ଓଁ ସର୍ବେ ବୈ ଦେବା ଦେବୀ ମୁପତସ୍ଥୁଃ
କାସି ତ୍ୱଂ ମହାଦେବୀତି
ସାବ୍ରବୀତ୍- ଅହଂ ବ୍ରହ୍ମସ୍ୱରୂପିଣୀ। ମତ୍ତଃ
ପ୍ରକୃତି ପୁରୁଷାତ୍ମକଂ ଜଗତ୍।
-ଶ୍ରୀଦେବୀଅଥର୍ବଶୀର୍ଷମ୍, ୧-୨
‘ଶ୍ରୀଦେବୀଅଥର୍ବଶୀର୍ଷମ୍’ ଅଥର୍ବବେଦ ଅନ୍ତର୍ଗତ ଗୁରୁତ୍ୱପୂର୍ଣ୍ଣ ଦେବୀସ୍ତୋତ୍ର। ତେବେ ମୂଳରୂପରେ ଏହା ଋକ୍ବେଦ ସହ ସଂପର୍କିତ। ଏହାର ଗୁରୁତ୍ୱ ଏପରି ଯେ ‘ଦୁର୍ଗାସପ୍ତଶତୀ’ ପାଠ (ଚଣ୍ଡୀପାଠ) ପୂର୍ବରୁ ଏହି ସ୍ତୋତ୍ର ପାଠ କରାଯାଏ। ୨୬ ଶ୍ଳୋକ ବିଶିଷ୍ଟ ଏହି ସ୍ତୋତ୍ରପାଠର ମହିମା ଅଥର୍ବବେଦରେ ବର୍ଣ୍ଣିତ ଅଛି। କୁହାଯାଇଛି, ଏହା ଅବିଦ୍ୟାନାଶିନୀ ବ୍ରହ୍ମବିଦ୍ୟା। ଏହା ପାଠକଲେ ପାପ ନାଶ ହେବା ସହିତ, ବାକ୍ସିଦ୍ଧି ଓ ଅମୃତସିଦ୍ଧି ହୁଏ।
ଏହାର ଉପରୋକ୍ତ ପ୍ରଥମ ଓ ଦ୍ୱିତୀୟ ସ୍ତୋତ୍ର ଅନୁସାରେ- ଦେବୀ ଦୁର୍ଗାଙ୍କର ଆବିର୍ଭାବ ପରେ ସବୁ ଦେବତା ଓ ଦେବୀ ତାଙ୍କ ସମୀପକୁ ଯାଇ ନମ୍ର ଭାବରେ ପଚାରିଲେ- “ହେ ମହାଦେବି! ତୁମେ କିଏ?” ତାହା ଶୁଣି ଦେବୀ କହିଲେ- “ମୁଁ ବ୍ରହ୍ମସ୍ୱରୂପିଣୀ। ମୋ’ଠାରୁ ଏହି ପ୍ରକୃତି-ପୁରୁଷାତ୍ମକ ଜଗତ୍ ଉତ୍ପନ୍ନ ହୋଇଛି। ମୋହରିଠାରୁ ହିଁ ପ୍ରକୃତି-ପୁରୁଷାତ୍ମକ ସଦ୍ରୂପ ଓ ଅସଦ୍ରୂପ ଜଗତ୍ ଉତ୍ପନ୍ନ ହୋଇଛନ୍ତି। ଏହା ଦେବୀଙ୍କ ଉତ୍ତୁଙ୍ଗ ମହତ୍ତ୍ୱର ଦ୍ୟୋତକ।
କୁହାଯାଇଛି, ଏହି ଶ୍ରୀଦେବୀଅଥର୍ବଶୀର୍ଷ ପାଠ କଲେ ଦେବୀଙ୍କର ତ୍ୱରିତ କୃପା ମିଳେ। ଯଦିଓ ଏହାକୁ ଦୁର୍ଗାସପ୍ତଶତୀ ପାଠର ଅଙ୍ଗରୂପେ ଗ୍ରହଣ କରାଯାଇ ଏହାର ଉଲ୍ଲେଖ ଅନ୍ୟତ୍ର ହୁଏ ନାହିଁ; ତଥାପି ସପ୍ତଶତୀ ପାଠର ଆରମ୍ଭ ପୂର୍ବରୁ ଏହାର ପାଠ ଫଳପ୍ରଦ ହୋଇଥାଏ।