‘ସୁନାଝରି’ ଓ ‘କଳାମଲ୍ଲୀ’

ଭକ୍ତକବି ବଳରାମ ଦାସଙ୍କ ‘ବଟ ଅବକାଶ’ରେ ଅଛି ଏକ ରୋଚକ ଆଖ୍ୟାନ। ତାହା ଓଡ଼ିଶାରେ ଏକ ଲୋକପ୍ରିୟ କିଂବଦନ୍ତିରେ ମଧ୍ୟ ପରିଣତ ହୋଇଛି।

ପ୍ରସଙ୍ଗଟି କବିଙ୍କର ଲଙ୍କା ଦର୍ଶନକୁ ନେଇ। ‘ବଟ ଅବକାଶ’ର ବର୍ଣ୍ଣନା ଅନୁସାରେ- କବିଙ୍କର ଲଙ୍କାଦର୍ଶନର ଅଭିଳାଷ ଥିବା ଜାଣି, ଜଗନ୍ନାଥ ଦିନେ ତାଙ୍କୁ ସାଙ୍ଗରେ ନେଇ ଲଙ୍କା ଯାତ୍ରା କଲେ। ସେତେବେଳେ ପ୍ରଭୁଙ୍କ ନିର୍ଦ୍ଦେଶରେ ସେ ତାଙ୍କର ସୁନାଝରିଟିକୁ ଧରିଥିଲେ। ସେଠାରୁ ଫେରିବା ବେଳକୁ ଅନେକ ରାତି ହୋଇଗଲା। ହେଳାରେ ସୁନାଝରିଟି ବଳରାମ ଦାସଙ୍କ ମଠରେ ରହିଗଲା।

ସକାଳେ ସେହି ସୁନାଝରି ଖୋଜା ପଡ଼ିଲା ଏବଂ ବଳରାମ ଦାସଙ୍କ ମଠରୁ ତାହା ମିଳିଲା। ତେଣୁ ତାହା ଚୋରି କରିଥିବାର ଅଭିଯୋଗ ତାଙ୍କ ବିରୋଧରେ ହେଲା। ସେତେବେଳେ ରାଜା ଥିଲେ ପ୍ରତାପରୁଦ୍ରଦେବ। ଘଟଣା ସଂପର୍କରେ ସେ ପଚାରିବାରୁ, ବଳରାମ ଦାସ ତାଙ୍କୁ ଯାହା କହିଥିଲେ, ତାହା ‘ବଟ ଅବକାଶ’ରେ ବର୍ଣ୍ଣିତ ହୋଇଛି।

ତାହା ଅନୁସାରେ- ଜଗନ୍ନାଥ ନିଜେ ତାଙ୍କୁ ଲଙ୍କା ଦେଖାଇବାପାଇଁ ସାଙ୍ଗରେ ନେଇଯାଇଥିଲେ। ତାଙ୍କ ସହିତ ଗରୁଡ଼ ପିଠିରେ ବସି ଯିବାବେଳେ, ବଳରାମଙ୍କ ମନରେ ଗର୍ବ ହେବାରୁ, ଜଗନ୍ନାଥ ତାଙ୍କୁ ତଳକୁ ପକାଇ ଦେଲେ ଏବଂ ସେ ଯାଇ ଅଗାଧ ଜଳରେ ପଡ଼ିଲେ। ସେହି ସମୟରେ ଜଗନ୍ନାଥଙ୍କୁ ‘ରଖ ରଖ’ ବୋଲି ଡାକିବାରେ ସେ ପୁଣି ତାଙ୍କୁ ସାଙ୍ଗରେ ନେଲେ।

ଲଙ୍କାରେ ପହଞ୍ଚିବା ପରେ, ବିଭୀଷଣ ଆସି ଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ନାନା ଦ୍ରବ୍ୟ ଉପହାର ଦେଲେ। ତାହା ମଧ୍ୟରେ ଥିଲା ତାରାବଳୀ ମୁକୁତା ଝଲକିତ ପେଣ୍ଡା, ଦେବାଙ୍ଗ ବସ୍ତ୍ର ଓ କଳାମଲ୍ଲୀ। ପ୍ରମାଣ ସ୍ୱରୂପ ତାହା ପ୍ରତାପରୁଦ୍ରଙ୍କୁ ଦେଖାଇବା ପରେ, ବଳରାମଙ୍କ କଥାରେ ରାଜାଙ୍କର ବିଶ୍ୱାସ ହୋଇଥିଲା।

ଏହା କହିବା ସହିତ, ବଳରାମ ଦାସ ‘ବଟ ଅବକାଶ’ରେ ଆହୁରି ମଧ୍ୟ କହିଛନ୍ତି- ଅନେକ ଜନ୍ମର ତପସ୍ୟା ଫଳରେ ଜଗନ୍ନାଥ ତାଙ୍କର ଲଙ୍କା ଦର୍ଶନ ଆଶା ପୂରଣ କଲେ। ଏ ଜନ୍ମର ସୁଫଳରୁ ଭକ୍ତ ବିଭୀଷଣଙ୍କୁ ସେ ଚର୍ମଚକ୍ଷୁରେ ଦର୍ଶନ କରିପାରିଲେ।

କିନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି- ଶ୍ରୀଜଗନ୍ନାଥଙ୍କ ‘ଦକ୍ଷିଣମୂର୍ତ୍ତି ବନ୍ଦାପନା’ ବା ‘ବିଭୀଷଣ ବନ୍ଦାପନା’ ସହିତ ଏ ଉପାଖ୍ୟାନର ସଂପର୍କ ଅଛି। ତାହା ହେଉଛି, ରାମ-ରାବଣ ଯୁଦ୍ଧ ପରେ, ଶ୍ରୀରାମ ଯେତେବେଳେ ଲଙ୍କାରୁ ବାହୁଡ଼ା ବିଜୟ କଲେ, ସେତେବେଳେ ସବୁଦିନେ ତାଙ୍କୁ ଦର୍ଶନ ଦେବାପାଇଁ ବିଭୀଷଣ ପ୍ରାର୍ଥନା କରିଥିଲେ। ତାହାର ଉତ୍ତରରେ- ନୀଳଗିରିରେ ସବୁଦିନେ ତାଙ୍କୁ ଦର୍ଶନ ଦେବେ ବୋଲି ଶ୍ରୀରାମ କଥା ଦେଇଥିଲେ। ଆହୁରି ମଧ୍ୟ ସତ୍ୟ କରିଥିଲେ ଯେ ସେ ତାଙ୍କୁ ଲଙ୍କାରେ ମଧ୍ୟ ଦର୍ଶନ ଦେବେ। ସେଥିପାଇଁ ରଥଯାତ୍ରାର ଦକ୍ଷିଣମୂର୍ତ୍ତି ବେଳେ ସେ ବିଭୀଷଣଙ୍କୁ ଦର୍ଶନ ଦିଅନ୍ତି। ତାଙ୍କୁ ଦର୍ଶନ ଦେବାପାଇଁ ମଝିରେ ମଝିରେ ଲଙ୍କା ମଧ୍ୟ ଯାଆନ୍ତି। ଏହାକୁ ନେଇ ବିଶ୍ୱାସ ମଧ୍ୟ ଅଛି ଯେ ବିଭୀଷଣ ପ୍ରତିଦିନ ରାତିରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ନୀଳାଚଳକୁ ଆସିଥାଆନ୍ତି।

ସମ୍ବନ୍ଧିତ ଖବର