ତୁମେ ମୋତେ ଲୁଣ ପରି ଲାଗ ବୋଲି ଶ୍ରୀକୃଷ୍ଣଙ୍କ ମୁହଁରୁ ଶୁଣିବା ପରେ ରାଗି ଗଲେ ସତ୍ୟଭାମା: ଜାଣନ୍ତୁ ମାୟାବୀ କୃଷ୍ଣ ଏପରି କାହିଁକି କହିଥିଲେ

ଏକଦା ସତ୍ୟଭାମା ଶ୍ରୀକୃଷ୍ଣଙ୍କୁ ପଚାରିଲେ, ପ୍ରଭୁ ମୁଁ ଆପଣଙ୍କୁ କେମିତି ଲାଗେ? ଶ୍ରୀକୃଷ୍ଣ ପତ୍ନୀଙ୍କ ଏହି ପ୍ରଶ୍ନର ଉତ୍ତରରେ କହିଥିଲେ, ‘‘ତୁମେ ମୋତେ ଲୁଣିଆ ଲାଗ।’’

ଏହି ତୁଳନାକୁ ଶୁଣି ସତ୍ୟଭାମା କ୍ରୋଧିତ ହୋଇଯାଇଥିଲେ। କହିଲେ ଏମିତି କିଏ ତୁଳନା କରନ୍ତି ପ୍ରଭୁ। ଶ୍ରୀକୃଷ୍ଣ କୌଣସି ପ୍ରକାରେ ସତ୍ୟଭାମାଙ୍କୁ ବୁଝାଇସୁଝାଇ ଶାନ୍ତ କରିଦେଲେ। କିଛିଦିନ ପରେ ଶ୍ରୀକୃଷ୍ଣ ଏକ ଭୋଜନର ଆୟୋଜନ କରିଥିଲେ। ସର୍ବପ୍ରଥମେ ସତ୍ୟଭାମାଙ୍କୁ ଭୋଜନ ଆରମ୍ଭ କରିବାକୁ କୁହାଯାଇଥିଲା।

ପ୍ରଥମେ ଖାଦ୍ୟ ମୁହଁରେ ଦେଇଛନ୍ତି କି ନାହିଁ, ସତ୍ୟଭାମା କହିଲେ ଆରେ ଇଏ କ’ଣ ଏହି ଖାଦ୍ୟରେ ତ ଲୁଣ ହିଁ ନାହିଁ। ଛି ଛି କହି ଖାଦ୍ୟକୁ ମୁହଁରୁ ବାହାର କରିଦେଲେ। ସେହିପରି ଅନ୍ୟ ଏକ ବ୍ୟଞ୍ଜନକୁ ଖାଇଲେ, ଏଥିରେ ବି ସମାନ ସମସ୍ୟା, ଲୁଣ ନାହିଁ। ପାଣି ପିଇ ସତ୍ୟଭାମା ସେହି ଖାଦ୍ୟକୁ ଗିଳିବାକୁ ଚେଷ୍ଟା କରିଥିଲେ। ଏପରି ଯେଉଁ ଖାଦ୍ୟ ଖାଇଲେ ସେଥିରେ ଲୁଣ ପଡ଼ି ନଥିଲା। ଏହାପରେ ସତ୍ୟଭାମା ରାଗି ଯାଇ ଚିତ୍କାର କରି କହିଲେ କିଏ ଏହି ଖାଦ୍ୟକୁ ପ୍ରସ୍ତୁତ କରିଛି?

ସତ୍ୟଭାମାଙ୍କ ଚିତ୍କାର ଶୁଣି ସତ୍ୟଭାମା ପାଖକୁ ଶ୍ରୀକୃଷ୍ଣ ଦୌଡ଼ି ଆସି ପଚାରିଲେ କ’ଣ ହେଲା ଦେବୀ, ତୁମେ ଏତେ କ୍ରୋଧିତ କ’ଣ ପାଇଁ ଅଛ?

ସତ୍ୟଭାମା କହିଲେ ଏପରି ଲୁଣ ନପକାଇ କିଏ କ’ଣ ରୋଷେଇ କରନ୍ତି? ଗୋଟିଏ ବି ଦାନା ମୁହଁରେ ଦେଇ ହେଉନି।

ଶ୍ରୀକୃଷ୍ଣ ନରମ ସ୍ୱରରେ କହିଲେ, ଦେବୀ ଲୁଣ ନଥିଲେ କ’ଣ ହେଲା ତୁମେ ବିନା ଲୁଣରେ ଖାଇ ଦେଇ ଥାଆନ୍ତ। ଯଦି ଲୁଣ ପଡ଼ି ନଥିବା ଖାଦ୍ୟ ତୁମକୁ ଭଲ ଲାଗୁନି। ତେବେ ସେହିଦିନ ତୁମେ କାହିଁକି ରାଗିଲ, ଯେଉଁଦିନ ମୁଁ ତୁମକୁ କହିଥିଲି କି, ଦେବୀ ତୁମେ ମୋତେ ଲୁଣ ପରି ପ୍ରିୟ ଲାଗ। ଶ୍ରୀକୃଷ୍ଣଙ୍କ ଏଭଳି ଉତ୍ତର ଶୁଣି ସତ୍ୟଭାମା ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଶ୍ରୀକୃଷ୍ଣ ସତ୍ୟଭାମାଙ୍କୁ କହିଲେ, ପତ୍ନୀ ଜଳ ଭଳି ହୋଇଥାଆନ୍ତି। ଯେଉଁଥିରେ ବି ମିଶ୍ରଣ କଲେ ସେହି ଗୁଣକୁ ସେମାନେ ଆପଣାଇ ନେଇ ଥାଆନ୍ତି। ସେହିପରି ପତ୍ନୀ ଲୁଣ ଭଳି ବି ହୋଇଥାଆନ୍ତି। କାରଣ ସେ ସବୁବେଳେ ନିଜ ଅସ୍ତିତ୍ୱକୁ ହଟାଇ ନିଜ ଭଲ ପାଇବା ଓ ସ୍ନେହରେ ପରିବାରକୁ ବାନ୍ଧି ରଖି ଥାଆନ୍ତି। ଏବେ ଯାଇ ସତ୍ୟଭାମାଙ୍କୁ ଶ୍ରୀକୃଷ୍ଣଙ୍କ ଏହି କଥାର ମର୍ମ ବୁଝି ହୋଇଥିଲା।

ସମ୍ବନ୍ଧିତ ଖବର