ସୌରାଶ୍ଚ ଶୈବା ଗଣେଶା ବେଷ୍ଣବାଃ ଶକ୍ତିପୂଜକାଃ ।
ମାମେବ ପ୍ରାପ୍ନୁବନ୍ତୀହ ବର୍ଷାପଃ ସାଗରଂ ଯଥା ।।
ଏକୋଽହଂ ପଞ୍ଚଧା ଜାତଃ କ୍ରୀଡ଼ୟା ନାମାଭିଃ କିଲ।
ଦେବଦତ୍ତୋ ଯଥା କଶ୍ଚିତ୍ ପୁତ୍ରା ଦ୍ୟାହାନନାମଭିଃ।।
-ପଦ୍ମପୁରାଣ, ଉତ୍ତରଖଣ୍ଡ, ୧୮୬ ଅଧ୍ୟାୟ
ହିନ୍ଦୁ ଧର୍ମଧାରାରେ ପଞ୍ଚଦେବତା ଉପାସନା ପ୍ରଚଳିତ। ଏହି ପଞ୍ଚ ଦେବତା ହେଉଛନ୍ତି- ଗଣେଶ, ନାରାୟଣ, ରୁଦ୍ର, ଅମ୍ବିକା ଓ ଭାସ୍କର। ଏମାନଙ୍କୁ ଏକ ଅପରଠାରୁ ଭିନ୍ନ ଭାବେ ବିବେଚନା ନ କରିବାପାଇଁ ଶାସ୍ତ୍ରରେ ନିର୍ଦ୍ଦେଶ ଅଛି। ଏ ପ୍ରସଙ୍ଗ ସତ୍ୟଯୁଗର ଶେଷଭାଗର ଗୋଟିଏ ଉପାଖ୍ୟାନରେ, ‘ପଦ୍ମପୁରାଣ’ରେ ମଧ୍ୟ ବର୍ଣ୍ଣିତ ହୋଇଛି। ସତ୍ୟଯୁଗର ଶେଷଭାଗରେ ଦେବଶର୍ମା ନାମରେ ଜଣେ ବ୍ରାହ୍ମଣ ପ୍ରତିଦିନ ସୂର୍ଯ୍ୟ ଉପାସନା କରିବା ଫଳରେ ସୂର୍ଯ୍ୟଙ୍କ ପରି ତେଜସ୍ବୀ ହୋଇଥିଲେ। ତାହା ଫଳରେ ଭଗବାନ ବିଷ୍ଣୁ ତାଙ୍କ ପ୍ରତି ଅତ୍ୟନ୍ତ ପ୍ରୀତ ଥିଲେ। ସେହି ପ୍ରସଙ୍ଗରେ ବର୍ଣ୍ଣିତ ହୋଇଛି ଉପରୋକ୍ତ ସୁଭାଷିତ।
ଏହି ସୁଭାଷିତରେ ଭଗବାନ ବିଷ୍ଣୁ କହିଛନ୍ତି- ଯେ ସୂର୍ଯ୍ୟ, ଶିବ, ଗଣେଶ, ଓ ଶକ୍ତିଙ୍କର ଉପାସନା କରନ୍ତି, ସେ ମୋତେ ମଧ୍ୟ ଲାଭ କରିଥାନ୍ତି। ଯେପରି ବର୍ଷା ଜଳ ସବୁଆଡ଼ୁ ସମୁଦ୍ରକୁ ହିଁ ପ୍ରବାହିତ ହୋଇ ଆସିଥାଏ, ସେହିପରି ପଞ୍ଚଦେବତାଙ୍କର ଉପାସକମାନେ ମୋ ପାଖକୁ ହିଁ ଆସିଥାନ୍ତି। ମୁଁ ଏକ ଓ ଅଭିନ୍ନ। କିନ୍ତୁ ଲୀଳା ଅନୁସାରେ ମୁଁ ଭିନ୍ନ ଭିନ୍ନ ନାମ ଧରି ପାଞ୍ଚ ରୂପରେ ପ୍ରକଟ ହୋଇଥାଏ। ଦେବଦତ୍ତ ନାମକ କୌଣସି ବ୍ୟକ୍ତିଙ୍କୁ ଯେପରି ପୁତ୍ର, ପିତା ଆଦି ଭିନ୍ନ ଭିନ୍ନ ନାମରେ ଡକାଯାଇପାରେ, ଏହା ଠିକ୍ ସେହିପରି। ଏହା ସ୍ପଷ୍ଟ ସୂଚାଏ- ଯେ ବିଷ୍ଣୁ, ସେ ମଧ୍ୟ ସୂର୍ଯ୍ୟ। ସେ ମଧ୍ୟ ଉପରୋକ୍ତ ପଞ୍ଚଦେବତା।