ସୁଭାଷିତ: ଯେଉଁଠି ଲକ୍ଷ୍ମୀ, ସେଇଠି ବଳ

ଯଉଂଠାରେ ବଳ ସେହିଠାରେ ଲକ୍ଷ୍ମୀ ରହେ।
ଯହିଂ ଲକ୍ଷ୍ମୀ ତହିଂରେ ବଳର ଊଣା ନୁହେଂ।ା
-ଶ୍ରୀବିଷ୍ଣୁପୁରାଣ, ଅନୁ: ବଲ୍ଲଭ ନାରାୟଣ ମହାପାତ୍ର
ବ୍ୟାସଦେବକୃତ ସଂସ୍କୃତ ‘ଅଷ୍ଟାଦଶପୁରାଣ’ ମଧ୍ୟରେ ‘ବିଷ୍ଣୁପୁରାଣ’ର ସ୍ଥାନ ସ୍ୱତନ୍ତ୍ର। ଓଡ଼ିଆରେ ତାହାର ଅନୁବାଦ କରିଛନ୍ତି, ନନ୍ଦପୁର ରାଜ୍ୟର ଜୟପୁରରେ ଜନ୍ମିତ, ଅଷ୍ଟାଦଶ ଶତାବ୍ଦୀର ସାହିତ୍ୟସାଧକ ଓ ପଣ୍ଡିତ ବଲ୍ଲଭ ନାରାୟଣ ମହାପାତ୍ର। ତାହାର ନାମ ‘ଶ୍ରୀବିଷ୍ଣୁପୁରାଣ’। ଉପରୋକ୍ତ ସୁଭାଷିତ ତାହାର ନବମ ଅଧ୍ୟାୟରୁ ଉଦ୍ଧୃତ। ମୈତ୍ରେୟ ମୁନିଙ୍କ ପ୍ରଶ୍ନରେ ପରାଶର ମୁନି ତାଙ୍କୁ ଲକ୍ଷ୍ମୀଙ୍କର ଜନ୍ମବୃତ୍ତାନ୍ତ କହିଛନ୍ତି। ସେହି ପ୍ରସଙ୍ଗରେ ଏହା କୁହାଯାଇଛି।

ଦେବତା ଓ ଅସୁରଙ୍କ ଦ୍ୱାରା କ୍ଷୀରସମୁଦ୍ର ମନ୍ଥନର ପୂର୍ବକଥା। ଦିନେ ଅଳକାପୁରୀରେ ମହର୍ଷି ଦୁର୍ବାସା ଜଣେ ବିଦ୍ୟାଧରୀକୁ ଏକ ଅମଳିନ ପାରିଜାତ ମାଳା ଧରିଥିବାର ଦେଖିଲେ। ତାହାର ସୁଗନ୍ଧି ଅପୂର୍ବ। ସେ ମାଗିବାରୁ, ବିଦ୍ୟାଧରୀ ତାଙ୍କୁ ମାଳାଟି ଦେଲା। ତାହାକୁ ଧରି ମହା ଆନନ୍ଦରେ ଘୂରି ବୁଲିବାବେଳେ, ସ୍ୱର୍ଗଗଙ୍ଗାର ତଟଦେଶରେ ଇନ୍ଦ୍ରଙ୍କ ସହ ତାଙ୍କର ଭେଟ ହେଲା। ମାଳାଟିକୁ ସେ ଇନ୍ଦ୍ରଙ୍କୁ ଉପହାର ଦେଲେ। ମାତ୍ର, ଅପ୍‌ସରାଙ୍କ ନୃତ୍ୟରେ ବିଭୋର ଇନ୍ଦ୍ର ମାଳାଟିକୁ ତାଙ୍କ ଐରାବତ ହାତୀର ମସ୍ତକରେ ରଖିଦେଲେ। ମାଳର ସୁବାସରେ ମତ୍ତ ହୋଇ ଐରାବତ ତାହାକୁ ଶୁଣ୍ଢରେ ନେଇ ଶୁଙ୍ଘି ତଳେ ଫିଙ୍ଗି ଦେଲା।

ତାହା ଦେଖି ଦୁର୍ବାସା କ୍ରୁଦ୍ଧ ହେଲେ। କହିଲେ- ତୁମର ଏତେ ଗର୍ବ ଯେ ତୁମେ ମୋ ପ୍ରଦତ୍ତ ମାଳାକୁ ଅବଜ୍ଞା କଲ? ଏହାର ପ୍ରତିଫଳରୁ, ତୁମ୍ଭର ତ୍ରିପୁର ହତଲକ୍ଷ୍ମୀ ହେବ। ସେହି ଅଭିଶାପ ଫଳରେ ଇନ୍ଦ୍ର ହତଲକ୍ଷ୍ମା ହୋଇଗଲେ।
‘ଶ୍ରୀବିଷ୍ଣୁପୁରାଣ’ରେ ଏ ପ୍ରସଙ୍ଗରେ କୁହାଯାଇଛି- ଲକ୍ଷ୍ମୀଛଡ଼ା ହେବାରୁ ଇନ୍ଦ୍ର ହତଶ୍ରୀ ହୋଇଗଲେ। ସ୍ୱର୍ଗର ସଂପତ୍ତି ଉଭେଇଗଲା। ମର୍ତ୍ତ୍ୟରେ ଅନାବୃଷ୍ଟି ହୋଇ ଶସ୍ୟହାନି ଘଟିଲା। ସୂର୍ଯ୍ୟଙ୍କର ପ୍ରଖର ତେଜରେ ଔଷଧୀୟ ବୃକ୍ଷଲତା ଜଳିଗଲେ। ଯାଗଯଜ୍ଞ, ଦାନ, ବ୍ରତ, ଉପାସନା ଆଦି ବନ୍ଦ ହୋଇଗଲା। ଫଳରେ ଲୋକେ ଦୁର୍ବଳ ହୋଇଗଲେ।

ଏଣୁ ଏ ପ୍ରସଙ୍ଗରେ କୁହାଯାଇଛି- “ଯେଉଁଠାରେ ବଳ ସେହିଠାରେ ଲକ୍ଷ୍ମୀ ରହନ୍ତି। ଯେଉଁଠାରେ ଲକ୍ଷ୍ମୀ ରହନ୍ତି, ସେଠାରେ କେବେ ବଳର ଊଣା ହୁଏ ନାହିଁ।”

ସମ୍ବନ୍ଧିତ ଖବର