ଶ୍ରୀନୃସିଂହ ଭଗବାନ ବିଷ୍ଣୁଙ୍କର ଚତୁର୍ଥ ଅବତାର। ଏହାଙ୍କର ଶରୀରର ଊର୍ଦ୍ଧ୍ୱଭାଗ ସିଂହରୂପ ଏବଂ ନିମ୍ନଭାଗ ନରରୂପ। ପୀତାମ୍ବର ଦାସ ଓଡ଼ିଆ ‘ନୃସିଂହ ପୁରାଣ’ରେ ଏହାଙ୍କର ବର୍ଣ୍ଣନା କରି କହିଛନ୍ତି-
“ମହା ଭୟଙ୍କର ମୂର୍ତ୍ତି ବିକଟଦର୍ଶନ,
ସିଂହମୁଖ ରଙ୍ଗନେତ୍ର ମନୁଷ୍ୟ ଚରଣ।”
ଶ୍ରୀନୃସିଂହଙ୍କର ଏହି ବିକଟଦର୍ଶନ, ଭୟଙ୍କର ମୂର୍ତ୍ତି ଦର୍ଶନ କରି ହିରଣ୍ୟକଶିପୁ ମୂର୍ଚ୍ଛିତ ହୋଇପଡ଼ିଥିଲା। ଶ୍ରୀନୃସିଂହ ତାହାକୁ ନିଜ ଜାନୁ ଉପରେ ପକାଇ, ତୀକ୍ଷ୍ଣ ନଖରେ ବିଦାରଣ କରିଥିଲେ।
ଆମ ଆଦିକବି ସାରଳା ଦାସ ମଧ୍ୟ ଶ୍ରୀନୃସିଂହଙ୍କର ଏହି ଉଗ୍ର ମୂର୍ତ୍ତିଙ୍କର ବର୍ଣ୍ଣନା କରିଛନ୍ତି। ବ୍ରହ୍ମାଙ୍କ ନିବେଦନରେ ମା’ ଲକ୍ଷ୍ମୀ ଯାଇ ତାଙ୍କ ସମ୍ମୁଖରେ ଉଭା ହେବା ପରେ, ସେ ଉଗ୍ରମୂର୍ତ୍ତି ପରିହାର କରି ଶାନ୍ତ ମୂର୍ତ୍ତି ହୋଇଥିଲେ ବୋଲି ସେ କହିଛନ୍ତି। ସେହି ଅନୁସାରେ, ସେ ଦେବୀ ଲକ୍ଷ୍ମୀଙ୍କୁ କୋଳରେ ଧାରଣ କରନ୍ତି ଏବଂ ସେହି ମୂର୍ତ୍ତିଙ୍କୁ ଲକ୍ଷ୍ମୀ-ନୃସିଂହ ରୂପେ ଅର୍ଚ୍ଚନା କରାଯାଏ।
ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଶ୍ରୀମନ୍ଦିରରେ ନୃସିଂହ ଜନ୍ମଉତ୍ସବ ପାଳିତ ହୋଇଥାଏ। ଏହି ଅବସରରେ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଏକ ସ୍ୱତନ୍ତ୍ର ଆଜ୍ଞାମାଳ ପଟୁଆରରେ ନିଆଯାଇ ଚକ୍ରତୀର୍ଥଠାରେ ଥିବା ଶ୍ରୀଚକ୍ରନାରାୟଣଙ୍କୁ ପ୍ରଦାନ କରାଯାଏ। ଶାସ୍ତ୍ରୋକ୍ତି ଅନୁସାରେ, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଯଜ୍ଞ ପରେ, ସେହିଠାରେ ଶ୍ରୀଜଗନ୍ନାଥାଦି ଦେବତାଙ୍କର ମୂର୍ତ୍ତିପାଇଁ ଦିବ୍ୟ ଦାରୁଙ୍କର ଆବିର୍ଭାବ ଘଟିଥିଲା।
ଚକ୍ରତୀର୍ଥଠାରେ ପୂଜିତ ଶ୍ରୀନୃସିଂହ ଚକ୍ରନାରାୟଣ ରୂପେ ମଧ୍ୟ କଥିତ ହୁଅନ୍ତି। କାରଣ, ଶ୍ରୀନୃସିଂହ ଶ୍ରୀଜଗନ୍ନାଥଙ୍କର ଆଦିମୂର୍ତ୍ତି।
ବିଶେଷ ଉଲ୍ଲେଖନୀୟ ଯେ ଚକ୍ରତୀର୍ଥ ଠାରେ ଚକ୍ରଯନ୍ତ୍ର ଉପରେ ଶ୍ରୀନୃସିଂହ ଓ ଶ୍ରୀଦୁର୍ଗା ମାଧବଙ୍କ ମୂର୍ତ୍ତି ପ୍ରତିଷ୍ଠିତ ହୋଇ ‘ଅଭୟ ନୃସିଂହ’, ‘ଚକ୍ର ନୃସିଂହ’ ଓ ‘ଲକ୍ଷ୍ମୀ ନୃସିଂହ’ ରୂପେ ପୂଜିତ ହୁଅନ୍ତି। ଏହା ଚକ୍ରତୀର୍ଥର ଏକ ବିଶେଷତ୍ୱ।