ଆକିଞ୍ଚନ୍ୟଂ ସୁଖଂ ଲୋକେ ପଥ୍ୟଂ ଶିବମନାମୟମ୍।
ଅନାମିତ୍ରମଥୋ ହ୍ୟେତଦ୍ ଦୁର୍ଲଭଂ ସୁଲଭଂ ସତାମ୍।ା
-ମହାଭାରତ, ଶାନ୍ତିପର୍ବ (୨/୧୭୦)
ଯେ ଅ-କିଞ୍ଚନ ବା ଯାହାର କିଛି ନାହିଁ- ତାହାକୁ କୁହାଯାଏ ‘ଅକିଞ୍ଚନ’। ‘ଅକିଞ୍ଚନ’ର ଅର୍ଥ- ଦୀନ, ଦରିଦ୍ର ବା ଅତ୍ୟନ୍ତ ସାଧାରଣ। ଏପରି ସ୍ଥିତି ମଧ୍ୟ ମନୁଷ୍ୟପାଇଁ ସୁଖପ୍ରଦ ହୋଇପାରେ ବୋଲି ବ୍ୟାସଦେବକୃତ ସଂସ୍କୃତ ‘ମହାଭାରତ’ରେ କୁହାଯାଇଛି।
‘ମହାଭାରତ’ର ‘ଶାନ୍ତିପର୍ବ’ରେ ଏ ପ୍ରସଙ୍ଗରେ ଗୋଟିଏ କାହାଣୀ ବର୍ଣ୍ଣିତ ହୋଇଛି। ଶମ୍ପାକ ନାମକ ଜଣେ ବ୍ରାହ୍ମଣ ତାଙ୍କ ସ୍ତ୍ରୀ ଦ୍ୱାରା ତାଡ଼ିତ ହୋଇଥିଲେ। ସେ ଦାରିଦ୍ର୍ୟଗ୍ରସ୍ତ ଥିଲେ। ତାଙ୍କର ପିନ୍ଧିବାକୁ ଲୁଗା ନଥିଲା। ଖାଦ୍ୟାଭାବରୁ ସେ କ୍ଷୁଧାରେ ପୀଡ଼ିତ ହେଉଥିଲେ। ତଥାପି, ସେ ମୁକ୍ତିପଥର ଅନୁଗାମୀ ହୋଇଥିଲେ। ସେ ଯାହା କହିଥିଲେ, ଶରଶଯ୍ୟାଶାୟୀ ଭୀଷ୍ମ ଯୁଧିଷ୍ଠିରଙ୍କୁ ତାହା କହିଛନ୍ତି। ଉପରୋକ୍ତ ସୁଭାଷିତରେ ତାହା ବିବୃତ ହୋଇଛି।
ବିପ୍ର ଶମ୍ପାକ କହିଛନ୍ତି- ଏ ସଂସାରରେ ଯାହାର କିଛି ନାହିଁ, ତାହାକୁ ଅକିଞ୍ଚନ କୁହାଯାଏ। କିନ୍ତୁ ଯେଉଁ ବ୍ୟକ୍ତିମାନେ କାମନା କରନ୍ତି, ବା କାମୀ- ସେମାନେ କେବେ ବି ସେପରି ସ୍ଥିତି ଚାହାନ୍ତି ନାହିଁ। ମାତ୍ର ସାଧୁ ସନ୍ଥ ସଦାସର୍ବଦା ସେପରି ସ୍ଥିତି ଚାହିଥାଆନ୍ତି। କାରଣ, ସେପରି ସ୍ଥିତି ତାଙ୍କ ପାଇଁ ହିତକର, ଅନାମୟ ବା ରୋଗହୀନ ଏବଂ ଶୁଭଙ୍କର। ଏଣୁ ‘ଆକିଞ୍ଚନ୍ୟ’ ବା ଅକିଂଚନ-ସ୍ଥିତି କାମୀଙ୍କୁ ଦୁର୍ଲଭ, କିନ୍ତୁ ସାଧୁସନ୍ଥଙ୍କୁ ସୁଲଭ ହୋଇଥାଏ। ସେପରି ସ୍ଥିତି ସାଧୁସନ୍ଥଙ୍କ ପାଇଁ ସୁଖକର ମଧ୍ୟ ହୁଏ।
ସୁଭାଷିତ: ଅକିଞ୍ଚନତା ମଧ୍ୟ ସୁଖକର ହୋଇପାରେ
/sambad/media/post_attachments/wp-content/uploads/2023/12/sfhsffff.jpg)