ସତ୍ୟଭାମା ବୃତ୍ତାନ୍ତ

ଆମ ପୁରାଣ ପରମ୍ପରାରେ ପ୍ରତିଟି ମାସ ପୁଣ୍ୟ ମାସ। କିନ୍ତୁ ପୁଣ୍ୟ ମାସ ଭାବରେ କୌଣସି କୌଣସି ମାସକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। କାର୍ତ୍ତିକ ମାସ ସେଥି ମଧ୍ୟରୁ ଗୋଟିଏ।

କୁହାଯାଇଛି, କାର୍ତ୍ତିକ ମାସ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦ ସମାନ ଶାସ୍ତ୍ର ନାହିଁ କି ଗଙ୍ଗା ସମାନ ତୀର୍ଥ ନାହିଁ। ତେଣୁ ଏ ମାସର ପବିତ୍ରତା ସଂପର୍କରେ ପୁରାଣ ଶତମୁଖ। ସେଥି ମଧ୍ୟରୁ ଏକ ସ୍ମରଣଯୋଗ୍ୟ ଉଦାହରଣ ପୁରାଣରେ ମିଳେ।

ଭଗବାନ ବିଷ୍ଣୁ ଦ୍ୱାପର ଯୁଗରେ କୃଷ୍ଣ ଭାବରେ ଜନ୍ମଗ୍ରହଣ କରିଥିଲେ ଏବଂ ମହାଲକ୍ଷ୍ମୀଙ୍କ ଅଂଶରୁ ତାଙ୍କର ପତ୍ନୀ ରୂପେ ରୁକ୍ମିଣୀଙ୍କର ମଧ୍ୟ ଆବିର୍ଭାବ ଘଟିଥିଲା। କିନ୍ତୁ ଜଣେ ସାଧାରଣ ନାରୀ ହୋଇ ମଧ୍ୟ ସତ୍ୟଭାମା କିପରି କୃଷ୍ଣଙ୍କର ପ୍ରିୟ ପତ୍ନୀ ହୋଇପାରିଲେ? ଏ ପ୍ରଶ୍ନ ଥରେ ସତ୍ୟଭାମା ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ। ତାହାର ଉତ୍ତର ଦେବାକୁ ଯାଇ ଶ୍ରୀକୃଷ୍ଣ ଯାହା କହିଥିଲେ ତାହା ଏହିପରି।

ପୂର୍ବ ଜନ୍ମରେ ସତ୍ୟଭାମା, ଦେବଶର୍ମା ନାମକ ଜଣେ ବ୍ରାହ୍ମଣଙ୍କର କନ୍ୟା ରୂପରେ ଜନ୍ମଗ୍ରହଣ କରିଥିଲେ ଏବଂ ଚନ୍ଦ୍ର ନାମକ ଦେବଶର୍ମାଙ୍କର ଜଣେ ଶିଷ୍ୟଙ୍କୁ ବିବାହ କରିଥିଲେ। ଦିନେ ଗୁରୁଶିଷ୍ୟ କୁଶ ଓ ସମୀଧ ସଂଗ୍ରହ ନିମିତ୍ତ ବନ ଗମନ କରିବା ସମୟରେ ଏକ ରାକ୍ଷସ ସେମାନଙ୍କୁ ହତ୍ୟା କଲା। ତାହା ଜାଣି ବ୍ରାହ୍ମଣକନ୍ୟା ଗୁଣବତୀ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କରିବାକୁ ଲାଗିଲେ। ପିତା ଓ ପତିଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମାପନ କରିବା ପରେ, ବିଭିନ୍ନ ବ୍ରତପାଳନ କରି ବିଷ୍ଣୁ ଭଜନରେ ସେ ସମୟ ଅତିବାହିତ କଲେ। ନିଷ୍ଠାର ସହିତ ପ୍ରାତଃକାଳରୁ ଶଯ୍ୟାତ୍ୟାଗ କରି ସେ ସ୍ନାନାଦି ସମାପନ କରନ୍ତି। ବିଷ୍ଣୁ ନାମ ଜପ, ତୁଳସୀ ସେବନ ଓ ରାତ୍ରି ଉଜାଗର ରହି ଦୀପ ଦାନ କରିବା ସହିତ କାର୍ତ୍ତିକ ମାସର ଏକାଦଶୀ ବ୍ରତ ପାଳନ କରନ୍ତି। କାର୍ତ୍ତିକ ମାସ ଓ ଏକାଦଶୀ ଏ ଦୁଇଟି ଭଗବାନ ଶ୍ରୀବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ। ଏଣୁ ଏହି ବ୍ରତ ପାଳନ କରୁଥିବାରୁ ବୃଦ୍ଧାବସ୍ଥାରେ ମୃତ୍ୟୁ ପରେ ଗୁଣବତୀ ବୈକୁଣ୍ଠ ଗମନ କଲେ।

ପୂର୍ବ ଜନ୍ମରେ ତାଙ୍କର ପିତା ଥିବା ଦେବଶର୍ମା ଦ୍ୱାପରରେ ସତ୍ରାଜିତ୍ ଭାବରେ ଯାଦବ ଶ୍ରେଷ୍ଠ ହୋଇ ଜନ୍ମଗ୍ରହଣ କରିଥିଲେ। ତେଣୁ ଗୁଣବତୀ ତାଙ୍କର କନ୍ୟା ‘ସତ୍ୟଭାମା’ ରୂପରେ ପୁନର୍ବାର ଜନ୍ମଗ୍ରହଣ କଲେ। ପୂର୍ବଜନ୍ମର ଚନ୍ଦ୍ର ଜନ୍ମଗ୍ରହଣ କରିଥିଲେ କୃଷ୍ଣଭକ୍ତ ଅକ୍ରୂର ରୂପେ। ଗୁଣବତୀ ଭାବରେ ସର୍ବଦା ବିଷ୍ଣୁଙ୍କୁ ଧ୍ୟାନ କରିଥିବାରୁ, ଦ୍ୱାପରରେ ସତ୍ୟଭାମା ଭାବରେ ସେ କୃଷ୍ଣଙ୍କର ଅର୍ଦ୍ଧାଙ୍ଗିନୀ ହେଲେ। ଏଥିରୁ କାର୍ତ୍ତିକ ବ୍ରତର ମାହାତ୍ମ୍ୟ ସୂଚିତ ହୁଏ।

ଡକ୍‌ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର