ଜଣେ ମହିଳା ପ୍ରତି ଦିନ ଦୁଇଟି ଗରାରେ, ନଈରୁ ପାଣି ଆଣନ୍ତି। ଗୋଟିଏ ଗରା ଭଲ ଏବଂ ଆରଟି ଫୁଟା। ପ୍ରତି ଦିନ ଗୋଟିଏ ରାସ୍ତାରେ ହିଁ ସେ ଫେରନ୍ତି। ଘରେ ପହଞ୍ଚିଲା ବେଳକୁ ଭଲ ଗରାରେ ପାଣି ଥାଏ। ଆରଟିରୁ ପାଣି ବୋହିବୋହି ସରିଯାଇଥାଏ। ସବୁ ବେଳେ ପାଣି ପୂରିରହୁଥିବାରୁ ଭଲ ଗରାର ଭାରି ଗର୍ବ। ସେ ଫୁଟା ଗରାକୁ ଦେଖି ହସେ, ପରିହାସ କରେ। ଫୁଟା ଗରା ଲାଜରେ, କିଛି କହିପାରେନାହିଁ। ନିଜ ଦୁର୍ଭାଗ୍ୟକୁ ନିନ୍ଦି ଦୁଃଖିତ ହୁଏ। ଦିନେ ଆଉ ସହି ନ ପାରି ମହିଳାଙ୍କୁ କହିଲା- ମାଆ, ଏ ଦୟନୀୟ ଜୀବନକୁ ନେଇ ମୋତେ ଅତି ଖରାପ ଲାଗୁଛି। ଦୟାକରି, ମତେ ସଜାଡ଼ନ୍ତୁ, ନ ହେଲେ ଫିଙ୍ଗିଦିଅନ୍ତୁ। ମୁଁ ଆପଣଙ୍କର କୌଣସି କାମରେ ଆସୁନାହିଁ। ମହିଳା କହିଲେ- ଆରେ ଫୁଟା ଗରା, ମନ ଦୁଃଖ କରନା। ମୁଁ ପ୍ରତି ଦିନ ତତେ ଡାହାଣ କାଖରେ ଜାକି ଘରକୁ ଫେରେ। କେବେ ଡାହାଣ କଡ଼ର ରାସ୍ତାକୁ ଦେଖିଛୁ? ଡାହାଣ କଡ଼ର ରାସ୍ତା ଘାସ ଓ ଫୁଲ ପରିପୂର୍ଣ୍ଣ। ବାମ ପଟ ରାସ୍ତାରେ କିଛି ନାହିଁ। ତୁ ଫୁଟା ବୋଲି ମୁଁ ଭଲ ଭାବେ ଜାଣିଛି। ତୋ ଯୋଗୁଁ ରାସ୍ତା କଡ଼ ଘାସ ଓ ଫୁଲରେ ଭରା। ତୋ ବିନା ସେଗୁଡ଼ିକ ନ ଥାଆନ୍ତେ! ତୋ’ଠାରୁ ପାଣି ପାଇ ବଢ଼ିଥିବା ଗଛର ଫୁଲରେ ମୁଁ ପୂଜା କରେ। ତୁ ନ ଥିଲେ, ମୋ ଘର ଏତେ ସୁନ୍ଦର ଦିଶୁ ନ ଥାଆନ୍ତା! ଅର୍ଥାତ୍‌, ଖୁଣ ସବୁ ବେଳେ ମୂଲ୍ୟହୀନ ହୋଇ ନ ପାରେ। ଖୁଣର ବି ଗୁଣ ସମ୍ଭବ।

Advertisment

-ସୃଜୀତ ଖୁଣ୍ଟିଆ, ଫୋନ୍‌: ୦୬୭୧-୨୩୨୩୨୫୩