ମଣିଷ ହୁଅନ୍ତୁ କି ଦେବତା- ସୁନା ସମସ୍ତଙ୍କର ପ୍ରିୟ। ଏହା ଏକ ମଙ୍ଗଳମୟ ଓ ପବିତ୍ର ଧାତୁ। ଏଣୁ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ଓ ଦେବକାର୍ଯ୍ୟରେ ସୁନାର ଉପଯୋଗ ଅବଶ୍ୟ ହୋଇଥାଏ।

Advertisment

କିନ୍ତୁ ସୁନା କାହିଁକି ପବିତ୍ରରୁ ବି ପବିତ୍ରତର ଏବ˚ ମଙ୍ଗଳରୁ ବି ମଙ୍ଗଳମୟ- ସେ ଉପାଖ୍ୟାନ ‘ମହାଭାରତ’ରେ ଅଛି। କାର୍ତ୍ତିକେୟଙ୍କ ଜନ୍ମବୃତ୍ତାନ୍ତ ସହିତ ଉପାଖ୍ୟାନଟି ଜଡ଼ିତ। ‘ମହାଭାରତ’ର ‘ଅନୁଶାସନ ପର୍ବ’ରେ ଦେବର୍ଷି ନାରଦ ଓ ମହର୍ଷି ବଶିଷ୍ଠଙ୍କ କଥୋପକଥନ ମାଧ୍ୟମରେ ଉପାଖ୍ୟାନଟି ବର୍ଣ୍ଣିତ ହୋଇଛି।

ଦେବତାଙ୍କର କାର୍ଯ୍ୟସିଦ୍ଧିପାଇଁ କାର୍ତ୍ତିକେୟ ଜନ୍ମନେବା ନିହାତି ଆବଶ୍ୟକ ଥିଲା। ସେଥିପାଇଁ, ପୁରାଣ-ପ୍ରସଙ୍ଗ ଅନୁସାରେ, ଶିବଙ୍କର ସ୍ଖଳିତ ରେତରୁ କାର୍ତ୍ତିକେୟ ଜନ୍ମଗ୍ରହଣ କରିଥିଲେ। ସେହି ସ୍ଖଳିତ ରେତକୁ ପ୍ରଥମେ ଅଗ୍ନି ଧାରଣ କରିଥିବାରୁ ତାଙ୍କର ନାମ ହୋଇଥିଲା ‘ହିରଣ୍ୟରେତା’। ଅଗ୍ନିଙ୍କ ମାଧ୍ୟମରେ ଗଙ୍ଗା ତାହାକୁ ଧାରଣ କଲେ। କିନ୍ତୁ ଅଗ୍ନିଙ୍କ ଅ˚ଶରୁ ଉପୃନ୍ନ ସେହି ମହାତେଜସ୍ବୀ ଗର୍ଭକୁ ଗଙ୍ଗା ଧାରଣ କରି ନପାରି, ତାହାକୁ ନେଇ ଶରବଣରେ ରଖିଲେ। ସେହିଠାରେ ତାହା ବିକଶିତ ହୋଇ କାର୍ତ୍ତିକେୟ ଜନ୍ମ ନେଲେ ଏବ˚ ଷଡ଼କୃତ୍ତିକା ତାଙ୍କୁ ସ୍ତନ୍ୟପାନ କରାଇ ପାଳନ କଲେ। ସେଥିପାଇଁ ତାଙ୍କର ନାମ ହେଲା ‘ଷଣ୍ମାତୁର’ ଓ ‘କାର୍ତ୍ତିକେୟ ’।

ଜନ୍ମ ସମୟକୁ କାର୍ତ୍ତିକେୟ ହୋଇଥିଲେ ମହାତେଜସ୍ବୀ। ତାଙ୍କର ବର୍ଣ୍ଣ ଥିଲା ପ୍ରଭାତକାଳୀନ ସୂର୍ଯ୍ୟଙ୍କ ପରି ଅରୁଣବର୍ଣ୍ଣ। କାର୍ତ୍ତିକେୟଙ୍କର ଜନ୍ମ ସହିତ ଅଗ୍ନିଙ୍କ ଅ˚ଶରୁ ସୁବର୍ଣ୍ଣର ବି ଉତ୍ପତ୍ତି ହୋଇଥିଲା। ତେଣୁ ତାହାର ନାମ ହେଲା ‘ଜାତରୂପ’। ଏହି ଦୃଷ୍ଟିରୁ ସୁବର୍ଣ୍ଣ ଜନ୍ମ ସମୟରୁ ତେଜସ୍ବୀ। ସେହି ସୁବର୍ଣ୍ଣ ବା ‘ବସୁ’କୁ ଧାରଣ କରିବାରୁ ପୃଥ୍ବୀର ନାମ ହେଲା ‘ବସୁମତୀ’।

‘ମହାଭାରତ’ର ଏହି ଉପାଖ୍ୟନ ଅନୁସାରେ- ସୁବର୍ଣ୍ଣ ହେଉଛି ରତ୍ନମାନଙ୍କ ମଧ୍ୟରେ ଉତ୍ତମରତ୍ନ ଏବ˚ ଆଭୂଷଣ (ଅଳଙ୍କାର)ମାନଙ୍କ ମଧ୍ୟରେ ଶ୍ରେଷ୍ଠ ଆଭୂଷଣ। ‘ଜାମ୍ବନଦ’ ସୁବର୍ଣ୍ଣମାନଙ୍କ ମଧ୍ୟରେ ଶ୍ରେଷ୍ଠ ଏବ˚ ଏହା ଦେବତାମାନଙ୍କର ପ୍ରିୟ ଆଭୂଷଣ।

ଏ ପ୍ରସଙ୍ଗରେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥାଟି ଏହି ଉପାଖ୍ୟାନର ଶେଷରେ କୁହାଯାଇଛି। ତାହା ଅନୁସାରେ- ସୁନା ସବୁ ପବିତ୍ର ବସ୍ତୁ ଠାରୁ ଅଧିକ ପବିତ୍ର ଏବ˚ ମଙ୍ଗଳଙ୍କ ମଧ୍ୟରେ ଅଧିକ ମଙ୍ଗଳମୟ। ସୁନା ସାକ୍ଷାତ ଅଗ୍ନିଦେବତା ଏବ˚ ସୁନା ମଧ୍ୟ ଶିବ ଓ ବ୍ରହ୍ମା।