ଭାସେ ସତ୍ୟନିଧି ମାୟାଧର।
ଅସଂଖ୍ୟ କରେ ଅବତାର।ା
ଯଥା ଜୀମୂତ ବୃଷ୍ଟି ଜଳେ।
ସହସ୍ର ନଦୀ ମହୀତଳେ।ା
-ଶ୍ରୀମଦ୍‌ଭାଗବତ, ୧/୩

Advertisment

ଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ଭଗବାନ ବିଷ୍ଣୁଙ୍କ ବାମନ ଅବତାରଙ୍କର ଆବିର୍ଭାବ ଦିବସ। ଶ୍ରୀମନ୍ଦିରରେ ଏହି ବାମନାବତାରଙ୍କର ଜନ୍ମୋତ୍ସବ ସ୍ୱତନ୍ତ୍ର ଭାବରେ ପାଳିତ ହୁଏ। ଏହାର ପରଦିନ, ଭାଦ୍ରବ ଶୁକ୍ଳ ତ୍ରୟୋଦଶୀରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ ଶ୍ରୀଜଗନ୍ନାଥଙ୍କର ବାମନ ବେଶ। ଏଥିରେ ଶ୍ରୀବଳଭଦ୍ର ହସ୍ତରେ ଧନୁ ଓ ତୀର ଧାରଣ କରନ୍ତି। ଏହି ବେଶରେ ତାଙ୍କୁ ଶ୍ରୀଭୁଜ, ଶ୍ରୀପୟର ଓ ସ୍ୱର୍ଣ୍ଣ କିରୀଟ ଲାଗି କରାଯାଏ। ଏଥିରେ ଦେବୀ ସୁଭଦ୍ରା ମଧ୍ୟ ସ୍ବର୍ଣ୍ଣ କିରିତ ଧାରଣ କରିଥାନ୍ତି। 
ଏହି ବେଶରେ ଶ୍ରୀଜଗନ୍ନାଥ ବଟୁ ବାମନ ରୂପେ ବାମ ହସ୍ତରେ ଛତା ଓ ଡାହାଣ ହସ୍ତରେ କୁଶବଟୁ ଓ କମଣ୍ଡଳୁ ଧାରଣ କରନ୍ତି। ଏଥିରେ ସେ ଦେହରେ କନାରେ ନିର୍ମିତ ମୃଗଛାଲ ଏବଂ ମସ୍ତକରେ ଜଟ ଓ ଚୂଳ ଲାଗି ହୋଇଥାଆନ୍ତି। ଏହା ଫଳରେ ସେ ଏକ ଖର୍ବକାୟ ବିପ୍ର ବା ବଟୁବାମନ ରୂପେ ପ୍ରତିଭାତ ହୁଅନ୍ତି।
ଏହି ବାମନ ଅବତାର ଭଗବାନ ବିଷ୍ଣୁଙ୍କର ଦଶାବତାରର ଅନ୍ତର୍ଗତ ପଞ୍ଚମ ଅବତାର। କିନ୍ତୁ ଶାସ୍ତ୍ର, ଗ୍ରନ୍ଥମାନଙ୍କରେ ତାଙ୍କର ୧୪ ବା ୨୪ ଅବତାରଙ୍କର ମଧ୍ୟ ଉଲ୍ଲେଖ ଅଛି। କିନ୍ତୁ ବ୍ୟାସଦେବକୃତ ସଂସ୍କୃତ ଶ୍ରୀମଦ୍‌ଭାଗବତ (୧.୩.୨୪)ରେ କୁହାଯାଇଛି- ତାଙ୍କର ଅବତାରମାନଙ୍କର ସଂଖ୍ୟା ଅସଂଖ୍ୟ। ସେହି ଅନୁସାରେ, ଅତିବଡ଼ ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଓଡ଼ିଆ ଭାଗବତରେ ଉଲ୍ଲେଖ ଅଛି ଉପରୋକ୍ତ ସୁଭାଷିତ।
ଏହି ସୁଭାଷିତରେ କୁହାଯାଇଛି- ସତ୍ୟନିଧି ଓ ମାୟାଧର ଭଗବାନ ବିଷ୍ଣୁ ଦେଉଛନ୍ତି ଜଳଧର ମେଘ ତୁଲ୍ୟ। ଜଳଧରର ବୃଷ୍ଟି ଜଳରେ ପୃଥିବୀରେ ଅଗଣିତ ନଦୀ ସୃଷ୍ଟି ହେବା ପରି, ସେହି ଜଳଧରଙ୍କର ଅବତାରର ସଂଖ୍ୟା ଅଗଣିତ।