ଚୈତ୍ର ଶୁକ୍ଳ ନବମୀ ଶ୍ରୀରାମନବମୀ ଭାବରେ ସାରା ଭାରତରେ ପ୍ରସିଦ୍ଧ। କାରଣ, ଏହି ତିଥିରେ ଅଯୋଧ୍ୟାର ରାଜା ଦଶରଥଙ୍କ ଜ୍ୟେଷ୍ଠପୁତ୍ର ଭାବରେ ଶ୍ରୀରାମ ଜନ୍ମଗ୍ରହଣ କରିଥିଲେ। ସେ ଥିଲେ ଭଗବାନ ବିଷ୍ଣୁଙ୍କର ସପ୍ତମ ଅବତାର। ଆଦିକବି ବାଲ୍ମୀକିଙ୍କ ସଂସ୍କୃତ ‘ରାମାୟଣ’ର ‘ବାଳକାଣ୍ଡ’ରେ ତାଙ୍କର ଆବିର୍ଭାବର ବର୍ଣ୍ଣନା ଅଛି।

Advertisment

ଏହି ‘ଶ୍ରୀମଦ୍ ବାଲ୍ମୀକୀୟ ରାମାୟଣ’ର ବାଳକାଣ୍ଡର ୧୬ ସର୍ଗରେ ଥିବା ବର୍ଣ୍ଣନା ଅନୁସାରେ- ଭଗବାନ ବିଷ୍ଣୁ ସର୍ବଜ୍ଞ। ସେ ଜାଣିଥିଲେ ଯେ ତ୍ରେତୟା ଯୁଗରେ ରାବଣ ବଧ ପାଇଁ ତାଙ୍କୁ ଅବତାର ଗ୍ରହଣ କରିବାକୁ ହେବ। ତାହା ସତ୍ତ୍ବେ, ରାବଣର ଉତ୍ପାତରେ ଅତିଷ୍ଠ ହୋଇ ଦେବଗଣ ଯେତେବେଳେ ସେଥିରୁ ପରିତ୍ରାଣ ନିମ‌ନ୍ତେ ତାଙ୍କୁ ପ୍ରାର୍ଥନା କଲେ, ସେ କହିଲେ- ହେ ଦେବଗଣ! ରାକ୍ଷସରାଜ ରାବଣର ବଧ ନିମନ୍ତେ କି ଉପାୟ ଅଛି; ଯାହା ଅବଲମ୍ବନ କଲେ ମହର୍ଷିମାନଙ୍କ ପାଇଁ କଣ୍ଟକତୁଲ୍ୟ ସେହି ନିଶାଚରକୁ ବଧ କରିହେବ?

ତାଙ୍କର ସେହି ପ୍ରଶ୍ନ ଶୁଣି ଦେବଗଣ କହିଲେ- ହେ ପ୍ରଭୁ! ଆପଣ ମନୁଷ୍ୟ ରୂପେ ଜନ୍ମ ଗ୍ରହଣ କରି ରାବଣକୁ ଯୁଦ୍ଧରେ ନିହତ କରନ୍ତୁ! ସେହି ନିଶାଚର ସମସ୍ତ ଲୋକଙ୍କର ପୂର୍ବଜ ତଥା ଲୋକସ୍ରଷ୍ଟା ବ୍ରହ୍ମାଙ୍କୁ ତପସ୍ୟା ବଳରେ ପ୍ରସନ୍ନ କରି ସାରିଛି। ବ୍ରହ୍ମା ତାକୁ ବର ଦେଇଛନ୍ତି, ଯେ କେବଳ ମନୁଷ୍ୟ ବ୍ୟତୀତ ଆଉ କାହାଠାରୁ ତା’ର କୌଣସି ଭୟ ନାହିଁ। ସେହି ବରପ୍ରାପ୍ତି ସମୟରେ ରାବଣ ମନୁଷ୍ୟଙ୍କୁ ଦୁର୍ବଳ ଓ ହେୟ ବୋଲି ମନେ କରି ଏହି ବରକୁ ଆନନ୍ଦର ସହିତ ଗ୍ରହଣ କରିଥିଲା।
ଦେବଗଣଙ୍କର ସେହି କଥା ଶୁଣି, ଭଗବାନ ବିଷ୍ଣୁ ତାଙ୍କର ତ୍ରେତୟାଯୁଗର ଅବତାରରେ ରାଜା ଦଶରଥ ହିଁ ତାଙ୍କର ପିତା ହେବେ ବୋଲି ଇଚ୍ଛା ପ୍ରକାଶ କଲେ।
ସେହି ସମୟରେ ଶତ୍ରୁସୂଦନ ମହାତେଜା ରାଜା ଦଶରଥ, ପୁତ୍ରପ୍ରାପ୍ତି କାମନାରେ ପୁତ୍ରେଷ୍ଟି ଯଜ୍ଞ କରୁଥିଲେ। ସେହି ଯଜ୍ଞରୁ ଏକ ଅତ୍ୟନ୍ତ ତେଜସ୍ବୀ ଯଜ୍ଞପୁରୁଷ ପ୍ରକଟ ହେଲେ। ସେ ଦଶରଥଙ୍କୁ କହିଲେ- ହେ ରାଜା! ତୁମେ ପରମ ଦେବପୂଜକ। ଏଣୁ ଦେବତାମାନେ ତୁମ ପାଇଁ ଏହି ଚରୁ ପ୍ରସ୍ତୁତ କରିଛନ୍ତି। ଏହାକୁ ଖାଇଲେ ତୁମ୍ଭର ପତ୍ନୀ ସନ୍ତାନବତୀ ହେବେ। ତାଙ୍କୁ ଏହି ଚରୁ ଦେବ। ଦଶରଥ ପ୍ରସନ୍ନ ହୋଇ ଦିବ୍ୟ ଯଜ୍ଞପୁରୁଷଙ୍କଠାରୁ ସେହି ଦେବାନ୍ନ ଗ୍ରହଣ କଲେ। ସେହି ଦିବ୍ୟାନ୍ନରୁ ଅଧେ କୌଶଲ୍ୟା ଖାଇ ଶ୍ରୀରାମଙ୍କୁ ଜନ୍ମ ଦେଲେ। ବାକି ଅଧା ଭାଗରୁ କୈକେୟୀଙ୍କଠାରୁ ଭରତ ଏବଂ ସୁମିତ୍ରାଙ୍କ ଠାରୁ ଲକ୍ଷ୍ମଣ ଓ ଶତ୍ରୁଘ୍ନ ଜନ୍ମ ନେଇଥିଲେ।