ଆଜି ବିଶ୍ବ ପଖାଳ ଦିବସ: ଓଡ଼ିଆଙ୍କ ସବୁଦିନିଆ ଖାଦ୍ୟ ହୋଇଥିଲେ ବି ଖରାଦିନେ ବେଶି ମନେପଡ଼େ ପଖାଳ

ଗରିବଙ୍କ ସାଥୀ ପଖାଳ

ଭୁବନେଶ୍ୱର : ଖରା ଆସିଲେ ଓଡ଼ିଆଙ୍କର ଖୋଜା ପଡ଼େ ପଖାଳ କଂସା। ପଖାଳ ଓଡ଼ିଆଙ୍କ ଏକ ସ୍ୱତନ୍ତ୍ର ପରିଚୟ। ଖାଲି ଓଡ଼ିଆ କାହିଁକି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ବି ପଖାଳ ପ୍ରେମରେ। ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ। ଖରା ଦିନେ ପଖାଳ କଂସାରେ ହିଁ ଓଡ଼ିଆଙ୍କ ଶାନ୍ତି। ବାସି ପଖାଳ ଟିକେ ଖାଇ ଦେଇ ତୋରାଣି ଟିକେ ପିଇ ଦେଲେ ଡହଡହ ଖରାରେ ବି ପାଟିରୁ ଆପେଆପେ ବାହାରିଯାଏ ‘ଓଃ କି ଶାନ୍ତି…’।

ପଖାଳ ଓଡ଼ିଆଙ୍କ ସବୁଦିନିଆ ଖାଦ୍ୟ ହୋଇଥିଲେ ବି ଖରାଦିନ ଆସିଲେ ବେଶି ମନେ ପଡ଼େ। ମଧ୍ୟାହ୍ନ ଭୋଜନରେ ଧନୀଠାରୁ ଗରିବ, ସମସ୍ତେ ଖୋଜନ୍ତି ପଖାଳ କଂସା। ଅତ୍ୟାଧୁନିକ ଜୀବନଶୈଳୀରେ ଅନେକ ପରମ୍ପରା ବଳି ପଡ଼ିଥିଲେ ବି ପଖାଳ ତା’ର ମହକ ହରାଇ ନାହିଁ। ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱବ୍ୟାପୀ ପଖାଳ ଦିବସ’ ଭାବେ ପାଳିତ ହେଉଛି। ଇ-ଓଡ଼ିଶା ଅର୍ଗାନାଇଜେସନ୍ ଦ୍ବାରା ପ୍ରଥମେ ୨୦୧୧ ମସିହା ମାର୍ଚ୍ଚ ୨୦ ତାରିଖକୁ ‘ପାଖଳ ଦିବସ’ ଭାବେ ପାଳନ କରାଯାଇଥିଲା। ଏହାପର ବର୍ଷଠାରୁ ପ୍ରତିବର୍ଷ ୨୦ ମାର୍ଚ୍ଚକୁ ବିଶ୍ବବ୍ୟାପୀ ପଖାଳ ଦିବସ ଭାବେ ପାଳନ କରାଯାଉଛି।

ପିଜା, ବର୍ଗର ମାୟାରେ ରାଜଧାନୀବାସୀ କ୍ରମଶଃ ପଖାଳକୁ ପାସୋରି ଯାଉଥିବା ବେଳେ ରାଜଧାନୀର ଅସହ୍ୟ ଖରା ଓ ଅଂଶୁଘାତ ଜନିତ ସମସ୍ୟା ସହରିଆଙ୍କୁ ପୁଣି ପଖାଳ ମୁହାଁ କରିଛି। ଭାତରେ ପାଣି ଦେଇ ସେଥିରେ ଦହି, ଲେମ୍ବୁପତ୍ର, ସୋରିଷ ଲଙ୍କା ଛୁଙ୍କ କରି ପ୍ରସ୍ତୁତ କରାଯାଏ ପଖାଳ। ପୁଣି ପଖାଳ ସହିତ ବିଭିନ୍ନ ପ୍ରକାରର ଚଟଣି ଲୋକେ ଖାଇଥା’ନ୍ତି। ଧନିଆ, ନଡ଼ିଆ, ପୁଦିନା, ଆମ୍ବ, କରମଙ୍ଗା, ତେନ୍ତୁଳି,ଆମ୍ବୁଲ ସମେତ ସୁନୁସୁନିଆ, ଲେଉଟିଆ, କୋଶଳା, ମଦରଙ୍ଗା, ସଜନା, କଳମ ଆଦି ବିଭିନ୍ନ ପ୍ରକାରର ଶାଗଭଜା, ପତରପୋଡ଼ା ସାଂଗକୁ ବିଭିନ୍ନ ପ୍ରକାର ଆଚାର ପଖାଳର ସ୍ବାଦକୁ ବହୁଗୁଣିତ କରିଦିଏ। ପୁଣି ପଖାଳ ମଧ୍ୟ ବିଭିନ୍ନ ପ୍ରକାର ଯଥା ଚାଇଁ ପଖାଳ, ବାସି ପଖାଳ, ଜିରା ପଖାଳ, ଦହି ପଖାଳ ଇତ୍ୟାଦି। ବିଭିନ୍ନ ଅଞ୍ଚଳର ଲୋକ ଭିନ୍ନ ଭିନ୍ନ ପ୍ରକାରେ ଏହା ପ୍ରସ୍ତୁତ କରନ୍ତି।

Image Courtesy of Wikimedia Commons

ଏବେ ରାଜଧାନୀରେ ଗ୍ରାହକଙ୍କ ଏ ଚାହିଦାକୁ ପୂରଣ କରିବାକୁ ଛୋଟ ବଡ଼ ହୋଟେଲଠାରୁ ଆରମ୍ଭ କରି ତାରକା ହୋଟେଲମାନେ ମଧ୍ୟ ସଜବାଜ ଆରମ୍ଭ କରିଦେଲେଣି।

ଗରିବଙ୍କ ସାଥୀ ପଖାଳ

ଏବେ ସହରର ଧନୀବର୍ଗର ଲୋକମାନେ ବି ପଖାଳ ପ୍ରେମରେ ପଡ଼ିଲେଣି। ମାତ୍ର ଗାଁ ହେଉ କି ସହର, କେଉଁ ଆବହମାନ କାଳରୁ ପଖାଳ ଗରିବଗୁରୁବାଙ୍କ ସାଥୀ ହୋଇ ରହିଛି। କାରଣ ଲୁଣ ଓ ଲଙ୍କାଟିଏ ଲଗେଇ ବି ପଖାଳ ଖାଇ ଗରିବ ଲୋକେ ବଞ୍ଚିଯାଆନ୍ତି। ନୟାପଲ୍ଲୀ ଅଞ୍ଚଳରେ କାର୍ଯ୍ୟରତ ଜଣେ ଦିନ ମଜୁରିଆ ଦୀନବନ୍ଧୁ ନାୟକ କୁହନ୍ତି, ପଖାଳ ସହ ଶୁଖୁଆ ପୋଡ଼ା ହେଉ କି ବାଇଗଣ ପୋଡ଼ା ଟିକେ, ସେତିକିରେ ଆମ ଶାନ୍ତି।

ପୁଣି ପଖାଳ ସହ କିଛି ବି ଖାଦ୍ୟ ଚଟାପଟ୍ ତିଆରି କରି ଖାଇହୁଏ। ଗରମ ଭାତରେ ଅନ୍ୟ କେତେ ପ୍ରକାର ଦରକାର ହେଲା ଭଳି ପଖାଳରେ ଏତେଟା ଜଞ୍ଜାଳ ନାହିଁ। ତେବେ ସେ କାଳ ପଖାଳ ଆଉ ନାହିଁ ବୋଲି କିଛି ପୁରୁଖା ଲୋକ ମତ ଦେଇଛନ୍ତି। ସାରପିଡ଼ିଆ ଦିଆ ଧାନର ଚାଉଳରେ ଆଉ ସେ ମହକ ନ ଥିଲେ ମଧ୍ୟ ଓଡ଼ିଆଙ୍କ ପଖାଳର ମହକ ଓ ସ୍ୱାଦ ସବୁବେଳେ ରହିବ ବୋଲି ସେମାନେ କହନ୍ତି।

ସମ୍ବନ୍ଧିତ ଖବର