ସମୟ ଭିନ୍ନ, ସମାଜ ଭିନ୍ନ, ଚରିତ୍ର ଭିନ୍ନ। ଏଣୁ ଚିନ୍ତାଧାରା ବି ଏକା ନୁହେଁ। କିନ୍ତୁ ଗୋଟିଏ ବିନ୍ଦୁରେ ଆମେ ସେମାନଙ୍କୁ ଯୋଡ଼ି ପାରିବା। ପ୍ରାପ୍ତି ବା ସଫଳତା ସେମାନଙ୍କୁ ଅନ୍ୟମାନଙ୍କଠୁ ଭିନ୍ନ କରିପାରିଛି। ଲୌହମାନବୀ ବ୍ରିଟେନର ପ୍ରଥମ ପ୍ରଧାନମନ୍ତ୍ରୀ ମାର୍ଗାରେଟ୍ ଥାଚର ହୁଅନ୍ତୁ ବା ଭାରତୀୟ ହିନ୍ଦୀ ସିନେମାର ଲୋକପ୍ରିୟ ନାୟିକା ଶର୍ମିଲା ଟାଗୋର ହୁଅନ୍ତୁ କିମ୍ବା ଲିଙ୍ଗଗତ ଅସମାନତା ବିରୋଧରେ ଆଲୋକଶିଖା ପରି ନିଜକୁ ଦୀପ୍ତିମତୀ କରିପାରିଥିବା ଦୀପା ସାହୁ... ଜୀବନକୁ ନେଇ ସେମାନଙ୍କ ସକାରାତ୍ମକ ମାନସିକତା ଏସପ୍ତାହର

Advertisment

ପୁଅ ହୋଇ ଜନ୍ମ ହୋଇଥିଲେ ସେ। କିନ୍ତୁ ଯେଉଁଦିନ ନିଜ ଭିତରେ ଝିଅଟିକୁ ଖୋଜି ପାଇଲେ ଜୀବନ ଆଉ ପୂର୍ବଭଳି ସରଳ ହୋଇ ରହିଲା ନାହିଁ। ପରିବାର ଏବଂ ସମାଜ ଆଖିରେ ସେ କେବଳ ଘୃଣା ଏବଂ ତାଚ୍ଛଲ୍ୟର ପାତ୍ର ହୋଇଗଲେ। ସଂକୀର୍ଣ୍ଣ ମାନସିକତାର ଲୋକେ ଛକା, ମାଇଚିଆ କହି ଉପହାସ କଲେ। ସେ କିନ୍ତୁ ହାରିଗଲେ ନାହିଁ । ଟ୍ରେନ୍‌ କି ରାସ୍ତାରେ ଭିକ ମାଗିଲେ ନାହିଁ। ବରଂ ଏବେ ସେ ଖୁବ୍‌ ପଢୁଛନ୍ତି ଏବଂ ନିଜସ୍ବ ପରିଚୟରେ ବର୍ତ୍ତମାନ ଉଦ୍ଭିଦ ବିଜ୍ଞାନରେ ପିଏଚ୍‌ଡି ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଛନ୍ତି। ତାଙ୍କ ଜୀବନ ଏବଂ ସଂଘର୍ଷକୁ ନେଇ ଆଲୋଚନା କରିଛନ୍ତି ଗାର୍ଗୀ ଶତପଥୀ।

ଗ୍ରହଣ କଲା?
ମୋ ଜନ୍ମ କଟକ ଜିଲ୍ଲା ହରିପୁରରେ। ମୁଁ ପ୍ରଥମେ ବାପାମା’ଙ୍କ ନଜରରେ ପୁଅ ଥିଲି। ସେଥିପାଇଁ ସେମାନେ ଭାରି ଖୁସି ଥିଲେ, ମତେ ଖୁବ୍‌ ସ୍ନେହ ବି କରୁଥିଲେ। କିନ୍ତୁ ଭଗବାନଙ୍କ ସୃଷ୍ଟି କେମିତି ଅଲଗା! ମୁଁ ପୁଅ ହେଲେ ମଧ୍ୟ ମୋତେ ପୁଅଙ୍କ ପୋଷାକରେ ସହଜ ଲାଗୁନଥିଲା। ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଅର୍ଥାତ୍ ପ୍ରାୟ ୧୨ ବର୍ଷ ବେଳକୁ, ମୋ ଭିତରେ ‌ଝିଅ ସତ୍ତାକୁ ଅନୁଭବ କଲି। ଏପରିକି ଚାଲିବାବେଳେ ମଧ୍ୟ ଝିଅଭଳି ଚାଲୁଥିଲି। ଚୁଟି ରଖିବାକୁ ଇଚ୍ଛା ହେଲା। କଜଳ, ବିନ୍ଦି, ମେହେନ୍ଦି ଲଗାଉଥିଲି। କିନ୍ତୁ ମାଆବାପା ମୋ ଭିତରର ପରିବର୍ତ୍ତନକୁ ଗ୍ରହଣ କରିବା ପରିବର୍ତ୍ତେ ମୋତେ ନେଇ ଲଜ୍ଜା ଅନୁଭବ କଲେ। ଏଥିପାଇଁ ସେମାନେ ଯେତେ ଅତ୍ୟାଚାର କରିଛନ୍ତି ତା’ର ବର୍ଣ୍ଣନା ପାଇଁ କୌଣସି ଭାଷା ନାହିଁ। ସେମାନେ ସବୁ ସରକାରୀ ଚାକିରିଆ। ତେଣୁ ଲାଗୁଥିଲା ଯେମିତି ମୋ ପାଇଁ ସେମାନଙ୍କ ଇଜ୍ଜତ ଚାଲିଗଲା। ମୋ ସାନଭାଇ ମୋତେ ପିଟେ। ମୋ ମାମୁ, ମାଆ ତାକୁ ସହଯୋଗ କରନ୍ତି। ଏପରିକି ଥରେ ଜନ୍ମଦିନରେ ମୁଁ ଝିଅ ଭଳି ବେଶ ହେବାରୁ ପିଠା ଖଡ଼ିକାର ଚେଙ୍କ ଦେଇଥିଲେ, ଚୁଟି କାଟି ଦେଇଥିଲେ। ସେ ଦିନର କଥାସବୁ କେବେ ଭୁଲି ହେବନାହିଁ।

ଏସବୁ ଭିତରେ ପଢାପଢି କେମିତି କରୁଥିଲେ?
କଟକ ରାଣୀହାଟ ହାଇସ୍କୁଲରେ ପାଠ ପଢୁଥିଲି। କିନ୍ତୁ ସ୍କୁଲପାଠ ବି ସହଜ ନଥିଲା। ସାଙ୍ଗମାନେ ଛକା, ମାଇଚିଆ କହି ଚିଡ଼ାନ୍ତି। କିଛି ସାଙ୍ଗ ସମର୍ଥନ ମଧ୍ୟ କରନ୍ତି। ପ୍ରତିଦିନ ୨ କିଲୋମିଟର ସ୍କୁଲକୁ ଏକୁଟିଆ ଚାଲିକି ଯିବାକୁ ହେଉଥିଲା। ଟ୍ୟୁସନ କ୍ଲାସରେ ନେବା ପାଇଁ ବି କେହି ରାଜି ହେଉନଥିଲେ। କିନ୍ତୁ ପାଠର ଗୁରୁତ୍ବ ମୁଁ ଜାଣିଛି। ତେଣୁ ଏତେ ବେଶି ଦୁଶ୍ଚିନ୍ତା ପରେ ବି ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଦୁଇ ଘଣ୍ଟା ମନଲଗାଇ ପଢ଼େ। ମାଟ୍ରିକ ପର୍ଯ୍ୟନ୍ତ ଘରେ ରହି ଅତି କଷ୍ଟରେ ବଞ୍ଚିଛି। ଏହି ସମୟରେ ମୁଁ ମୀରା ମା’ଙ୍କ କଥା ଶୁଣିଥିଲି। ଏଣେ ଘରେ ରହିବା ସମ୍ଭବ ନ ହେବାରୁ ଘର ଛାଡ଼ିଲି। ଏହାପରେ ଉଚ୍ଚଶିକ୍ଷା ପାଇଁ ଅସୁବିଧା ହେଲାନାହିଁ। ଯୁକ୍ତ ଦୁଇ, ଯୁକ୍ତ ତିନି ଏବଂ ସ୍ନାତକୋତ୍ତର ପଢ଼ିଲି। ପ୍ରତିଥର ଭଲ ନମ୍ବର ରଖି ପାସ୍‌ କରିଛି। କିନ୍ତୁ ଗୋଟେ ଭଲକଥା ହେଲା, ସ୍କୁଲରେ ଯେଉଁଭଳି ତାଚ୍ଛଲ୍ୟ କରାଯାଉଥିଲା କଲେଜ କି ବିଶ୍ବବିଦ୍ୟାଳୟରେ ସେ ସ୍ଥିତି ନାହିଁ। ଏଠି କେହି ଖରାପ ବ୍ୟବହାର କରନ୍ତି ନାହିଁ। ଲୋକେ ଆମ କଥା ବୁଝିବାକୁ ଆରମ୍ଭ କରିଛନ୍ତି।

ଆପଣ ଆଜି ପିଏଚ୍‌ଡି କରିବାକୁ ଯାଉଛନ୍ତି। ଏହି ସଫଳତାର ଶ୍ରେୟ କାହାକୁ ଦେବେ?
ଆଜି ମୁଁ ଯାହା ବି ହୋଇଛି ଏଥିପାଇଁ କଟକର ମିଠି ମାଆଙ୍କୁ ଶ୍ରେୟ ଦେବି। ମୋ ମାଆ ତ କେବଳ ମତେ ଜନ୍ମ ଦେଇଛନ୍ତି। କିନ୍ତୁ ମିଠି ମାଆ ମୋତେ ମା’ର ସ୍ନେହ ଦେଇଛନ୍ତି। ଘରେ ଥିବାବେଳେ ମୋ ମାମୁଙ୍କ ପୁଅ ପ୍ରସାଦ ଜେନା ମତେ ବହୁତ ସହଯୋଗ କରୁଥିଲେ। ପ୍ରସାଦ ଜେନା ନିଜେ ଜଣେ ସମାଜସେବୀ ଥିବାରୁ ମୋ କଥା ବୁଝି ପାରୁଥିଲେ। ଏହା ସହିତ ମୋ ବନ୍ଧୁ ସୁଶାନ୍ତ ରାଉତ, ସୁନୀଲ ନାଏକ, ଜିତେନ ନାୟକ, ଅଭିଷେକ, ସୁବ୍ରତ ବି ମତେ ସହଯୋଗ କରିଛନ୍ତି। ସମ୍ପୂର୍ଣ୍ଣ ସମାଜ ମୋତେ ଅପମାନିତ କରିଛି ସତ କିନ୍ତୁ କିଛି ଲୋକଙ୍କ ସ୍ନେହ ବଞ୍ଚାଇ ଦେଇଛି।

ଆଗକୁ କ’ଣ ହେବାକୁ ସ୍ବପ୍ନ ଦେଖନ୍ତି?
ସ୍ବପ୍ନ ତ ବହୁତ ଅଛି। ଆଇଏଏସ୍ କିମ୍ବା ଓଏଏସ୍ ହୋଇ କିନ୍ନରଙ୍କ ଅବସ୍ଥାରେ ପରିବର୍ତ୍ତନ କରିବାକୁ ସବୁଠାରୁ ବେଶି ଇଚ୍ଛା ଅଛି। କାରଣ ଆମମାନଙ୍କ ଜୀବନରେ ଯେତେ ସଂଘର୍ଷ ଏବଂ କଷ୍ଟ ଅଛି ଆଉ ପ୍ରାୟ କାହା ଜୀବନରେ ନାହିଁ। ଏମିତି ଜୀବନ ଭଗବାନ କାହାକୁ ନ ଦିଅନ୍ତୁ। ଇତିମଧ୍ୟରେ ମୋ ପ୍ରେମିକ ମଧ୍ୟ ମୋତେ ଛାଡ଼ି ଦେଇଛନ୍ତି। ତେଣୁ କଷ୍ଟ ଆହୁରି ବଢ଼ିଯାଉଛି। ବର୍ତ୍ତମାନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛି। ବିଶେଷକରି କୋଭିଡ୍ ବେଳେ ଅନେକ କାର୍ଯ୍ୟ କରିଛି। ଏଥିପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ ସମ୍ବର୍ଦ୍ଧିତ କରିଛନ୍ତି।

ସରକାର କିନ୍ନରମାନଙ୍କ ପାଇଁ କ’ଣ କରିବା ଉଚିତ ବୋଲି ଭାବନ୍ତି?
ସାଧାରଣତଃ ଗୋଟେ ପୁଅଝିଅକୁ ସମାଜ ଯେଉଁ ସମ୍ମାନ ଏବଂ ଅଧିକାର ଦିଏ, କିନ୍ନରମାନେ ମଧ୍ୟ ସମାନ ଭାବେ ଅଧିକାର ଓ ସମ୍ମାନ ପାଇବା ଜରୁରୀ। କେବଳ ରାସନ କାର୍ଡ କି ମାସିକ ଭତ୍ତାର ବ୍ୟବସ୍ଥା ଯଥେଷ୍ଟ ନୁହେଁ। ନିଯୁକ୍ତି କ୍ଷେତ୍ରରେ ମଧ୍ୟ କିନ୍ନରଙ୍କ ପାଇଁ ସମାନ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ଏଥିପାଇଁ ସରକାରଙ୍କ ସ୍ବତନ୍ତ୍ର ନୀତି ରହିବା ଉଚିତ।