‘ସ୍ୱର୍ଣ୍ଣାଦ୍ରି’ର କଥା ଓ କାହାଣୀ

ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ଯେପରି ‘ନୀଳାଦ୍ରି’, ଏକାମ୍ରକ୍ଷେତ୍ରର ଶ୍ରୀଲିଙ୍ଗରାଜ ମନ୍ଦିର ସେପରି ‘ସ୍ୱର୍ଣ୍ଣାଦ୍ରି’। ତେଣୁ ଅଶୋକାଷ୍ଟମୀ ରଥଯାତ୍ରା ସାରି ଶ୍ରୀଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଶ୍ରୀଚନ୍ଦ୍ରଶେଖର, ଶ୍ରୀଦୁର୍ଗା ଓ ଶ୍ରୀଦୋଳଗୋବିନ୍ଦଙ୍କୁ ନେଇ ଯେଉଁଦିନ ମନ୍ଦିରକୁ ଫେରନ୍ତି, ତାହାକୁ କୁହାଯାଏ ‘ସ୍ୱର୍ଣ୍ଣାଦ୍ରି ବିଜେ’। ‘ଏକାମ୍ର ଚନ୍ଦ୍ରିକା’ ଓ ‘ସ୍ୱର୍ଣ୍ଣାଦ୍ରି ମହୋଦୟ’ ଆଦି ଗ୍ରନ୍ଥରେ ‘ସ୍ୱଣ୍ଣକୂଟ’, ‘ସ୍ୱର୍ଣ୍ଣକୂଟାଦ୍ରି’, ‘ସ୍ୱର୍ଣ୍ଣକୂଟାଚଳ’ ଆଦି ନାମର ଉଲ୍ଲେଖ ଅଛି ଏବଂ ଶ୍ରୀଲିଙ୍ଗରାଜଙ୍କୁ କୁହାଯାଇଛି ‘ସ୍ୱର୍ଣ୍ଣକୂଟେଶ୍ୱର’।

ଶ୍ରୀଲିଙ୍ଗରାଜଙ୍କର ଅନ୍ୟ ଏକ ନାମ କୃତ୍ତିବାସ। ଏ ନାମ ପଛରେ ମଧ୍ୟ ରହିଛି ପୌରାଣିକ ଉପାଖ୍ୟାନ। ତାହା ଅନୁସାରେ, ମହାଦେବ ବା ଶିବ ଗଜାସୁରକୁ ବଧ କରି ତାର ଛାଲ (କୃତ୍ତି) ପରିଧାନ କରିଥିଲେ। ତେଣୁ ତାଙ୍କର ନାମ କୃତ୍ତିବାସ ହେଲା। ସେଥିପାଇଁ ଏକାମ୍ରକ୍ଷେତ୍ରର ଅନ୍ୟ ଗୋଟିଏ ନାମ ‘କୃତ୍ତିବାସ କଟକ’।

କିନ୍ତୁ ସାରଳାଦାସଙ୍କ ‘ମହାଭାରତ’ର ବନପର୍ବ ଅନୁସାରେ, ‘କୃତ୍ତିବାସ’ ନାମ ପଛରେ ରହିଛି ଅନ୍ୟ କାହାଣୀ। ଏହା ‘କୃତ୍ତିବାସ’ ନୁହେଁ, ‘କୀର୍ତ୍ତିବାସ’। ଏ କ୍ଷେତ୍ର ଥିଲା ‘କୀର୍ତ୍ତି’ ଓ ‘ବାସନ’ ନାମକ ଦୁଇ ରାକ୍ଷସଙ୍କର ବିଚରଣଭୂମି। ଏ ଦୁହେଁ ଦୃମିଳଙ୍କର ପୁତ୍ର। ପିତାଙ୍କ ତପସ୍ୟାରୁ ଅସ୍ତ୍ରଦ୍ୱାରା ବଧ ହେବେ ନାହିଁ ବୋଲି ଦୁହିଁଙ୍କୁ ବର ମିଳିଥିଲା। ସମୟକ୍ରମେ ପିତାଙ୍କ ଦ୍ୱାରା ବିତାଡ଼ିତ ହୋଇ ଦୁହେଁ ଆସି ଏକାମ୍ର କ୍ଷେତ୍ରରେ ବାସ କଲେ। ସେମାନେ ତିନି ଯୁଗ ଧରି ‘ୟେକାମ୍ବରନାଥ’ (ଏକାମ୍ରନାଥ)ଙ୍କୁ ସେବା କରି ଅମର ବର ପାଇଲେ। କିନ୍ତୁ ପରିଶେଷରେ ଦେବୀ ପାର୍ବତୀ ଗୋପାଳୁଣୀ ବେଶ ଧରି ଏ ଦୁଇ ଅସୁରଙ୍କୁ ପାଦରେ ଚାପି ପରାଭୂତ କଲେ। କିନ୍ତୁ ସେମାନଙ୍କର ପ୍ରାର୍ଥନାରେ ପ୍ରୀତ ହୋଇ ପାର୍ବତୀ କହିଥିଲେ ଯେ ତାଙ୍କ ନାମ ଅନୁସାରେ ଏ ତୀର୍ଥ ପ୍ରସିଦ୍ଧ ହେବ। ତେଣୁ ଏହାର ଅନ୍ୟ ନାମ ‘କୀର୍ତ୍ତିବାସନ ତୀର୍ଥ’, ବା ‘କୀର୍ତ୍ତିବାସ କଟକ’ ହେଲା।

ଏହି ପ୍ରସଙ୍ଗରେ ଆସିଛି ‘ସ୍ୱର୍ଣ୍ଣାଦ୍ରି’ ନାମ। ‘ବନପର୍ବ’ର ବର୍ଣ୍ଣନା ଅନୁସାରେ, ଅମର ବର ପାଇବା ପରେ କୀର୍ତ୍ତି ଓ ବାସ ଦୁଇ ଭାଇ କୁବେର ଭଣ୍ଡାର ଜୁର (ଲୁଣ୍ଠନ) କରିବା ସହିତ ଅନେକ ରାଜଭଣ୍ଡାର ଲୁଣ୍ଠନ କରିଥିଲେ। ସେହି ଲୁଣ୍ଠନରୁ ମିଳିଥିବା ସୁବର୍ଣ୍ଣକୁ ଏଠାରେ ଠୁଳ କରିବାରୁ ଏହାର ନାମ ‘ସ୍ୱର୍ଣ୍ଣାଦ୍ରି’ ହେଲା। ପରବର୍ତ୍ତୀ କାଳରେ ସେଠାରେ ଲିଙ୍ଗରାଜ ମନ୍ଦିର ନିର୍ମାଣ ହେଲା।

ସମ୍ବନ୍ଧିତ ଖବର