ସ୍ୱାସ୍ଥ୍ୟ ସମ୍ବାଦ : କରୋନା ଓ ଯକ୍ଷ୍ମାରୋଗ

ପ୍ରଫେସର ଡାକ୍ତର ଜ୍ୟୋତି ପଟ୍ଟନାୟକ

ଯକ୍ଷ୍ମା ବା ଟିବି ଏକ ଗୁରୁତର ରୋଗ। ଏହି ରୋଗ କେବଳ ଯେ ଫୁସ୍‌ଫୁସ୍‌ରେ ହୁଏ, ତା’ ନୁହେଁ। ଶରୀରର ଅନ୍ୟ ଅଙ୍ଗରେ ବି ହୋଇଥାଏ। ଫୁସ୍‌ଫୁସ୍‌ରେ ହେଲେ ତାକୁ ପଲମ୍ୟୁନାରି ଟିବି ବୋଲି କୁହାଯାଏ ଓ ଅନ୍ୟ ଅଙ୍ଗରେ ହେଲେ ଏକ୍ସଟ୍ରା ପଲମ୍ୟୁନାରି ଟିବି ବୋଲି କୁହାଯାଇଥାଏ। ନଖ ଓ କେଶ ଛାଡ଼ି ସବୁ ଅଙ୍ଗରେ ଯକ୍ଷ୍ମା ରୋଗ ଦେଖା ଦେଇଥାଏ। ଅପରପକ୍ଷରେ, କୋଭିଡ୍‌ ହେଉଛି ଏକ ଆକ୍ୟୁଟ ରୋଗ। ୩/୪ ଦିନ ଭିତରେ ଏହା ଜଣେ ସୁସ୍ଥ ‌ବ୍ୟକ୍ତିଙ୍କୁ ସଂକ୍ରମିତ କରି ଦେଇପାରେ। ଜଣେ କରୋନା ଆକ୍ରାନ୍ତ ହେଲେ ଅଧିକ ଜ୍ବର (ହାଇ ଫିଭର), କାଶ, ଧଇଁସଇଁ ହେବା, ମୁଣ୍ଡ ବିନ୍ଧା, ଦେହହାତ ଘୋଳାବିନ୍ଧା ଭଳି ଲକ୍ଷଣ ଦେଖାଯାଏ। ଭିନ୍ନଭିନ୍ନ ଲୋକଙ୍କଠାରେ ମଧ୍ୟ ଭିନ୍ନଭିନ୍ନ ଲକ୍ଷଣ ଦେଖାଯାଏ। ଧୀରେ ଧୀରେ କାଶ ବଢ଼େ ଏବଂ ୧୫ଦିନ ଭିତରେ ହିଁ ଜଣାପଡ଼ିଥାଏ ଯେ ଉକ୍ତ ବ୍ୟକ୍ତି କରୋନା ପରେ ଯକ୍ଷ୍ମାରେ ଆକ୍ରାନ୍ତ ହୋଇପାରନ୍ତି ନା’ ନାହିଁ।

କିନ୍ତୁ ଜଣେ କରୋନା ସଂକ୍ରମିତ ଯଦି ପୂର୍ବରୁ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥାଆନ୍ତି ତା’ହେଲେ ସେମାନଙ୍କ କ୍ଷେତ୍ରରେ ଲକ୍ଷଣ ମଧ୍ୟ ଭିନ୍ନ ଦେଖାଯାଏ। ସେମାନଙ୍କଠାରେ ସାମାନ୍ୟ ଜ୍ବର ରହିବା ସହ ଧୀରେ ଧୀରେ କାଶ ବଢ଼ିବାରେ ଲାଗିଥାଏ। ଯଦି ଜଣେ ବ୍ୟକ୍ତି ଯକ୍ଷ୍ମାରେ ପୀଡ଼ିତ ତା’ହେଲେ ସେଭଳି କ୍ଷେତ୍ରରେ କରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ। ଯଦି ଯକ୍ଷ୍ମାରୋଗୀ କରୋନା ସଂକ୍ରମିତ ହୁଅନ୍ତି ତା’ହେଲେ ସେମାନଙ୍କ ଅବସ୍ଥା ଗୁରୁତର ହୋଇଯାଏ। ସେମା‌ନେ ଅଧିକ ଧଇଁସଇଁ ମଧ୍ୟ ହୋଇଥାନ୍ତି। ଯେହେତୁ ସେମାନଙ୍କର ଫୁସ୍‌ଫୁସ୍‌ ପୂର୍ବରୁ ଟିବି ଯୋଗୁଁ ଅତ୍ୟଧିକ ଦୁର୍ବଳ ହୋଇ ରହିଥାଏ, କୋଭିଡ୍ ସଂକ୍ରମଣ ସେମାନଙ୍କ ପାଇଁ ଅଧିକ ଘାତକ ହୋଇଥାଏ। ଜଣେ ଯଦି ଗୁରୁତର(ସିଭିଅର୍‌)ଭାବେ କରୋନା ସଂକ୍ରମିତ ହୁଅନ୍ତି ତା’ହେଲେ ସେମାନଙ୍କ କ୍ଷେତ୍ରରେ ଯକ୍ଷ୍ମା ହେବାର ସମ୍ଭାବନା ଅଧିକ ରହିଥାଏ।

ଯେଉଁମାନଙ୍କୁ ଭେଣ୍ଟିଲେଟରର ଆବଶ୍ୟକତା ପଡ଼ିଥାଏ ବା ନିଶ୍ବାସ ନେବାରେ କଷ୍ଟ ଅନୁଭବ କରନ୍ତି ସେମାନଙ୍କ କ୍ଷେତ୍ରରେ ଯକ୍ଷ୍ମା ହେବାର ଅଧିକ ସମ୍ଭାବନା ରହିଥାଏ। କାରଣ ତାଙ୍କ ଶରୀରରେ ରୋଗ ‌ପ୍ରତିରୋଧକ ଶକ୍ତି କମ୍‌ ରହିବା ସହ ଫୁସ୍‌ଫୁସ୍‌ ମଧ୍ୟ ଅତ୍ୟଧିକ ଦୁର୍ବଳ ଥାଏ। ଯେଉଁମାନଙ୍କଠାରେ କରୋନା ସଂକ୍ରମଣ ମାତ୍ରା ଅଧିକ ହୋଇଛି, ସେମାନେ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ସବୁବେଳେ ସତର୍କ ରହିବା ଜରୁରୀ। ନିୟମିତ ବ୍ୟବଧାନରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ ଏଥିପାଇଁ ଆବଶ୍ୟକ ଥିବା ବିଭିନ୍ନ ପରୀକ୍ଷା କରାଇବା ସହ ସଚେତନ ରହନ୍ତୁ। ଭିଡ଼ ବା ଗହଳିଠାରୁ ନିଜକୁ ଦୂରେଇ ରଖନ୍ତୁ। କାରଣ କରୋନା ସଂକ୍ରମଣ ଯୋଗୁଁ ଯକ୍ଷ୍ମାରୋଗର ଜଟିଳତା ଅଧିକ ହେବାର ଆଶଙ୍କା ରହିଥାଏ। ସତର୍କ ନ ରହିଲେ ରୋଗୀ ବିପଦରେ ପଡିବାର ଆଶଙ୍କା ରହିଛି।

ପଲମ୍ୟୁନାରି ମେଡିସିନ୍‌ ବିଭାଗ,
ଏସ୍‌ସିବି ମେଡିକାଲ କଲେଜ

ସମ୍ବନ୍ଧିତ ଖବର