନୂତନ ତତ୍ତ୍ବ ଅଲଝାଇମର୍ସ ପରି ରୋଗ ଉପରେ ବିଶେଷ ଆଲୋକପାତ କରିବ ବୋଲି ଆଶା କରାଯାଉଛି। ଭଗ୍ନ ଡିଏନ୍ଏର ମରାମତି ପ୍ରକ୍ରିୟାରେ ନ୍ୟୁରନ୍ ଅଧିକ ପ୍ରୋଟିନ୍ ଆହରଣ କରୁଥିବାରୁ ଅଲଝାଇମର୍ସ ହେଉଥାଇପାରେ ବୋଲି ସେମାନେ ଅନୁମାନ କରୁଛନ୍ତି।