ଭୁବନେଶ୍ବର: ସମ୍‌ ହସ୍ପିଟାଲରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ରୁୢମାଟୋଲୋଜି କେନ୍ଦ୍ର। ଆଣ୍ଠୁଗଣ୍ଠି ବାତ ଭଳି ରୋଗୀମାନଙ୍କୁ ଉନ୍ନତ ଚିକିତ୍ସା ମିଳିପାରିବ। ରାଜ୍ୟର ପ୍ରଥମ ଚିକିତ୍ସା ଅନୁଷ୍ଠାନ ଭାବେ ଆଇଏମ୍‌ଏସ୍‌ ଏଣ୍ଡ ସମ୍ ହସ୍ପିଟାଲକୁ ରୁୢମାଟୋଲୋଜି ପାଠ୍ୟକ୍ରମରେ ଡିଏମ୍‌ କୋର୍ସ ଶିକ୍ଷା ପ୍ରଦାନ ନେଇ ଅନୁମତି ମିଳିଥିବା ‌ସୂଚନା ଦେଇଛନ୍ତି ହସ୍ପିଟାଲର ମେଡିକାଲ ସୁପରିନଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର।

Advertisment

ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ହସ୍ପିଟାଲର ଇମ୍ୟୁନୋଲୋଜି ଓ ରୁୢମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା.ପ୍ରଦୀପ୍ତ ଶେଖର ପାତ୍ର କହିଥିଲେ ପ୍ରତ୍ୟେକ ହଜାର ଲୋକଙ୍କ ଭିତରୁ ୫-୧୦ଜଣ ଆଣ୍ଠୁଗଣ୍ଠି ଭଳି ସମସ୍ୟାର ଶିକାର ହେଉଛନ୍ତି। ହସ୍ପିଟାଲର ରୁୢମାଟୋଲୋଜି ଓପିଡିରେ ଥିବା ମସ୍କୁଲୋ‌ସ୍କେଲିଟାଲ ଅଲଟ୍ରାସାଉଣ୍ଡ ଦ୍ବାରା ଡାକ୍ତରମାନେ ଗଣ୍ଠିବାତ ରୋଗ ଚିକିତ୍ସା ଯୋଗାଇ ପାରୁଛନ୍ତି। ଏହାସହ ରିହାବିଲେସନ୍‌ ଥେରାପି, ଫିଜିଓଥେରାପି, ଅକୁପେସନାଲ ଥେରାପି ଆଦି ଗୋଟିଏ ଛାତ ତଳେ ମିଳିପାରୁଛି। ତେବେ ଲୋକମାନେ କିଭଳି ଏହି ରୋଗରେ ଆକ୍ରାନ୍ତ ନ ହେବେ ସେଥିପାଇଁ ସଚେତନତାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ପ୍ରଫେସର ସାମନ୍ତସିଂହାର କ‌ହିଲେ ଲକ୍ଷ୍ମୌସ୍ଥିତ ସଂଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ ସାଇନ୍‌ସ ଢାଞ୍ଚାରେ ସମ୍‌ରେ ରୁୢମାଟୋଲୋଜି କେନ୍ଦ୍ର ଆରମ୍ଭ କରାଯିବ। ଗଣ୍ଠିବାତ ରୋଗରେ ଗଣ୍ଠିରେ ପ୍ରଦାହ ଘଟି ପାଣିରେ ଜମିବା ଯୋଗୁଁ ହୋଇଥାଏ। ଯେ କୌଣସି ବୟସରେ ଏପରିକି ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ଦେଖିବାକୁ ମିଳିଥାଏ। ବୃଦ୍ଧ ବୟସରେ ଆଣ୍ଠୁ ଯନ୍ତ୍ରଣାକୁ ଅଷ୍ଟ୍ରୋଆର୍ଥ୍ରାଇଟିସ୍‌ କୁହାଯାଏ। ଯାହାକି କାର୍ଟିଲେଜ୍ ବା କୋମଳାସ୍ଥି କ୍ଷୟ ଯୋଗୁଁ ଘଟିଥାଏ। ତେବେ ଏହା ଏକ ସଂକ୍ରାମକ ରୋଗ ନୁହେଁ। ମହିଳାଙ୍କ କ୍ଷେତ୍ରରେ ରୁୢମାଟଏଡ୍‌ ଆର୍ଥ୍ରାଇଟିସ୍ ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ। ଧୂମପାନ, ମଦ୍ୟପାନ, ଜଙ୍କଫୁଡ୍‌ ତ୍ୟାଗ କରିବା ସହିତ ମେଦବହୁଳତା ସମସ୍ୟାକୁ ମଧ୍ୟ ଦୂରେଇ ରଖିବା ଉଚିତ। ରୋଗ ଅଧିକ ପୁରୁଣା ହେଲେ ଚିକିତ୍ସାର ସୁଫଳ ମିଳି ନ ଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।