କାର୍ତ୍ତିକର ବାଳଭୋଗ: ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ ବାଳଭୋଗ ନାମରେ ଏକ ସ୍ୱତନ୍ତ୍ର ଭୋଗ ଦୀର୍ଘ ୧ ମାସ ଧରି ହୋଇଥାଏ

ଶ୍ରୀମନ୍ଦିର ସ୍ୱତ୍ୱଲିପିର ଉଲ୍ଲେଖ ପ୍ରକାରେ, ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ମାସର ନୀତି, ବେଶ, ଭୋଗ ଓ ବ୍ରତ ଆରମ୍ଭ ହୁଏ। ଏହି ମାସରେ ବାଳଭୋଗ ନାମରେ ଏକ ସ୍ୱତନ୍ତ୍ର ଭୋଗ ଦୀର୍ଘ ୧ ମାସ ଧରି ହୋଇଥାଏ। ସକାଳ ଧୂପ ସରିବା ପରେ, ପାଣି ପଡ଼ି ବାଳଧୂପ ଛେକ ଆସିଲା ପରେ, ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରନ୍ତି। ବାଳଧୂପ ସରିବା ପରେ ୩ ବାଡ଼ରେ ବନ୍ଦାପନା ହୁଏ। ଏହି ସମୟରେ ‘ରାଧା-ଦାମୋଦର ବେଶ’ ଓ ‘ବାଳଧୂପ’ ନାମରେ ଏକ ଭୋଗ ହୋଇଥାଏ।

କାର୍ତ୍ତିକ ମାସର ଏହି ସ୍ୱତନ୍ତ୍ର ଭୋଗର ସୃଷ୍ଟି ସଂପର୍କରେ ଏକ ସୁନ୍ଦର ଆଖ୍ୟାୟିକା ରହିଛି। ତାହା ଅନୁସାରେ, ଦିନେ ତଳିଛ ମହାପାତ୍ର ସେବକ ଦ୍ୱିପ୍ରହର ଧୂପ ଶେଷ ପରେ ମଇଲମ କରି ମହାପ୍ରଭୁଙ୍କ ନାସାରୁ ଗୁଣାଟି ନେଇ ଲାବଣ୍ୟବତୀ ଦେବଦାସୀଙ୍କୁ ପ୍ରଦାନ କଲେ। ଏହି ଘଟଣା ପରେ, ରାଜକର୍ମଚାରୀଙ୍କଠାରୁ ଖବର ପାଇ ଗଜପତି ମହାରାଜା ସନ୍ଧ୍ୟା ଆଳତି ସମୟରେ ଶ୍ରୀମନ୍ଦିରକୁ ବିଜେ କଲେ। ଗଜପତିଙ୍କ ବିଜେ ଖବର ଶୁଣି, ସେଦିନର ପାଳିଆ ପୁଷ୍ପାଳକ ଥିବା ତଳିଛ ମହାପାତ୍ର ଲାବଣ୍ୟବତୀଙ୍କଠାରୁ ଗୁଣାଟିକୁ ତୁରନ୍ତ ନେଇଆସି ସିଂହାସନ ପାଖରେ ରଖିଦେଲେ। ଯଥାସମୟରେ ସନ୍ଧ୍ୟା ଆଳତି ଦର୍ଶନ ସାରି ରାଜା ଫେରିବା ବେଳେ ତଳିଛ ମହାପାତ୍ର ଗୁଣାଟିକୁ ରାଜାଙ୍କ ହାତକୁ ବଢ଼ାଇ ଦେଲେ। ଗଜପତି ମହାରାଜା ଶ୍ରୀନଅରରେ ପହଞ୍ଚି ମହାରାଣୀଙ୍କୁ ଗୁଣାଟିକୁ ଉପହାର ଦେଲେ।

ରାଣୀ ଗୁଣାଟିକୁ ନେବା ସମୟରେ ଦେଖିଲେ, ସେଥିରେ ଏକ ଲମ୍ବା କେଶ ଲାଗିଛି। ମନଦୁଃଖରେ ସେ ରାଜାଙ୍କୁ ସେକଥା ଜଣାଇଲେ। ତଳିଛଙ୍କୁ ସଙ୍ଗେସଙ୍ଗେ ଶ୍ରୀନଅରକୁ ଡକାଗଲା। ସେବାରେ ତ୍ରୁଟି କରିଥିବାରୁ ସେ ଦଣ୍ଡ ପାଇବେ ବୋଲି ତାଗିଦ କରାଗଲା। ତଳିଛ ରକ୍ଷା ପାଇବାକୁ କହିଲେ- ମଣିମା! ମହାପ୍ରଭୁଙ୍କ ଶ୍ରୀମସ୍ତକରେ କେଶଗୁଚ୍ଛ ରହିଛି। ଏକଥା ଶୁଣି ରାଜା ଆଶ୍ଚର୍ଯ୍ୟ ଚକିତ ହୋଇ କହିଲେ- ଆସନ୍ତାକାଲି ସକାଳ ଧୂପ ସମୟରେ ଆମ୍ଭେ ପ୍ରତ୍ୟକ୍ଷ ହୋଇ ପ୍ରଭୁଙ୍କ କେଶ ଦେଖିବୁ। ଫଳରେ ତଳିଛ ଶରଣାଗତି ହୋଇ ମହାପ୍ରଭୁଙ୍କ ନିକଟରେ ନିଜର ସମ୍ମାନରକ୍ଷା ନିମନ୍ତେ ପ୍ରାର୍ଥନା କଲେ।

ସକାଳ ଧୂପ ଆରତି ପରେ ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ କେଶଗୁଚ୍ଛ ରହିଥିବା କଥା ଗଜପତିଙ୍କୁ ତଳିଛ ସେବକ ଦେଖାଇ ଦେଲେ। ଆଦ୍ୟ ସେବକ ଗଜପତି ସେ ଦୃଶ୍ୟ ଦେଖି ଚକିତ ହେଲେ। ମହାପ୍ରଭୁଙ୍କୁ ପ୍ରଣିପାତ କରି କହିଲେ- ହେ ମହାପ୍ରଭୁ! ଆଜିଠାରୁ ଏହି ତ୍ରିମୁଣ୍ଡି ବେଶ ଓ ସକାଳ ଧୂପରେ ଆଉ ଗୋଟିଏ ‘ବାଳଭୋଗ’ ଖଞ୍ଜାଯିବ। ଶ୍ରୀନଅର ଓ ମଠାନୁଷ୍ଠାନ ପକ୍ଷରୁ ଏହି ଭୋଗ ଦ୍ରବ୍ୟ ମହାପ୍ରଭୁଙ୍କ ନିମନ୍ତେ ଶ୍ରୀମନ୍ଦିରକୁ ଆସିବ। ସେହିଦିନଠାରୁ ଏଯାଏ, ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ ବାଳଧୂପ ଭୋଗ ଅନୁଷ୍ଠିତ ହୋଇଆସୁଅଛି।

ଏହି ବାଳଧୂପ ବା ବାଳଭୋଗରେ ଦୋଭଜା ଖଇ, ଘିଅ ଚୁଡ଼ାଭଜା, ଅରୁଆ ଚାଉଳ ଭଜା, ସୋଲାଭଜା, ଗହମ ଭଜା, ରାଶି ଭଜା, ପାଗ ଖଇ, ନଡ଼ିଆକୋରା, ନଡ଼ିଆ ପାତି, ଲିଆ, ସେଓ, ଅଙ୍ଗୁର, କାକୁଡ଼ି, ପିଜୁଳି, କମଳା, ନାସପାତି ଓ ପାଚିଲା କଦଳୀ ଇତ୍ୟାଦି ଭୋଗ ଲାଗିଥାଏ।

ଡକ୍ଟର ଭାସ୍କର ମିଶ୍ର

ସମ୍ବନ୍ଧିତ ଖବର