ପପୁଆ ନିଉ ଗିନିରେ ବସବାସ କରୁଥିବା ‘କନିଙ୍ଗାରା’ ନାମକ ଆଦିବାସୀମାନଙ୍କ ମଧ୍ୟରେ ପ୍ରଚଳିତ ଏକ ବୀଭତ୍ସ ପରମ୍ପରା ସମ୍ପର୍କରେ ଜାଣିଲେ ଲୋମ ଟାଙ୍କୁରି ଉଠିବ। ସେଠାରେ ପ୍ରାପ୍ତବୟସ୍କ ଯୁବକମାନଙ୍କର ଚର୍ମକୁ ଚିରି ବିକୃତ କରିବାର ଏକ ପ୍ରଥା ରହିଛି ଯଦ୍ଦ୍ବାରା ଜଣେ ପରିବେଶ ସହ ଆଧ୍ୟାତ୍ମିକ ସମ୍ପର୍କ ବଜାୟ ପୂର୍ବକ ପୁଲାଫାଙ୍କିଆ କିଶୋରାବସ୍ଥା ପରିହାର କରି ଦାୟିତ୍ବସଂପନ୍ନ ଯୁବକାବସ୍ଥା ହାସଲ କରିଥାଏ ବୋଲି ସେମାନଙ୍କର ବିଶ୍ବାସ ରହି ଆସିଛି। ଏ ପ୍ରକାର ରୀତିନୀତି ପାଳନ ପାଇଁ ସେମାନଙ୍କର ‘ହୌସ ତାମ୍ବାରାନ୍’ ନାମରେ ଏକ ଆଧ୍ୟାତ୍ମିକ ଗୃହ ରହିଥାଏ। ସେହି ନିର୍ଜନ ଗୃହରେ ଜଣେ ପ୍ରାପ୍ତବୟସ୍କ କିଶୋରକୁ ଦୀର୍ଘ ଦୁଇ ମାସ କାଳ ଏକାକୀ ରହିବାକୁ ଦିଆଯାଏ। ଏହାପରେ ସଂପୃକ୍ତ କିଶୋରକୁ ଜଣେ ସ୍ବୟଂସଂପୂର୍ଣ୍ଣ ମନୁଷ୍ୟରେ ପରିଣତ କରିବାର ରୂପାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥାଏ। ସେଥିପାଇଁ ଜଣେ ପ୍ରବୀଣ ଚର୍ମକଟାଳି ଏକ ଧାରୁଆ ବାଉଁଶ ପାତରେ ସଂପୃକ୍ତ ଯୁବକଙ୍କ ପିଠି ସାରା କାଟି ଦାଗ କରିଥା’ନ୍ତି। ସେ ଚର୍ମ କାଟିବାରେ ଏପରି କୌଶଳ ଅବଲମ୍ବନ କରିଥା’ନ୍ତି ଯେପରି ଶରୀରର କଟାହୋଇଥିବା ସ୍ଥାନ ଏକ କୁମ୍ଭୀରର ଚମଡ଼ା ପରି ଦେଖାଯାଇଥାଏ। ସେମାନଙ୍କର ଧାରଣା, କୁମ୍ଭୀର ହେଉଛି ମନୁଷ୍ୟର ସୃଷ୍ଟିକର୍ତ୍ତା। ସୁତରାଂ ପିଠି ସାରା ରହିଥିବା ଏପରି ଦାଗ ସତେ ଯେପରି ସଂପୃକ୍ତ ଶରୀରରେ କୁମ୍ଭୀରର ଆତ୍ମା ଯଥୋଚିତ ଆଘାତ କରି କିଶୋରାବସ୍ଥାର ଚଗଲାମିକୁ ନଷ୍ଟ କରି ଦେଇ ତାହାକୁ ଜଣେ ଦାୟିତ୍ବବାନ ଯୁବକରେ ପରିଣତ କରିଛି। ଏହି ପରମ୍ପରା ପାଳନ ବେଳେ ପଡ଼ି ରହିଥିବା ଯୁବକ ଜଣକ ରକ୍ତ ଜୁଡୁବୁଡୁ ହୋଇ ଚିତ୍କାର କରୁଥିଲେ ହେଁ ଏପରି ପ୍ରଥାକୁ ଆପଣେଇବାରେ ଗର୍ବ ଅନୁଭବ କରିଥାଏ।
ଆଦିବାସୀମାନଙ୍କ ଚର୍ମଚିରା ପରମ୍ପରା
/sambad/media/post_attachments/wp-content/uploads/2022/02/fhsf65465h4h654fh65h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)