ନବଜାତକଙ୍କ ଠାରେ ଦେଖାଯାଉଥିବା କିଛି ସାଧାରଣ ଲକ୍ଷଣ

ଡାକ୍ତର ଦିଲ୍ଲୀପ ଦାସ

ନବଜାତ ଶିଶୁ ଘରକୁ ଆସିବା ପରେ ସମସ୍ତ ପରିବାରବର୍ଗଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥାଏ। ଏହି ସମୟରେ ଶିଶୁର କିଛି ସମସ୍ୟା ଅସାଧାରଣ ଦେଖାଗଲେ ବି ଏହା ପ୍ରକୃତରେ ସଂପୂର୍ଣ୍ଣ ସାଧାରଣ ହୋଇଥାଏ। ଏସବୁ ପରିବର୍ତ୍ତନ ପାଇଁ ଆମେ ଆଦୌ ବ୍ୟସ୍ତ ନହୋଇ ନବଜାତର ଆଗମନକୁ ଖୁସିର ସହ ସ୍ବାଗତ କରିବା କଥା।
ନବଜାତ ଶିଶୁର ଆଖିର ‌କଳାଡୋଳା ପାର୍ଶ୍ବରେ ଲାଲ ଦେଖାଯିବା ବା ଆଖିପତା ଫୁଲିବା। ଏହି ଲାଲଦାଗ ଏବଂ ଫୁଲା ଧୀରେ ଧୀରେ ଏକ ସପ୍ତାହ ମଧ୍ୟରେ ଚାଲିଯାଏ।

ଅନେକ ସମୟରେ ଦେଖାଯାଏ ଶିଶୁର ସ୍ତନ ଫୁଲିଯାଏ। ଏପରି ହୋଇଥିଲେ ଏହାକୁ ଦବାନ୍ତୁ ନାହିଁ ବା ସେଥିରୁ କ୍ଷୀର ବାହାର କରନ୍ତୁ ନାହିଁ। ଏମିତି କରିବା ଦ୍ବାରା ସଂକ୍ରମଣ(ଇନ୍‌ଫେକ୍‌ସନ୍‌)ର ସମ୍ଭାବନା ଅଧିକ ରହିଥାଏ। ଯାହାକି ଶିଶୁ ପାଇଁ ବିପଦ ବା ସମସ୍ୟା ସୃଷ୍ଟି କରେ।
ନବଜାତ କନ୍ୟା ଶିଶୁମାନଙ୍କ ଯୋନିରୁ ହେଉଥିବା ସ୍ରାବ ସହିତ ଅଳ୍ପ ରକ୍ତସ୍ରାବ ମଧ୍ୟ ଏକ ସାଧାରଣ ଘଟଣା। ଏହା ୨ରୁ ୩ଦିନ ମଧ୍ୟରେ ଠିକ୍‌ ହୋଇଯାଏ। ଏହା ମା’ର ହରମୋନାଲ ଉଇଥ୍‌ଡ୍ରୟାଲ ପାଇଁ ଶିଶୁ ପାଖରେ ଏଭଳି ସମସ୍ୟା ଦେଖାଦିଏ।
ଅନେକ ନବଜାତକଙ୍କ ତାଳୁରେ ଛୋଟ ଧଳା ସୋରିଷ ଆକାରର, ପଷ୍ଟନ୍‌ ପର୍ଲ ଦେଖାଯାଏ। ଯାହା ଏକ ସପ୍ତାହ ମଧ୍ୟରେ ଆପଣା ଛାଏଁ ଉଭାନ୍‌ ହୋଇଯାଏ।
କିଛି ନବଜାତକମାନଙ୍କର ପିଠି, ଅଣ୍ଟା, ଗୋଇଠି ଚାରି କଡରେ କଳା ଓ ଧୂସର ରଙ୍ଗର ଦାଗ ହେଖାଯାଏ। ଏଭଳି ଦାଗକୁ ମଙ୍ଗୋଲିଆନ ସ୍ପଟ୍‌ ବୋଲି କୁହାଯାଏ। ଏହା ଶିଶୁକୁ ଏକ ବର୍ଷ ବୟସ ହେଲାବେଳକୁ ସଂପୂର୍ଣ୍ଣଭାବେ ଚାଲିଯାଏ।
କିଛି ନବଜାତ ଯେଉଁମାନେ ସାମ୍ଭାବ୍ୟ ତାରିଖ ପରେ ଜନ୍ମ ହୋଇଥାନ୍ତି ସେମାନଙ୍କର ଚର୍ମ ଫାଟିବା ବା ଚର୍ମ ଛାଡିବା ପରି ସମସ୍ୟା ଦେଖାଯାଏ।
ଅନେକ ସମୟରେ ନବଜାତ ଶିଶୁର ବେକର ପଛଭାଗରେ ବା ମଥା ଓ ଆଖି ମଝିଆ ମଝି ସ୍ଥାନରେ ଲାଲ ରଙ୍ଗର ଗୋଲାକାର ଚିହ୍ନ ଦେଖାଯାଏ। ଯାହା ଧୀରେ ଧୀରେ ଉଭାନ ହୋଇଯାଏ।
ଶିଶୁର ଓଜନ ପ୍ରଥମ ସପ୍ତାହରେ ଜନ୍ମ ଓଜନର ୧୦ ପ୍ରତିଶତରୁ ୧୨ ପ୍ରତିଶତ ଯାଏ କମିଯାଏ। ଦୁଇ ସପ୍ତାହ ବେଳକୁ ନବଜାତ ପୁଣି ଥରେ ତାର ଜନ୍ମ ହୋଇଥିବା ସମୟରେ ଯେଉଁ ଓଜନ ଥିଲା ସେହି ଓଜନରେ ପହଞ୍ଚି ଯାଏ।

ସହକାରୀ ପ୍ରଫେସର, ଶିଶୁ ରୋଗ ବିଭାଗ
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଶିଶୁ ରୋଗ ଗବେଷଣା ଓ ଚିକିତ୍ସା କେନ୍ଦ୍ର

ସମ୍ବନ୍ଧିତ ଖବର