ବର୍ଷନ୍ତି ମହୀମୁଖେ ନଇଁ ଅମ୍ବୁଦେ।
ବିଦ୍ୟା-ସମ୍ପଦେ ଯଥା ନମନ୍ତି ବୁଧେ।ା
-ତୁଳସୀସ୍ତବକ, ରାଧାନାଥ ରାୟ
ଆମ ଓଡ଼ିଆ ସାହିତ୍ୟରେ ବର୍ଷାକୁ ନେଇ ଅନେକ କୃତି ଅଛି। କିନ୍ତୁ କବିବର ରାଧାନାଥ ରାୟଙ୍କ ‘ତୁଳସୀସ୍ତବକ’ର ସ୍ଥାନ ସେସବୁ ମଧ୍ୟରେ ସ୍ୱତନ୍ତ୍ର। ରାଗ ‘କଳହଂସ କେଦାର’ରେ ରଚିତ ସେହି କୃତିର ପ୍ରତି ପଦ ଦୁଇପାଦ ବିଶିଷ୍ଟ। ପ୍ରଥମ ପାଦରେ ପ୍ରାୟତଃ ବର୍ଷାର ବର୍ଣ୍ଣନା ଥିବାବେଳେ, ଦ୍ୱିତୀୟ ପାଦରେ ରହିଛି ତତ୍ତ୍ୱ ଓ ନୀତିଶିକ୍ଷା। ଏଣୁ ରାଧାନାଥ ରାୟଙ୍କ ଭାଷାରେ, ‘ତୁଳସୀ ସ୍ତବକ’ ହେଉଛି- “ରୂପସଂପର୍କ ରହିତ କେତେଗୁଡ଼ିଏ ତୁଳସୀ ଦଳର ସ୍ତବକ।”
ଏହାର ପୃଷ୍ଠଭୂମି ଅନୁସାରେ- ବନବାସ କାଳରେ, ରାମଚନ୍ଦ୍ର ଦାକ୍ଷିଣାତ୍ୟର ଗୋଦାବରୀ ନଦୀତଟର ପ୍ରସ୍ରବଣ ପର୍ବତରେ ଅବସ୍ଥାନ କରିଛନ୍ତି। ସାଙ୍ଗରେ ଅଛନ୍ତି ସାନଭାଇ ଲକ୍ଷ୍ମଣ। ସେହି ସମୟରେ ଆସିଛି ବର୍ଷାଋତୁ। ତେଣୁ ବର୍ଷାଋତୁର ବର୍ଣ୍ଣନା କରିବା ସହିତ, ତାହାର ଆଧାରରେ ସେ ଲକ୍ଷ୍ମଣଙ୍କୁ ଦେଇଛନ୍ତି ଅନେକ ନୀତିଶିକ୍ଷା। ବର୍ଷାଦିନେ ଆକାଶକୁ ମେଘ ଢାଙ୍କେ। ସେହି ମେଘର ନାମ ‘ଅମ୍ବୁଦ’। କାରଣ ତାହା ଅମ୍ବୁ ବା ଜଳ ଦାନ କରେ। ଜଳଭାର ହେତୁ ତାହା ପୃଥିବୀ ଆଡ଼କୁ ନଇଁ ଆସିଥାଏ। ତେଣୁ ଏହି ପଦରେ ତାହାର ବର୍ଣ୍ଣନା କରି ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ କହିଛନ୍ତି- ହେ ଲକ୍ଷ୍ମଣ, ଦେଖ। ପୃଥିବୀ ଆଡ଼କୁ ନଇଁ ଆସି ଅମ୍ବୁଦ ଜଳବର୍ଷା କରୁଛି। ଯେଉଁମାନେ ବୁଧ ବା ପଣ୍ଡିତ ବ୍ୟକ୍ତି- ସେମାନେ ଏହିପରି ବିଦ୍ୟାର ସଂପଦରେ ନମ୍ର ହୋଇଥାନ୍ତି। ଏହା ଆମକୁ ସେହି ବିଖ୍ୟାତ ଉକ୍ତି ମନେପକାଇଦିଏ, ଯେଉଁଥିରେ କୁହାଯାଇଛି- ଯେପରି ଫଳଭାରରେ ବୃକ୍ଷ ଅବନତ ହୋଇଯାଏ, ସେହିପରି ଗୁଣୀଜନମାନେ ମଧ୍ୟ ସ୍ୱଭାବରେ ନମ୍ର ହୋଇଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/fhsfhfs5h465h4sf65fhhhf.jpg)