ଆମ ଦେବନୀତି ଅନୁସାରେ, ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ଭଗବାନ ବିଷ୍ଣୁ ମହାଦେବଙ୍କୁ ସଂସାର ଭାର ଅର୍ପଣ କରି ସୁତଳଲୋକକୁ ଶୟନ କରିବାକୁ ଯାଇଥାନ୍ତି। କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ସେ ନିଦ୍ରାରୁ ଉଠନ୍ତି ଏବଂ ଚତୁର୍ଦ୍ଦଶୀ ଦିନ ଶିବଙ୍କଠାରୁ ପୁନଶ୍ଚ ସଂସାରଭାର ଗ୍ରହଣ କରନ୍ତି। ଏହି ତିଥିକୁ ବୈକୁଣ୍ଠ ଚତୁର୍ଦ୍ଦଶୀ କହନ୍ତି। ଏହାର ଏପରି ନାମକରଣ ପଛରେ ଏକ ସୁନ୍ଦର ଉପାଖ୍ୟାନ ଅଛି।

Advertisment

ଏକଦା ଭଗବାନ ବିଷ୍ଣୁ ଏକସହସ୍ର ସ୍ୱର୍ଣ୍ଣପଦ୍ମ ନେଇ ମହାଦେବଙ୍କୁ ଅଭିଷେକ କରିବାପାଇଁ କାଶୀର ମଣିକର୍ଣ୍ଣିକା ଘାଟରେ ପହଞ୍ଚିଲେ। ଅଭିଷେକ ସାରି ଅର୍ଘ୍ୟ ପ୍ରଦାନ କଲାବେଳେ ସେ ଦେଖିଲେ, ଗୋଟିଏ ସ୍ୱର୍ଣ୍ଣପଦ୍ମ କମ୍ ଅଛି। କୌଣସି ଉପାୟ ନ ଦେଖି ପଦ୍ମଲୋଚନ ବିଷ୍ଣୁ ନିଜ ଲୋଚନକୁ ଉତ୍ପାଟନ କରିବାକୁ ଉଦ୍ୟତ ହେବା ଦେଖି ଶିବ ଅତ୍ୟନ୍ତ ପ୍ରସନ୍ନ ହୋଇ ତାଙ୍କ ସମ୍ମୁଖରେ ପ୍ରକଟ ହେଲେ। କହିଲେ, “ହେ ପ୍ରଭୁ, ଆପଣଙ୍କ ସଦୃଶ ସଂସାରରେ ମୋର କୌଣସି ଦ୍ୱିତୀୟ ଭକ୍ତ ନାହାନ୍ତି। ଆଜି କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥି। ଏହି ତିଥିରେ କୌଣସି ଭକ୍ତ ଯଦି ନିଷ୍ଠାର ସହିତ ଆପଣଙ୍କୁ ପୂଜା କରେ, ତେବେ ଆପଣ ତାକୁ ବୈକୁଣ୍ଠରେ ସ୍ଥାନ ଦେବେ।” ଏହା କହି ଶିବ କୋଟିସୂର୍ଯ୍ୟତେଜ ସଂପନ୍ନ ବିଷ୍ଣୁଚକ୍ର ‘ସୁଦର୍ଶନ’ (ଅର୍ଥାତ୍ ସମଗ୍ର ସୃଷ୍ଟିର ଭାର) ବିଷ୍ଣୁଙ୍କୁ ପ୍ରତ୍ୟର୍ପଣ କଲେ। ଏଣୁ ଶିବଙ୍କ ଅନୁରୋଧ ରଖି ବିଷ୍ଣୁ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ବୈକୁଣ୍ଠର ଦ୍ୱାର ଖୋଲା ରଖନ୍ତି ଏବଂ ଦ୍ୱାରଦେଶରେ ନିଜେ ଛିଡ଼ାହୋଇ ଭକ୍ତମାନଙ୍କର ପୂଜା ଗ୍ରହଣ କରନ୍ତି।

ଶିବ ଓ ବିଷ୍ଣୁଙ୍କ ସହମତି ଅନୁସାରେ, ଯେଉଁ ବ୍ୟକ୍ତି ନିଷ୍ଠାର ସହିତ ଏହିଦିନ ଉପବାସ ରହି ପଦ୍ମ ପୁଷ୍ପରେ ବିଷ୍ଣୁଙ୍କୁ ଓ ଦୁଗ୍ଧରେ ସ୍ନାନ କରାଇ ଶିବଙ୍କୁ ଆରାଧନା କରେ, ସେ ବିଷ୍ଣୁଲୋକ ପ୍ରାପ୍ତ ହୁଏ। ଏହି ଦିନଟି ବିଷ୍ଣୁ ଓ ଶିବଙ୍କର ଏକ ମହାମିଳନର ଦିନ। ଏହିଦିନ କାଶୀରେ ଶିବ ବିଷ୍ଣୁଙ୍କୁ ବେଲପତ୍ର ଓ ବିଷ୍ଣୁ ଶିବଙ୍କୁ ତୁଳସୀ ପତ୍ର ଦେଇ ପରସ୍ପରକୁ ଆରାଧନା କରିଥାଆନ୍ତି।

ଡକ୍ଟର ତୁଳସୀ ଓଝା