ପ୍ରତିମା ଓ ପ୍ରତୀକ

ପୂର୍ବ ବର୍ଷ ପରି, ଏବର୍ଷ ମଧ୍ୟ ଶାରଦୀୟ ଦୁର୍ଗାପୂଜାର ମୃଣ୍ମୟୀ ଦୁର୍ଗାମୂର୍ତ୍ତି ୪ ଫୁଟ ଉଚ୍ଚତାରେ ସୀମିତ ରହିବ। ପରିଶେଷରେ, ମାନ୍ୟବର ହାଇକୋର୍ଟଙ୍କ ରାୟ ଫଳରେ, ତାହାକୁ ନେଇ ଚାଲିଥିବା ବିବାଦର ଅବସାନ ଘଟିଛି। କିନ୍ତୁ ଏ ବାବଦରେ ମନକୁ ପ୍ରଶ୍ନ ଆସେ, ପୂର୍ବରୁ କ’ଣ ଦେବୀଙ୍କର ମୃଣ୍ମୟୀ ମୂର୍ତ୍ତି ଥିଲା?

ଏ ବାବଦରେ ଜଣାଯାଏ, ଯେ ପୂର୍ବେ ‘ପ୍ରତିମା’ରେ ନୁହେଁ, ‘ପ୍ରତୀକ’ରେ ଦେବୀ ଦୁର୍ଗାଙ୍କର ପୂଜା ହେଉଥିଲା। କେତେବେଳେ କେବଳ ‘ଘଟ’ରେ ତ ଆଉ କେତେବେଳେ ‘ନବପତ୍ରିକା’ରେ ତାଙ୍କର ପୂଜା କରାଯାଉଥିଲା। ‘ଘଟ’ ହେଉଛି କୁମ୍ଭ ବା କଳସ ଏବଂ ‘ନବପତ୍ରିକା’ ହେଉଛି, ଦେବୀଙ୍କର ପ୍ରତୀକ ରୂପେ, ନଅଟି ପତ୍ର, ଗଛ ବା ଶାଖାର ଉପାସନା।

ଏହି ପରିପ୍ରେକ୍ଷୀରେ, ‘ଓଡ଼ିଆ ଲୋକଦର୍ଶନ ଓ ଲୋକଧାରା’ ପୁସ୍ତକରେ ଲୋକ-ଗବେଷକ ଅରବିନ୍ଦ ପଟ୍ଟନାୟକଙ୍କର ଏକ ଆଲୋଚନା ପ୍ରାସଙ୍ଗିକ ମନେହୁଏ। ସେ ଲେଖିଛନ୍ତି-

“ଆମ ପର୍ବପର୍ବାଣିରେ ପ୍ରମୁଖ ଦିଗ ଦୁଇଟି ହେଲା- ପ୍ରତିମା ଓ ପରମ୍ପରା। ଯେଉଁଠି ପ୍ରତିମା ନାହିଁ, ସେଠି ପ୍ରତୀକ ଅଛି। ଦୃଷ୍ଟାନ୍ତ ସ୍ୱରୂପ, ଦୁର୍ଗାପୂଜାରେ ଦେବୀଙ୍କର ପ୍ରତିମା, ରଥଯାତ୍ରାରେ ଶ୍ରୀଜଗନ୍ନାଥଙ୍କର ବିଗ୍ରହ ଆଦି ଥିବାବେଳେ, ଭାଗବତ ମେଳଣରେ ଭାଗବତ ପୋଥି ବା ଭାଗବତ ଗୋସେଇଁ ନାମରେ ପୂଜିତ ଭାଗବତ ଗାଦି (ଶ୍ରୀମଦ୍ ଭାଗବତ ପୋଥି) ପ୍ରଭୃତିଙ୍କୁ ଘେନି ପର୍ବ ପାଳିତ ହୁଏ। ପ୍ରତ୍ୟେକ ପର୍ବ କିଛି ଶାସ୍ତ୍ରୀୟ ପରମ୍ପରା, କିଛି ଲୌକିକ ବା ସ୍ଥାନବିଶେଷରେ ଅନୁବର୍ତ୍ତିତ ପରମ୍ପରା ଅନୁସାରେ ଆଚରିତ ହୁଏ। ମାତ୍ର ହିନ୍ଦୁଧର୍ମର ମୂଳ ହେଲା ଭାରତୀୟ ଆର୍ଯ୍ୟ ପରମ୍ପରା। ଏଥିକୁ ପ୍ରତିମାପୂଜା କେବେ, କେଉଁଆଡ଼ୁ ଆସିଲା? ବୈଦିକ କର୍ମକାଣ୍ଡରେ ଥିଲା ଯଜ୍ଞ ଓ ହୋମ। ତନ୍ତ୍ର ମାନୁଥିଲା ପୂଜା ଓ ହୋମକୁ। ଏଥିରେ, ଅର୍ଥାତ୍ ବୈଦିକ କର୍ମକାଣ୍ଡ ଓ ତନ୍ତ୍ରର ଜପତପରେ, ପ୍ରତିମାପୂଜା ନଥିଲା। କୁହାଯାଏ- ଏହା ବାହାରୁ ଆସି, ବୌଦ୍ଧତନ୍ତ୍ର ବାଟେ ହିନ୍ଦୁ ପରମ୍ପରାରେ ପହଞ୍ଚି, କ୍ରମେ ଆସ୍ଥା ଜମାଇଛି। … ତେବେ ବୈଦିକ ଓ ଲୌକିକ ପରମ୍ପରାର ସମନ୍ୱୟରୁ ହେଉ ବା ବୈଦିକ ସ୍ରୋତକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେଉ, ଯେଉଁ ପୁରାଣମାନ କ୍ରମେକ୍ରମେ ସୃଷ୍ଟି ହେଲା, ସେଥିରେ ନାନା ଦେବଦେବୀଙ୍କର ରୂପ, ଲୀଳା ଓ ମାହାତ୍ମ୍ୟର ବର୍ଣ୍ଣନା ମିଳିଲା। ସମ୍ଭବତଃ ସେହି ପ୍ରଭାବ ସମାଜରେ ପ୍ରବର୍ତ୍ତନ କଲା ବିଭିନ୍ନ ପର୍ବପର୍ବାଣି; ତୋଳାଇଲା ମନ୍ଦିର; ମହିମାମଣ୍ଡିତ କଲା ନାନା ତୀର୍ଥ ଓ ଦେବସ୍ଥାନମାନଙ୍କୁ। ବସନ୍ତ ଋତୁର ବାସନ୍ତୀ ଦୁର୍ଗାପୂଜା ଓ ଶରତ ଋତୁର ଶାରଦୀୟ ଦୁର୍ଗୋତ୍ସବ ଏହିପରି ଏକ ଏକ ଦେବୀ ମାହାତ୍ମ୍ୟର ପ୍ରତିଷ୍ଠା ଓ ପ୍ରସାରମୂଳକ ପର୍ବ।”

ସମ୍ବନ୍ଧିତ ଖବର