ଶ୍ରୀମନ୍ଦିରର ଅମୃତଲଡ଼ୁ

କାଳୀୟଦଳନ ଶ୍ରୀଜଗନ୍ନାଥଙ୍କର ଗୋଟିଏ ପ୍ରସିଦ୍ଧ ବେଶ। ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀର କୃଷ୍ଣଜନ୍ମ ନୀତି ପରେ, ଏକାଦଶୀ ଦିନ ଶ୍ରୀମନ୍ଦିରରେ ଏହି ବେଶ ଅନୁଷ୍ଠିତ ହୋଇଥାଏ। ଏଥିରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର କାଷ୍ଠନିର୍ମିତ ଶ୍ରୀଭୁଜ ଓ ଶ୍ରୀପୟରଯୁକ୍ତ ହୋଇଥାଆନ୍ତି। ବେଶଟି ଅତି ସୁନ୍ଦର ଓ ଚିତ୍ତାକର୍ଷକ। ଏଥିରେ ଏକ ସପ୍ତଫଣୀ କୃଷ୍ଣସର୍ପର ମସ୍ତକ ଶ୍ରୀଜଗନ୍ନାଥଙ୍କ ଶ୍ରୀପୟର ତଳେ ରହିଥାଏ ଏବଂ ଅବଶିଷ୍ଟ ଅଂଶ ଶ୍ରୀବିଗ୍ରହଙ୍କର ସମଗ୍ର ଶରୀରକୁ ବେଷ୍ଟନ କରିଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ବାମ ହସ୍ତରେ କାଳୀୟର ଲାଞ୍ଜ ଓ ଦକ୍ଷିଣ ହସ୍ତରେ ଅମୃତଲଡ଼ୁ ଧାରଣ କରିଥାନ୍ତି। ସେହିପରି, ବଡ଼ଠାକୁର ଶ୍ରୀବଳଭଦ୍ର ମଧ୍ୟ ଦଣ୍ଡାୟମାନ ଭଙ୍ଗୀରେ ରହି ବାମ ହସ୍ତରେ ପଦ୍ମକଢ଼ି ଓ ଦକ୍ଷିଣ ହସ୍ତରେ ଅମୃତଲଡ଼ୁ ଧାରଣ କରିଥାନ୍ତି।

ପୁରୀର ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ଏଥିପାଇଁ ଦୁଇଟି ବୃହତ୍‌କାୟ ଲଡ଼ୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିରକୁ ପଠାହୋଇଥାଏ। କ୍ଷୀର, ଖୁଆ, କୋରାନଡ଼ିଆ, ଗୁଡ଼ ଓ ଅଳେଇଚ ଆଦିରେ ମଠର ଗୁଡ଼ିଆ ଏହି ଲଡ଼ୁ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ପଠାଇଥାଆନ୍ତି।

ଶ୍ରୀମନ୍ଦିର ବାହାରେ ଅନୁଷ୍ଠିତ ହେଉଥିବା କାଳୀୟଦଳନ ଲୀଳାରେ ମଧ୍ୟ ଅମୃତଲଡ଼ୁ ଭୋଗର ବିଧି ଅଛି। ଭାଦ୍ରବମାସ କୃଷ୍ଣ ପକ୍ଷ ଏକାଦଶୀ ଦିନ, ମଧ୍ୟାହ୍ନ ଧୂପ ସରିବା ପରେ, ମଦନମୋହନ ଏବଂ ରାମ ଓ କୃଷ୍ଣ ରତ୍ନସିଂହାସନରେ ବିଜେ ହୁଅନ୍ତି। ସେଠାରେ ଆଜ୍ଞାମାଳ ପାଇ ସେମାନେ ଲୋକନାଥରୋଡ଼ ସ୍ଥିତ ଲବଣୀଖିଆ ମଣ୍ଡପକୁ ଗମନ କରନ୍ତି। ସେଠାରେ ବନ୍ଦାପନା ଓ ଶୀତଳଭୋଗ ଆଦି ନୀତି ସମାପନ ପରେ ସେମାନେ ମାର୍କଣ୍ଡ ପୁଷ୍କରିଣୀକୁ ବିଜେ କରନ୍ତି। ସେଠାରେ କାଳୀୟଦଳନ ଲୀଳା ଅନୁଷ୍ଠିତ ହୁଏ। ଏହି ଅବସରରେ ବନ୍ଦାପନା ଓ ଶୀତଳ ଭୋଗ ହେବା ସହିତ, ଶ୍ରୀମନ୍ଦିରର ବଲ୍ଲଭ ଗୁଡ଼ିଆ ଦ୍ୱାରା ଗୁଡ଼, ନଡ଼ିଆ ଓ ଅଳେଇଚ ଆଦିରେ ପ୍ରସ୍ତୁତ ଅମୃତଲଡ଼ୁ ଭୋଗ କରାଯାଏ। କାଳୀୟ ନାଗର ଦଂଶନଜନିତ ବିଷଜ୍ୱାଳାରେ ଅଚେତ ହୋଇଯାଇଥିବା ଶିଶୁ କୃଷ୍ଣଙ୍କର ବିଷ ଏହି ଲଡ଼ୁଦ୍ୱାରା ହରଣ ହୋଇଥାଏ। ଦ୍ୱାପର ଯୁଗର କାଳୀୟଦଳନର ସ୍ମୃତିରେ ଏହି ଲୀଳା ଅନୁଷ୍ଠିତ ହୋଇଥାଏ।

କଥିତ ଅଛି ଯେ ଶ୍ରୀମନ୍ଦିରରେ କାଳୀୟଦଳନ ବେଶରେ ଯେଉଁ ଅମୃତଲଡ଼ୁ ଭୋଗ ନିବେଦିତ ହୁଏ, ତାହାକୁ ସେବନ କଲେ ସର୍ପଦଂଶନ ଯୋଗରୁ ନିସ୍ତାର ମିଳିଥାଏ।

ଡକ୍ଟର ଭାସ୍କର ମିଶ୍ର

ସମ୍ବନ୍ଧିତ ଖବର