ମହାତ୍ମାଗାନ୍ଧୀ ରାଷ୍ଟ୍ରପିତା। ସେହିପରି କସ୍ତୁରବା ରାଷ୍ଟ୍ରମାତା। ପତି-ପତ୍ନୀ ଭାବରେ ଏବଂ ଜାତୀୟ ଜୀବନରେ, ଦୁହେଁ ବାରମ୍ବାର କଠିନ ପରୀକ୍ଷା ଭିତର ଦେଇ ଗତି କରିଛନ୍ତି। ତାହା ହିଁ ସେମାନଙ୍କୁ ରାଷ୍ଟ୍ରପିତା ବା ରାଷ୍ଟ୍ରମାତା ଭାବରେ ସ୍ୱୀକୃତି ଦେଇଛି। ଦକ୍ଷିଣଆଫ୍ରିକାର ଡରବାନ୍ରେ ସେମାନେ ଥିବା ବେଳର ଗୋଟିଏ ଘଟଣା ଆଜି ବି ଆମପାଇଁ ଏକ ଉଦାହରଣ।
Sambad is now on WhatsApp
Join and get latest news updates delivered to you via WhatsApp
କସ୍ତୁରବାଙ୍କର ଜନ୍ମ ୧୧ ଏପ୍ରିଲ୍, ୧୮୬୯ରେ। ୧୮୯୭ରେ ତାଙ୍କୁ ଏବଂ ଦୁଇପୁଅ ଓ ଭଣଜାଙ୍କୁ ନେଇ ଗାନ୍ଧୀଜୀ ପହଞ୍ଚିଥିଲେ ଡରବାନ୍ରେ। ସେତେବେଳକୁ କସ୍ତୁରବାଙ୍କର ବୟସ ମାତ୍ର ୨୮ ବର୍ଷ।
ଡରବାନ୍ରେ ଗାନ୍ଧୀଜୀ ଓକିଲାତି କରୁଥିଲେ। ସେତେବେଳେ ତାଙ୍କର ମୋହରିରମାନେ ପ୍ରାୟତଃ ତାଙ୍କ ଘରେ ରହୁଥିଲେ। ସେମାନଙ୍କ ମଧ୍ୟରେ ବିଭିନ୍ନ ଧର୍ମର ଲୋକ ଥିଲେ। ଗାନ୍ଧୀଜୀଙ୍କ ଘର ସାହେବୀ ଢ଼ଙ୍ଗରେ ତିଆରି ହୋଇଥିବାରୁ ସେଥିରେ ପରିସ୍ରା କରିବା ପାଇଁ ନଳା ନଥିଲା। ପ୍ରତି ଘରେ ପରିସ୍ରାପାତ୍ର ରଖାହେଉଥିଲା। ସେହି ପାତ୍ରକୁ ସଫା କରିବାର ଦାୟିତ୍ୱ ଗାନ୍ଧୀଜୀ ଓ କସ୍ତୁରବାଙ୍କ ଉପରେ ଥିଲା।
ଥରେ ଜଣେ ନୂଆ ମୋହରିର ଆସିଲେ। ସେ ଥିଲେ ଖ୍ରୀଷ୍ଟିଆନ। ତାଙ୍କର ମା-ବାପା ହରିଜନ ଥିଲେ। ତେଣୁ ତାଙ୍କର ପରିସ୍ରା ପାତ୍ର ସଫା କରିବାକୁ କସ୍ତୁରବାଙ୍କ ମନରେ କୁଣ୍ଠା ଥିଲା। ତାହାକୁ ସଫା କରିବାକୁ ନେବାବେଳେ ତାଙ୍କର ମନରେ କ୍ରୋଧ ଓ ଆଖିରେ ଲୁହ ଆସିଲା। ତାହା ଦେଖି ଗାନ୍ଧୀଜୀ କ୍ଷୁବ୍ଧ ହେଲେ। କାରଣ, ସେ ଚାହୁଥିଲେ, କସ୍ତୁରବା ଖୁସିରେ, ହସିହସି ସବୁକାମ କରନ୍ତୁ। ତେଣୁ ସେ ରାଗିଯାଇ କହିଲେ- ମୋ ଘରେ ଏସବୁ ଚଳିବ ନାହିଁ। କସ୍ତୁରବା ବି ଜବାବ ଦେଲେ- ତମ ଘର ତମର ଥାଉ, ମୁଁ ଯାଉଛି। ତାହା ଶୁଣି ଗାନ୍ଧୀଜୀ ତାଙ୍କ ହାତ ଧରି, କବାଟ ଆଡ଼କୁ ଟାଣି ଟାଣି ନେଇ, ତାଙ୍କୁ ଘର ବାହାରେ ଛାଡ଼ିଦେବାକୁ ବସିଲେ।
କିନ୍ତୁ ସେ କବାଟକୁ ଅଧା ଖୋଲିଛନ୍ତି, କସ୍ତୁରବା କହିଲେ- ତୁମକୁ କ’ଣ ଲାଜ ନାହିଁ? ନିଜକୁ ଭୁଲିଯାଉଛ? ମୁଁ ଯିବି କୁଆଡ଼େ? ମୋ ବାପା ମା, ବନ୍ଧୁବାନ୍ଧବ, ଏଠି କିଏ ଅଛି? ମୁଁ ତମର ସ୍ତ୍ରୀ ବୋଲି କ’ଣ ମନେ କରୁଛ, ମୁଁ ତମର ମାଡ଼ ଗାଳି ସବୁ ସହିବି? ମତେ ଟିକିଏ ଭଲ ବ୍ୟବହାର କର! କବାଟ ବନ୍ଦ କର। ଲୋକେ ଆମ କଳି ନଦେଖନ୍ତୁ! ତାଙ୍କ କଥା ଶୁଣି ଗାନ୍ଧୀଜୀ କବାଟ କିଳିଦେଲେ।
ଏ ସଂପର୍କରେ ଗାନ୍ଧୀଜୀ ଲେଖିଛନ୍ତି- ଯେବେ ସ୍ତ୍ରୀ ମତେ ଛାଡ଼ି ଯାଇପାରିବ ନାହିଁ, ମୁଁ ତାକୁ ଛାଡ଼ିବି କୁଆଡ଼େ? ଏହିପରି ଆମ ଭିତରେ ଅନେକ କଳି ହୋଇଛି। କିନ୍ତୁ ଶେଷରେ ଆମେ ଶାନ୍ତିରେ ମିଳିମିଶି ଯାଇଛୁ। ମୋ ସ୍ତ୍ରୀ ତା’ର ଅଦ୍ଭୁତ ସହନଶୀଳତା ଦ୍ୱାରା ସବୁବେଳେ ବିଜୟିନୀ ହୋଇଛି।