ବିତରେ ଅକାତରେ ଜୀବନ ଘନ,
ଧନ୍ୟ ଯେ ଦାତା ଜାଣେ ଯାଚକ ମନ।
-ତୁଳସୀ ସ୍ତବକ, ବର୍ଷା, ରାଧାନାଥ ରାୟ
ଆମ ପରମ୍ପରାରେ ଦାନର ଅନେକ ବିଧି ଓ ନିଷେଧ ରହିଛି। ‘ଦା’ ଧାତୁ- ଯାହା ଦେବା ଭାବକୁ ବୁଝାଏ, ତା’ ସହ ‘ଅନ’ ପ୍ରତ୍ୟୟ ହୋଇ ‘ଦାନ’ ଶବ୍ଦଟି ସୃଷ୍ଟି ହୋଇଛି। ଏହାର ଅର୍ଥ- ଅର୍ପଣ ବା ତ୍ୟାଗ। ଏହାର ଆଉ ଗୋଟିଏ ଅର୍ଥ- ବିତରଣ। ‘ବୈଦେହୀଶ ବିଳାସ’ରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ବଶିଷ୍ଠ ଋଷିଙ୍କ ମୁହଁରେ କହିଛନ୍ତି- ବିନା ଦାନରେ ଶାନ୍ତି ମିଳେ ନାହିଁ। ଏଣୁ ‘ଦାନ’କୁ ‘ଧର୍ମ’ ସହିତ ଯୋଡ଼ି ‘ଦାନଧର୍ମ’ର ସୃଷ୍ଟି ହୋଇଛି। ଦାନ ଏକ ଧର୍ମକାର୍ଯ୍ୟ ଏବଂ ଏହା ପୁଣ୍ୟ ପ୍ରଦାନ କରେ। କିନ୍ତୁ ଦାନରେ ଅଛି ‘ପାତ୍ର’ ଓ ‘ଅପାତ୍ର’ର ବିଚାର। ଏହାକୁ ନେଇ ଦାନର ଦୁଇଟି ଦୋଷ ଅଛି। ଗୋଟିଏ- ଅପାତ୍ରରେ ଦାନ ଦେବା ଏବଂ ପାତ୍ରରେ ଦାନ ନ ଦେବା। ଏ ଦୃଷ୍ଟିରୁ ‘ତୁଳସୀ ସ୍ତବକ’ରେ କବିବର ରାଧାନାଥ ରାୟ କହିଥିବା ଏହି କଥାଟି ବିଶେଷତ୍ୱପୂର୍ଣ୍ଣ।

Advertisment

ଏଥିରେ ରାଧାନାଥ କହିଛନ୍ତି- ଯେ ଯାଚକ ବା ଦାନ ପ୍ରାର୍ଥୀ, ସେ କେଉଁ ଦାନ ପାଇଁ ଆଶାୟୀ, ଯେଉଁ ଦାତା ତାହା ବୁଝି ଦାନ କରନ୍ତି, ସେ ଧନ୍ୟ। ଏଣୁ ଉପଯୁକ୍ତ ଦାତା ଭାବରେ ସେ ଘନ ବା ମେଘକୁ ନେଇଛନ୍ତି। ଏହି ପଦରେ କହିଛନ୍ତି- ଘନ ବା ଜଳଦାନକ୍ଷମ ମେଘ ଜାଣେ, ଯେ ପୃଥିବୀ ଏବେ ଜଳବର୍ଷା ଚାହୁଁଛି। କାରଣ ଗ୍ରୀଷ୍ମ ତାପରେ ସେ ସନ୍ତପ୍ତ। ତେଣୁ ପୃଥିବୀର ମନ ବୁଝି ଘନ ବା ମେଘ ତାକୁ ଜଳ ଦାନ କରେ। ତାହା ଫଳରେ ପୃଥିବୀ ଜୀବନ ଦାନ ପାଏ। ଦାତା ଏହିପରି ଭାବରେ ଯାଚକ ବା ଦାନ ପ୍ରାର୍ଥୀର ମନ ବୁଝି ଦାନ କଲେ ଧନ୍ୟ ହୋଇଥାଏ।