ଶ୍ରୀଲିଙ୍ଗରାଜଙ୍କ ଦୟଣାଚୋରି ଯାତ୍ରା

ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଦୟଣାଚୋରି ଯାତ୍ରା ପରି, ଏକାମ୍ରକ୍ଷେତ୍ରରେ ମଧ୍ୟ ଶ୍ରୀଲିଙ୍ଗରାଜଙ୍କର ଦୟଣାଚୋରି ଯାତ୍ରା ଅଛି। ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରାର ଅନ୍ତର୍ଗତ ହେବା ପରି, ଏହା ମଧ୍ୟ ଶ୍ରୀଲିଙ୍ଗରାଜଙ୍କ ଚତୁର୍ଦ୍ଦଶଯାତ୍ରାର ଅନ୍ତର୍ଗତ। ଏହା ମଧ୍ୟ ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀରେ ପାଳିତ ହୁଏ। ଏ ଯାତ୍ରାରେ ରୁକୁଣାରଥରୁ ଫେରିଥିବା ଶ୍ରୀଲିଙ୍ଗରାଜ, ଶ୍ରୀତୀର୍ଥେଶ୍ୱରଙ୍କୁ ଭେଟିବାକୁ ଯାଆନ୍ତି। ସେଠାକୁ ଶିବତୀର୍ଥ ମଠ ପକ୍ଷରୁ ଦୟଣା ପଠାଯାଏ। କିନ୍ତୁ ଏବେ ଶ୍ରୀଲିଙ୍ଗରାଜଙ୍କ ଐତିହ୍ୟସ୍ଥଳୀ ବିକାଶ ଯୋଜନାରେ ଶିବତୀର୍ଥ ମଠ ମାଟିରେ ମିଶିଯାଇଛି। ‘ଆମ ଓଡ଼ିଶା’ ପ୍ରକାଶିତ ‘ଶ୍ରୀଲିଙ୍ଗରାଜ’ ପୁସ୍ତକର ଲେଖକ ଭାଗୀରଥି ମହାସୁଆରଙ୍କ ଅନୁସାରେ, ଏହି ଦୟଣାଚୋରି ଯାତ୍ରା ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାର ଚୂଡ଼ାନ୍ତ ନୀତି।
ବିଷ୍ଣୁ ଦମନକ ଚତୁର୍ଦ୍ଦଶୀର ଉପାଖ୍ୟାନ ଅନୁସାରେ, ମତ୍ସ୍ୟ ଅବତାରରେ ଭଗବାନ ବିଷ୍ଣୁ ଦମନକ ଅସୁରକୁ ଜଳରୁ ସ୍ଥଳଭାଗକୁ ଟାଣି ଆଣି ନିହତ କରିଥିଲେ ଏବଂ ସେହି ଅସୁର ଏକ ସୁଗନ୍ଧିତ ତୃଣରେ ପରିଣତ ହୋଇଥିଲା। ସେହି ସୁଗନ୍ଧିତ ତୃଣ ହେଉଛି ଦୟଣା। ତାହା ସମସ୍ତ ପୁଷ୍ପଠାରୁ ଅଧିକ ସୁବାସିତ ହୋଇଥିଲା ଏବଂ ତାହାର ବର୍ଣ୍ଣ ମଧ୍ୟ ଭଗବାନ ବିଷ୍ଣୁଙ୍କ ପରି ସୁନ୍ଦର ଥିଲା। ତେଣୁ ବିଷ୍ଣୁ ବନମାଳା ସହିତ ତାହାକୁ ହୃଦୟରେ ଧାରଣ କଲେ।

ଶିବ ଦମନକ ଚତୁର୍ଦ୍ଦଶୀ ସହିତ ମଧ୍ୟ ସେପରି ପୌରାଣିକ ଉପାଖ୍ୟାନ ଜଡ଼ିତ। ତାହା ଅନୁସାରେ- ଶିବଙ୍କର କ୍ରୋଧରୁ ଭୈରବ ଜାତ ହୋଇଥିଲେ। କିନ୍ତୁ ସେ ଥରେ ଶିବଙ୍କ ଇଚ୍ଛାର ବିରୋଧାଚରଣ କରି, ଦେବଗଣଙ୍କୁ ଧ୍ୱଂସ କରିଦେବାପାଇଁ ଉଦ୍ୟମ କରିବାରୁ ଶିବ ତାଙ୍କୁ ଅଭିଶାପ ଦେଇ ଏକ ସୁବାସିତ ତୃଣରେ ପରିଣତ କରିଦେଲେ। ସେଥିରେ ଦୁଃଖିତ ହୋଇ, ସେହି ଅଭିଶାପ ଫେରାଇନେବାପାଇଁ ଭୈରବ ନିବେଦନ କଲେ। ଫଳରେ ଶିବ ଦୟାର୍ଦ୍ର ହୋଇ କହିଲେ- ତୁମକୁ ସମସ୍ତେ ପୂଜା କରିବେ। ପୌରାଣିକ ବିଶ୍ୱକୋଷ ଅନୁସାରେ, ସେହି ପୂଜା ହେଉଛି ‘ଦମନକ ଆହରଣ ଉତ୍ସବ’।

ଏହି ଉତ୍ସବର ବିଧାନ ଅନୁସାରେ, ସପ୍ତମୀ ବା ତ୍ରୟୋଦଶୀ ତିଥିରେ ଦୟଣାଗଛ ନିକଟକୁ ଯାଇ କୁହାଯାଏ “ହେ ଉଦ୍ଭିଦ! ତୁମେ ହରିଙ୍କର ଶକ୍ତିରୁ ଜାତ ଏବଂ ଏବେ ମୋ ସମ୍ମୁଖରେ ବିଦ୍ୟମାନ। ଶିବଙ୍କ ପକ୍ଷରୁ ଏବଂ ତାଙ୍କର ଆଦେଶରୁ, ମୋତେ ତୁମକୁ ମୋ ଘରକୁ ନେଇଯିବାକୁ ହେବ।” ଏହା କହି ଦୟଣାକୁ ପୂଜା କରାଯାଏ। ଗୃହରେ ଶିବ, ସୂର୍ଯ୍ୟ ଓ ଅଗ୍ନିଙ୍କୁ ଆବାହନ କରି ତାହାକୁ ନେଇ ଘରର ଈଶାଣ କୋଣରେ ମୂଳ ସହ ପୋତିଦିଆଯାଏ। ସେହିପରି, ତାହାର ଡାଳକୁ ଘରର ଉତ୍ତର ଦିଗରେ ଏବଂ ପତ୍ର ଓ ଫୁଲକୁ ପୂର୍ବ ଦିଗରେ ପୋତାଯାଏ।

କିନ୍ତୁ ଦିନେ ପ୍ରତି ଗୃହର ଉତ୍ସବ ଥିବା ଏହି ଦୟଣା ଆହରଣ ଏବେ କେବଳ ବିଷ୍ଣୁ ବା ଶିବଙ୍କ ମନ୍ଦିରର ଉତ୍ସବ ଭିତରେ ସୀମିତ ହୋଇଯାଇଛି।

ସମ୍ବନ୍ଧିତ ଖବର