ଭାରତର ପାମ୍ବନ ଟାପୁଠାରୁ ଶ୍ରୀଲଙ୍କାର ମାନ୍ନାର ଟାପୁ ପର୍ଯ୍ୟନ୍ତ ଶହେ ଯୋଜନ ଲମ୍ବ ଓ ଦଶଯୋଜନ ଓସାର ବିଶିଷ୍ଟ ଜଳପଥରେ ନିର୍ମିତ ଏକ ପ୍ରସ୍ତରସେତୁ ଆଜି ମଧ୍ୟ ପୃଥିବୀର ବୈଜ୍ଞାନିକମାନଙ୍କ ନିମିତ୍ତ ବିସ୍ମୟ ହୋଇ ରହିଛି। ଅଢ଼େଇ ହଜାର ବର୍ଷ ତଳେ, ବିଶାଳ ସାଗର ମଧ୍ୟରେ ଏପରି ଏକ ବିଶାଳ ବନ୍ଧ ପାଣି ଉପରେ ନିର୍ମାଣ କରାଯାଇଥିଲା। ତା’ ଉପରେ ହଜାର ହଜାର ସଂଖ୍ୟାରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ସୈନିକମାନଙ୍କୁ ନେଇ ରାମଚନ୍ଦ୍ର ଲଙ୍କା ଯାତ୍ରା କରିଥିଲେ। କେତେକ ଏହାକୁ ଅକଳ୍ପନୀୟ ବର୍ଣ୍ଣନା କରିଛନ୍ତି। କିନ୍ତୁ ଆଜିର ବୈଜ୍ଞାନିକମାନେ ଏହାକୁ ମନୁଷ୍ୟକୃତ ବୋଲି ସ୍ପଷ୍ଟୋକ୍ତି କରନ୍ତି।
ଏହି ବିସ୍ମୟସେତୁର ବିସ୍ମୟକର ସ୍ଥପତି ଥିଲେ ନଳ ଓ ନୀଳ ନାମକ କିସ୍କିନ୍ଧ୍ୟାର ଦୁଇ ବାନର ଯମଜ ଭ୍ରାତା। ଏହି ଦିବ୍ୟଜନ୍ମା ଦୁଇ ବାନର, ଦେବସ୍ଥପତି ବିଶ୍ୱକର୍ମା ଓ ଅପ୍ସରା ଘୃତାଚୀଙ୍କର ପୁତ୍ର। ସେମାନେ ବିଶ୍ୱକର୍ମାଙ୍କ ସଦୃଶ ଶିଳ୍ପକଳାରେ ନିପୁଣ ଥିଲେ। ଏକଦା ଦେବଶିଳ୍ପୀ ବିଶ୍ୱକର୍ମା ଓ କାଶ୍ୟପକନ୍ୟା ଦେବୀ ଘୃତାଚୀ ପରସ୍ପରକୁ ଅଭିଶପ୍ତ କରି ମର୍ତ୍ତ୍ୟଲୋକରେ ଜନ୍ମଗ୍ରହଣ କରିଥିଲେ। ଅନୁତପ୍ତ ବିଶ୍ୱକର୍ମା ଯେତେବେଳେ ସେହି ଘଟଣାକୁ ନେଇ ବ୍ରହ୍ମାଙ୍କ ପାଖରେ ପହଞ୍ଚିଲେ, ବ୍ରହ୍ମା ତାଙ୍କୁ ଆଶୀର୍ବାଦ କରି କହିଥିଲେ- ତାଙ୍କର ଏହି ଅଭିଶାପ ସମୟାନ୍ତରରେ ଏକ ମହାନ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ। ଦେବୀ ଘୃତାଚୀ ଓ ବିଶ୍ୱକର୍ମା ମର୍ତ୍ତ୍ୟଲୋକରେ ଜନ୍ମଗ୍ରହଣ କରି ପରସ୍ପର ସହିତ ମିଳିତ ହେଲେ। ସେମାନଙ୍କଠାରୁ ନଳ ଓ ନୀଳ ନାମରେ ଦୁଇ ବାନରପୁତ୍ର ଜାତ ହେଲେ। ବାଳସୁଲଭ ଚପଳତା ହେତୁ ସେମାନେ ମୁନିଋଷିମାନଙ୍କ ଦ୍ୱାରା ପୂଜିତ ଶାଳଗ୍ରାମଙ୍କୁ ନେଇ ଜଳରେ ଫିଙ୍ଗିଦେଉଥିଲେ। ଏଥିରେ ଅତିଷ୍ଠ ହୋଇ ମୁନିମାନେ ତାଙ୍କୁ ଅଭିଶାପ ଦେଲେ ଯେ ସେମାନେ ଯେଉଁ ପଥର ଜଳରେ ଫିଙ୍ଗିବେ ତାହା ବୁଡ଼ି ନ ଯାଇ ଭାସି ଉଠିବ।
ଲଙ୍କାଯାତ୍ରା କାଳରେ ବରୁଣଦେବ ଶ୍ରୀରାମଙ୍କୁ ଏ ସଂପର୍କରେ ଜଣାଇ ନଳ ଓ ନୀଳଙ୍କ ଦ୍ୱାରା ସେତୁବନ୍ଧ ବାନ୍ଧିବାକୁ ନିର୍ଦ୍ଦେଶ ଦେଲେ। ଶତ ଯୋଜନର ଏହି ସେତୁପାଇଁ ସମସ୍ତ ବାନରସେନା ସାମର୍ଥ୍ୟ ଅନୁଯାୟୀ ବିଶାଳ ପଥରଖଣ୍ଡମାନ ବୋହି ଆଣିଲେ। ସେହିସବୁ ପ୍ରସ୍ତର ଖଣ୍ଡକୁ ସ୍ଥିର ରଖିବାପାଇଁ ବିରାଟ ବିରାଟ ବୃକ୍ଷକୁ ଉତ୍ପାଟନ କରି ବ୍ୟବହାର କରାଗଲା। ଫଳରେ ନଳ ଓ ନୀଳ ସମୁଦ୍ର ମଧ୍ୟରେ ଏକ ବିରାଟ ଭାସମାନ ସେତୁ ନିର୍ମାଣ କରିବାକୁ ସମର୍ଥ ହେଲେ। ପୁରାଣର ବର୍ଣ୍ଣନା ଅନୁଯାୟୀ, ଏହି ସେତୁ ପ୍ରଥମ ଦିନ ୧୪ ଯୋଜନ, ଦ୍ୱିତୀୟ ଦିନ ୨୦ ଯୋଜନ, ତୃତୀୟ ଦିନ ୨୧ ଯୋଜନ, ଚତୁର୍ଥଦିନ ୨୨ ଯୋଜନ ଓ ପଞ୍ଚମ ଦିନ ୨୩ ଯୋଜନ- ଏହିପରି ମାତ୍ର ପାଞ୍ଚ ଦିନରେ ସମାପ୍ତ ହୋଇଥିଲା; ଯଦିଓ ସଂପ୍ରତି ଏହାର ଲମ୍ବ ୪୮ କିଲୋମିଟର ବୋଲି ଜଣାଯାଏ। କେଉଁ ପଥର ଭାସିବ ଏହାର ସଂପୂର୍ଣ୍ଣ ଜ୍ଞାନ ନଳ ଓ ନୀଳଙ୍କର ଥିଲା। ତେଣୁ ଏହି ସେତୁକୁ ସେମାନେ ସହଜରେ ନିର୍ମାଣ କରିପାରିଥିଲେ। ଏହାକୁ ନଳସେତୁ ଓ ରାମସେତୁ ତଥା ଇଂରାଜୀରେ ଆଦାମ୍ ବ୍ରିଜ୍ ବୋଲି କୁହାଯାଏ।
-ଡକ୍ଟର ତୁଳସୀ ଓଝା