କେଉଁ ଭାଷା ବୁଝନ୍ତି ଜଗନ୍ନାଥ ? ଜାଣନ୍ତୁ କ’ଣ କହୁଛି ସ୍କନ୍ଦପୁରାଣ

ଶ୍ରୀଜଗନ୍ନାଥ ସମଗ୍ର ଜଗତର ନାଥ। ସାରା ଦୁନିଆରେ କେତେ ଲୋକ! କେତେ ଅଲଗା ଅଲଗା ସେମାନଙ୍କର ଭାଷା! ସେମାନେ ନିଜ ନିଜ ଭାଷାରେ ହିଁ ଜଗନ୍ନାଥଙ୍କୁ ଡାକନ୍ତି। ସେମାନଙ୍କର ଗୁହାରି ଜଣାନ୍ତି। ତା’ ହେଲେ ଜଗନ୍ନାଥ କ’ଣ ସେ ସମସ୍ତଙ୍କର ଭାଷା ବୁଝନ୍ତି?

ଏହାର ଗୋଟିଏ ସୁନ୍ଦର ଉତ୍ତର ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ର ଚତୁର୍ଥ ଅଧ୍ୟାୟରେ ଅଛି।

ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରତି ପ୍ରସନ୍ନ ହୋଇ ଶ୍ରୀଜଗନ୍ନାଥ ଦାରୁମୟ ବିଗ୍ରହ ଧାରଣ କରି ନୀଳାଚଳରେ ଅବସ୍ଥାନ କଲେ। ତାଙ୍କ ସହ ଅବସ୍ଥାନ କଲେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ। ଏହା ସେହି ସମୟର କଥା। ଏହି ପ୍ରସଙ୍ଗରେ ଋଷି ଜୈମିନୀ ଅନ୍ୟ ମୁନିମାନଙ୍କୁ ତାଙ୍କର ମହିମା ସଂପର୍କରେ ବୁଝାଇଛନ୍ତି। ସେହି ପ୍ରସଙ୍ଗରେ ଏହି ‘ଭାଷା’ କଥାଟି ଆସିଛି।

ଜୈମିନୀ କହିଲେ- ହେ ମୁନିଗଣ! ଜନସାଧାରଣଙ୍କର ଉପକାର ନିମନ୍ତେ ନୀଳମେଘ ସଦୃଶ ଶଙ୍ଖଚକ୍ରଧାରୀ ଭଗବାନ ଏହି ଦାରୁବିଗ୍ରହ ଧାରଣ କରିଛନ୍ତି। ସେହି ଭଗବାନଙ୍କୁ ଦର୍ଶନ କଲେ ତ୍ରିତାପ ହରଣ ହୁଏ ଏବଂ ସତ୍‌କର୍ମର ଫଳ ମିଳେ। ଏ କେବଳ କାଷ୍ଠମୟୀ ପ୍ରତିମା ନୁହନ୍ତି; ଏ ଦାରୁମୟ ବ୍ରହ୍ମ। ଅଲୌକିକ ହେଲେ ମଧ୍ୟ ଏ ଲୌକିକ ରୂପରେ ପ୍ରକଟିତ।

ଏହି ପ୍ରସଙ୍ଗରେ ଜୈମିନୀ ଋଷି ଶ୍ରୀଜଗନ୍ନାଥଙ୍କ ବିଭୂତିର ବର୍ଣ୍ଣନା କରି କହିଛନ୍ତି- ଶ୍ରୀଜଗନ୍ନାଥ ସମସ୍ତଙ୍କର ପାପମୁକ୍ତିର ଉପାୟ, ସମସ୍ତଙ୍କର ବିପଦର ନିବାରକ, ସମସ୍ତଙ୍କର ସଦ୍‌ଗୁଣର ପରିବର୍ଦ୍ଧକ ଏବଂ ସମସ୍ତ ଯୋଗୀଗଣଙ୍କର ଉପାସ୍ୟ। ନିଖିଳ ଜଗତର ଏହି ଧାତା ଓ ପାଳନକର୍ତ୍ତାଙ୍କର ଆଉ ଗୋଟିଏ ବିଭୂତି ହେଉଛି, ସେ ‘ଅଖିଳ ଭାଷାବିତ୍‌’।

ଏହାର ତାତ୍ପର୍ଯ୍ୟ ହେଉଛି- ଶ୍ରୀକ୍ଷେତ୍ର ପୁରୀର ନୀଳାଚଳରେ, ଦାରୁମୟ ରୂପରେ ପ୍ରକଟିତ ହୋଇଥିବା ଏହି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ସମସ୍ତଙ୍କର ମଙ୍ଗଳପାଇଁ ଆବିର୍ଭୂତ ହୋଇଛନ୍ତି। ତେଣୁ, ସେ ସବୁ ଭାଷା ବୁଝି ପାରନ୍ତି। କାରଣ ‘ଅଖିଳ ଭାଷାବିତ୍‌’ ଭାବରେ ସେ ସବୁ ଭାଷାରେ ଅଭିଜ୍ଞ।

ଏଣୁ ଆମେ ଓଡ଼ିଆ ଭାଷାରେ ଡାକିଲେ ଶ୍ରୀଜଗନ୍ନାଥ ଯେପରି ଶୁଣନ୍ତି, ଅନ୍ୟ ଯେ କେହି ନିଜ ଭାଷାରେ ଡାକିଲେ ମଧ୍ୟ ସେ ଶୁଣିଥାଆନ୍ତି।

ସମ୍ବନ୍ଧିତ ଖବର