ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଆମର ବ୍ରେନ ବା ମସ୍ତିଷ୍କ। ଏହା ଆମ ଶରୀରର ସମସ୍ତ ଅଙ୍ଗକୁ ନିୟନ୍ତ୍ରଣ କରିଥାଏ। ତେବେ ବ୍ରେନ୍‌କୁ ନିଜ କାମ କରିବା ପାଇଁ ଆବଶ୍ୟକ ହେଉଥିବା ରକ୍ତ ଧମନୀ ମାଧ୍ୟମରେ ମିଳିଥାଏ। ମାତ୍ର ଯେତେବେଳେ ବ୍ରେନ୍ ଭିତରେ ଥିବା ଧମନୀ ଦୁର୍ବଳ ହୋଇଯାଇଏ, ତା’ର ଗଠନ ବେଲୁନ୍ ବା ଜାମୁକୋଳି ପରି ଦେଖାଯାଏ। ଏହାକୁ ଡାକ୍ତରୀ ଭାଷାରେ କୁହାଯାଏ ବ୍ରେନ ଆନ୍ୟୁରିଜିମ୍। ଠିକ୍ ସମୟରେ ଏହାର ଚିକିତ୍ସା କରା ନ ଗଲେ ଏହି ଧମନୀଗୁଡିକ ଫାଟି ବ୍ରେନ୍ ଭିତରେ ରକ୍ତସ୍ରାବ ହୋଇଥାଏ। ଏହାକୁ ହେମେରେଜିକ୍ ଷ୍ଟ୍ରୋକ୍ ବୋଲି କୁହାଯାଏ।

Advertisment

କେଉଁମାନଙ୍କୁ ହେବାର ସମ୍ଭାବନା ଅଧିକ :
ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ ବ୍ରେନ ଆନ୍ୟୁରିଜିମ୍‌ ହେବାର ସମ୍ଭାବନା ଅଧିକ ଥାଏ। ଏହା ସହିତ ବୟସ୍କ ବ୍ୟକ୍ତି, ଉଚ୍ଚ ରକ୍ତଚାପ ରୋଗୀ, ଅନିୟନ୍ତ୍ରିତ ଡାଇବେଟିସ୍ ରୋଗୀ, ଅଧିକ ମାନସିକ ଚାପରେ ରହୁଥିବା ବ୍ୟକ୍ତି ଏବଂ ନିୟମିତ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ବ୍ରେନ ଆନ୍ୟୁରିଜିମ୍‌ ହେବାର ସମ୍ଭାବନା ଅଧିକ ଥାଏ।

publive-image

ଲକ୍ଷଣ :
ହଠାତ୍ ପ୍ରବଳ ମୁଣ୍ଡବ୍ୟଥା, ହଠାତ୍ ଅାଖିକୁ ଅସ୍ପଷ୍ଟ ଦେଖାଯିବା, ଗୋଟିଏ ଜିନିଷ ଦୁଇ ଦୁଇଟା ଦେଖାଯିବା, ବାନ୍ତି ହେବା କିମ୍ବା ବାନ୍ତି ବାନ୍ତି ଲାଗିବା, ହଠାତ୍ ଦୁର୍ବଳ ଅନୁଭବ କରିବା, ମୁଣ୍ଡ ବୁଲେଇବା, ବାତ ମାରିବା, ଅଚେତ ହୋଇପଡିବା ଓ ବେକର ମାଂସପେଶୀ ଟାଣ ହୋଇଯିବା ଆଦି ଏହି ରୋଗର ଲକ୍ଷଣ।

ଚିକିତ୍ସା :
ପାରମ୍ପରିକ ଚିକିତ୍ସା: ସାଧାରଣତଃ ଓପନ୍ ସର୍ଜରୀ ମାଧ୍ୟମରେ ବ୍ରେନ ଆନ୍ୟୁରିଜିମ୍‌ର ଚିକିତ୍ସା କରାଯାଇଥାଏ। ଏଥିରେ ମୁଣ୍ଡର ଖପୁରିହାଡ଼କୁ କାଟି ବ୍ରେନ ଭିତରେ ଆନ୍ୟୁରିଜିମ୍‌ ହୋଇଥିବା ଧମନୀକୁ କ୍ଲିପ୍ ସାହାଯ୍ୟରେ ବନ୍ଦ କରାଯାଏ। ଏହା ଏକ ଜଟିଳ ଅପରେସନ୍ ହୋଇଥିବାରୁ ଏଥିରେ ଅନେକ ଦିନ ଧରି ହସ୍ପିଟାଲରେ ରହିବାକୁ ପଡେ। କେତେକ ରୋଗୀଙ୍କଠାରେ ପକ୍ଷାଘାତ ହେବାର ସମ୍ଭାବନା ମଧ୍ୟ ଥାଏ। ଏହା ସହିତ ଶରୀରର କୌଣସି ଏକ ଅଙ୍ଗ ନଷ୍ଟ ହେବାର ମଧ୍ୟ ସମ୍ଭାବନା ରହିଛି।

ଏଣ୍ଡୋଭସ୍କୁଲାର ଚିକିତ୍ସା: ଏହି ଚିକିତ୍ସା ପ୍ରଣାଳୀରେ ଛୋଟ ଛୁଞ୍ଚି ଦ୍ୱାରା ଜଙ୍ଘ ମଧ୍ୟସ୍ଥ ସ୍ଥାନରେ କଣା କରି ଛୋଟ ଅାକାର ନଳୀ ସାହାଯ୍ୟରେ ମସ୍ତିଷ୍କର ଆନ୍ୟୁରିଜିମ୍‌ର ଧମନୀକୁ ଯାଇ ଅଞ୍ଜିଓଗ୍ରାମ୍ କରାଯାଏ। ଅଞ୍ଜିଓଗ୍ରାମ୍ ମାଧ୍ୟମରେ ଆନ୍ୟୁରିଜିମ୍‌ର ଅାକାର ଜଣାପଡିଥାଏ। ସେହି ନଳୀ ଦେଇ ଆନ୍ୟୁରିଜିମ୍‌ର ଛୋଟ ଏବଂ ବହୁ ମେଟାଲ କଏଲ ଦେଇ ଅାନ୍ୟୁରିଜିମ୍‌କୁ ବନ୍ଦ କରାଯାଏ। ଏହି ପକ୍ରିୟା ଏକ୍ସ-ରେ ସାହାଯ୍ୟରେ କରାଯାଏ। ଏହା ଏକ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ହୋଇଥିବାରୁ ରୋଗୀକୁ ଅଧିକ ଦିନ ହସ୍ପିଟାଲ ରହିବାକୁ ପଡ଼େ ନାହିଁ। ଜଟିଳତା ମଧ୍ୟ ନ ଥାଏ। ଅପରେସନ୍ ହେବାର ୬ ଘଣ୍ଟା ମଧ୍ୟରେ ରୋଗୀ ଚଲାବୁଲା କରିବାକୁ ଲାଗେ।

ଆପୋଲୋ ହସ୍ପିଟାଲ, ଭୁବନେଶ୍ବର,
ମୋ- ୭୩୨୭୦୭୫୧୪୬